ଲଗାଣ ବର୍ଷା ସତ୍ତ୍ୱେ ପୋଖରୀରେ ପାଣି ନାହିଁ, ମରାମତି ଓ ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବି ।

ଗଜପତି, ୨୫/୦୮(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତର ଗାଇବା ଗ୍ରାମରେ ଥିବା ଏକ ବଡ଼ ପୋଖରୀ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ପୋଖରୀ ପ୍ରତି ସରକାରୀ କର୍ମଚାରୀ ଓ ସମ୍ପୃକ୍ତ ବିଭାଗ ଦୃଷ୍ଟି ଦେଉନଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୋଖରୀ ମରାମତି କରାଯାଇଥିବା ଦୁଇ ବୋର୍ଡ଼ ଲେଖା ହୋଇଛି କିନ୍ତୁ କେତେ ଦୂର କାର୍ଯ୍ୟ ହୋଇଛି ତାହା ସରକାରୀ କର୍ମଚାରୀ ମାନେ ହିଁ ଉତ୍ତର ଦେଇ ପାରିବେ |ଗାଁ ମୁଣ୍ଡରେ ଥିବା ଏହି ପୋଖରୀଟି ଗ୍ରାମବାସୀଙ୍କ ସହ ପଶୁପକ୍ଷୀଙ୍କ ପାଇଁ ମଧ୍ୟ ଉପଯୋଗୀ ହୋଇପାରୁନାହିଁ।

ଖରାଦିନରେ ପୋଖରୀରେ ପାଣି ନଥିବାରୁ ପଶୁପକ୍ଷୀ ଜଳ ପାନ କରିବାରୁ ବଞ୍ଚିତ ହେଉଥିବା ବେଳେ ଗ୍ରାମବାସୀ ମଧ୍ୟ ଏହାର ଜଳ ବ୍ୟବହାର କରିପାରୁନାହାନ୍ତି।ବର୍ତ୍ତମାନ କିଛିଦିନ ଧରି ଅଞ୍ଚଳରେ ଲଗାଣ ବର୍ଷା ହେଉଥିଲେ ମଧ୍ୟ ପୋଖରୀରେ ପାଣି ଟୋପେ ମଧ୍ୟ ରହୁନଥିବା ଗ୍ରାମବାସୀ କହିଛନ୍ତି। ପୋଖରୀଟି ସମ୍ପୂର୍ଣ୍ଣ ଭାବେ ଘାସ, ଲତା ଓ ବନବୁଦାରେ ଭରିଯାଇ ଏକ ଜଙ୍ଗଲ ସଦୃଶ ଦେଖାଯାଉଛି। ଏହାର ଫଳରେ ପୋଖରୀର ଜଳଧାରଣ କ୍ଷମତା ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି।ପୋଖରୀର ତୁରନ୍ତ ସଫେଇ, ଖନନ ଓ ମରାମତି କରି ଏହାକୁ ପୁନରୁଦ୍ଧାର କରାଯାଇ ଗ୍ରାମବାସୀ ଓ ପଶୁପକ୍ଷୀଙ୍କ ଉପଯୋଗରେ ଆଣିବାକୁ ଲୁଲୁ ଲିମା, ବିନାୟକ ମାଛ, ସୁରେଶ ପୂଜାରୀ, ମାନୁଏଲ ମାଛ ଓ ଗୋପାଳ ପ୍ରଧାନଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.