ବାଲେଶ୍ଵର,୨୬/୮(କୃଷ୍ଣ କୁମାର ମହାନ୍ତି) : ସମଗ୍ର ପଶ୍ଚିମ ବଙ୍ଗ ଅକ୍ଟୋବର ରୁ ୨୧ ତାରିଖ ପର୍ଯ୍ୟନ୍ତ ଶାରଦୀୟ ଦୁର୍ଗୋତ୍ସବରେ ମାଆ ଦୁର୍ଗାଙ୍କୁ ଆବାହନ କରିବା ପାଇଁ ଏବେଠାରୁ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଚଳିତ ବର୍ଷ କଲିକତାର ବେହାଲାରେ ଥିବା ‘ବଡ଼ିଶା ଶକ୍ତି ସଂଘ’ ତାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ବାଲେଶ୍ୱରର ଜଉକଣ୍ଢେଇ କଳା ସଂସ୍କୃତିର ପ୍ରଦର୍ଶନ ପାଇଁ ଆଗ୍ରହ ପ୍ରକାଶ କରି ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛି। ଜଉକଣ୍ଢେଇ ଶୈଳୀରେ ମୂର୍ତ୍ତି ତିଆରି ହେବା ସହ ବାଲେଶ୍ୱରର ଶ୍ୟାମସୁନ୍ଦର ମନ୍ଦିର ଢାଞ୍ଚାରେ ମଣ୍ଡପ ତଥା ଜଉକଣ୍ଢେଇ ବାହାଘର ଓ ଶୋଭାଯାତ୍ରା ଅୟୋଜନ କରାଯିବ ବୋଲି ଜଣାପଡିଛି। ମୁଖ୍ୟ ଡିଜାଇନର୍ ତଥା କନସେପ୍ଟ କ୍ରିଏଟର୍ ଗଭର୍ଣ୍ଣମେଣ୍ଟ ଆର୍ଟ କଲେଜର ପ୍ରାଧ୍ୟାପକ ଅଖିଳ ଚନ୍ଦ୍ର ଦାସ ଏଥିପାଇଁ ଦାୟିତ୍ୱ ନେଇ ଥିବା ବେଳେ କଳା ଛାତ୍ର ସାୟନ୍ତ ବଙ୍କ ପ୍ରତିମା ଦାୟିତ୍ୱ ତୁଲାଉଛନ୍ତି। ବାଲେଶ୍ଵରର ପ୍ରସିଦ୍ଧ ଶିଳ୍ପୀ କେଶୁ ଦାସ ଜଉକଣ୍ଢେଇ ବାହାଘର, ଶୋଭାଯାତ୍ରା, କର୍ମଶାଳା ଓ ପ୍ରଦର୍ଶନୀର ଦାୟିତ୍ୱ ତୁଲାଇବା ନିମନ୍ତେ ଚୁକ୍ତିବଦ୍ଧ ହୋଇଛନ୍ତି। ଏହି ଉପଲକ୍ଷେ ହେବାକୁଥିବା ଶୋଭାଯାତ୍ରାରେ ବାଲେଶ୍ୱରର ପିତୁଳା ନାଚ, ନୀଳଗିରିର ଆଦିବାସୀ ନୃତ୍ୟ, ଗଞ୍ଜାମର ଯୋଡ଼ି ଶଙ୍ଖ ଓ ରଣପା ନାଚ ସହିତ ସ୍ଥାନୀୟ ଲୋକନୃତ୍ୟ ଓ ଲୋକବାଦ୍ୟ ସାମିଲ କରାଯିବ ବୋଲି ଶକ୍ତି ସଂଘର ସମ୍ପାଦକ ତରୁଣ କୁମାର ମୁଖାର୍ଜୀ ଜଣାଇଥିବା ବେଳେ ପଞ୍ଚମୀରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଦୁର୍ଗା ପୂଜା ଉତ୍ସବକୁ ଆକର୍ଷଣୀୟ ଓ ଜାକଜମକରେ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସଭାପତି ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.