ସ୍ୱାଧୀନତା ଦିବସ ଉତ୍ସବରେ ଚମକିଲେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ।

0

ଗଜପତି,୧୮.୮(ମନୋଜ ପାଢୀ):-୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପାରଳାଖେମୁଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରତିଭା ପ୍ରଦର୍ଶନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି।ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଛାତ୍ରଛାତ୍ରୀଙ୍କ ପ୍ୟାରେଡ୍, ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବେଶ୍ ପ୍ରଶଂସିତ ହୋଇଥିଲା।ମନୋମୁଗ୍ଧକର ସାଂସ୍କୃତିକ ପ୍ରଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଦେଶପ୍ରେମ ଓ ଜାତୀୟତାର ଭାବନାକୁ ଉଜ୍ଜ୍ୱଳ କରିଥିଲେ। ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଦଶମ ଶ୍ରେଣୀ ଛାତ୍ର ଶ୍ରୀମାନ୍ ସୁଧାଂଶୁ ଶେଖର ବିଷୋୟୀ ତୃତୀୟ ସ୍ଥାନ, ବକ୍ତୃତା ପ୍ରତିଯୋଗିତାରେ ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସାଇଶ୍ରୀ ପଣ୍ଡିତ ତୃତୀୟ ସ୍ଥାନ, ପ୍ରବନ୍ଧ ପ୍ରତିଯୋଗିତାରେ ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସୁଜ୍ଞାନୀ ପାତ୍ର ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ତନିଷ୍କା ଦାସ ଦ୍ୱିତୀୟ ସ୍ଥାନ ଅଧିକାର କରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରକୁ ଗୌରବାନ୍ୱିତ କରିବା ସହିତ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ମହୋଦୟଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ଓ ପୁରସ୍କୃତ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କର ଏହି ସଫଳତାରେ ବିଦ୍ୟାଳୟର ଗୁରୁଜୀ-ଗୁରୁମା, ଅଭିଭାବକ ଓ ପରିଚାଳନା ସମିତି ପକ୍ଷରୁ ଆନନ୍ଦ ପ୍ରକାଶ କରାଯାଇଛି। ଶିକ୍ଷା ସହିତ ଶୃଙ୍ଖଳା, ସଂସ୍କାର, ଦେଶପ୍ରେମ ଓ ସାଂସ୍କୃତିକ ଚେତନାର ବିକାଶ ହିଁ ଶିଶୁ ମନ୍ଦିରର ମୂଳ ଲକ୍ଷ୍ୟ ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଛି।ଏହି କୃତିତ୍ୱ ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.