ଆନ୍ତର୍ଜାତିକ ସଫଳତା ହାସଲ କରିଥିବା ପୁରାତନ ଛାତ୍ରୀ ସ୍ୱାଗତିକାଙ୍କୁ ସମ୍ବର୍ଦ୍ଧନା ।

0

ଗଜପତି,୧୮.୮(ମନୋଜ ପାଢ଼ୀ) :-ପାରଳାଖେମୁଣ୍ଡିସ୍ଥିତ ପିଏମ୍ ଶ୍ରୀ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରୀ ଶ୍ରୀମତୀ ସ୍ୱାଗତିକା ପାଣିଗ୍ରାହୀଙ୍କୁ ତାଙ୍କର ଆନ୍ତର୍ଜାତୀୟ ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଶ୍ରୀମତୀ ପାଣିଗ୍ରାହୀ ୨୦୦୪ ମସିହାରେ ଏହି ଶତାୟୁ ପୁରାତନ ବିଦ୍ୟାଳୟରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ।ଶିକ୍ଷା ଜୀବନରୁ ହିଁ ନିଜ ମେଧାବୀ ଓ ପ୍ରତିଭାର ପରିଚୟ ଦେଇଥିବା ସ୍ୱାଗତିକା ନିଜର ଅଦମ୍ୟ ପରିଶ୍ରମ, ଦୃଢ଼ ମନୋବଳ ଓ ଆତ୍ମବିଶ୍ୱାସ ବଳରେ ଶିକ୍ଷା ଓ ବୃତ୍ତିଗତ କ୍ଷେତ୍ରରେ ସଫଳତାର ନୂଆ ଶିଖର ଛୁଇଁଛନ୍ତି। ସେ ଆଇଆଇଟି ରୁରକିରୁ ଏମ୍.ଟେକ୍ ଡିଗ୍ରୀ ହାସଲ କରିବା ପରେ ବର୍ତ୍ତମାନ ବେଙ୍ଗାଲୁରୁରେ ଆସୋସିଏଟ୍ ଟେକ୍ନିକାଲ୍ ପ୍ରୋଜେକ୍ଟ ମ୍ୟାନେଜର ଭାବେ ଏକ ପ୍ରମୁଖ ଅଟୋମୋଟିଭ୍ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି।ତାଙ୍କର ସଫଳତାର ମୁକୁଟରେ ଆଉ ଏକ ଗୌରବମୟ ପରିଚୟ ଯୋଡ଼ିଛି ୨୦୨୬ ମସିହାର ଆନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା।ଥାଇଲାଣ୍ଡରେ ମୁମ୍ବାଇ ଗ୍ଲୋବାଲ୍ ପକ୍ଷରୁ ଆୟୋଜିତ ୩୧ତମ ମିସ୍, ମିଷ୍ଟର ଆଣ୍ଡ ମିସେସ୍ ଏସିଆ ୱାର୍ଲ୍ଡ ୨୦୨୬ରେ ସେ ‘ମିସେସ୍ ଏସିଆ ୱାର୍ଲ୍ଡ ଗୋଲ୍ଡ ୨୦୨୬’ ଟାଇଟଲ୍ ହାସଲ କରିଛନ୍ତି। ଏହି ସଫଳତା ମାଧ୍ୟମରେ ସେ ଗଜପତି ଜିଲ୍ଲା ସମେତ ସମଗ୍ର ଓଡ଼ିଶା ଓ ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ଗୌରବାନ୍ୱିତ କରିଛନ୍ତି।ଏହା ପୂର୍ବରୁ ୨୦୨୫ ମସିହାରେ ଶ୍ରୀଲଙ୍କାର କଲମ୍ବୋଠାରେ ଆୟୋଜିତ ମିସେସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ପ୍ରତିଯୋଗିତାରେ ସେ ‘ଇଣ୍ଟରନ୍ୟାସନାଲ ଗୁଡ୍‌ୱିଲ୍ ଆମ୍ବାସାଡର’ଉପାଧି ହାସଲ କରିଥିଲେ।ଏହି ଗୌରବମୟ ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ କିରଣ ସାଲାଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ସ୍ୱାଗତିକାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

Leave A Reply

Your email address will not be published.