ନବରଙ୍ଗପୁର | ଇନ୍ଦ୍ରାବତୀ, ୧୭/୮ (ଶେଖର ଖୁରା): ବର୍ତ୍ତମାନ ସମୟରେ ବଢ଼ୁଥିବା ସାଇବର ଅପରାଧ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ଏକ ଚିନ୍ତାର ବିଷୟ ପାଲଟିଛି। ଏହାକୁ ରୋକିବା ସହିତ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ସାଇବର ପୋଲିସ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି।
ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରୋଜେକ୍ଟସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଠାରେ ସାଇବର ଅପରାଧ ରୋକିବା ଏବଂ ନିଶାମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର SDPO ଶ୍ରୀ କୃଷ୍ଣ ଚନ୍ଦ୍ର ଭତ୍ରା, OPS ଯୋଗଦେଇଥିବା ବେଳେ ଖାତିଗୁଡ଼ା ଥାନା IIC ଇନ୍ସପେକ୍ଟର ବୀରେନ୍ଦ୍ର ବାଘ, ନବରଙ୍ଗପୁର ସାଇବର ସେଲର SI ଖଗେଶ୍ୱର ଖୋସଲା, ASI ବିଜୟ କୁମାର ସାହୁଙ୍କ ସମେତ ସାଇବର ସେଲର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
ଆଜିର ଡିଜିଟାଲ ଯୁଗରେ ସ୍ମାର୍ଟଫୋନ ଓ ଇଣ୍ଟରନେଟର ବ୍ୟବହାର ଦ୍ରୁତଗତିରେ ବଢ଼ୁଥିବା ବେଳେ ଏହା ସହିତ ସାଇବର ଠକେଇ ଓ ଅନଲାଇନ ଅପରାଧ ମଧ୍ୟ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସାଇବର ପୋଲିସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଅନଲାଇନ ସୁରକ୍ଷା ସମ୍ପର୍କରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଥିଲା।
ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର, ଅଜଣା ଲିଙ୍କରେ କ୍ଲିକ୍ ନକରିବା, ଅଜଣା ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ତଥ୍ୟ କିମ୍ବା OTP ଶେୟାର ନକରିବା ଏବଂ ସାଇବର ଠକେଇର ଶିକାର ହେଲେ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ରେ ତୁରନ୍ତ ଅଭିଯୋଗ କରିବା ସମ୍ପର୍କରେ ସଚେତନ କରାଯାଇଥିଲା।
ଏହା ସହିତ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା। ନିଶାରୁ ଦୂରେଇ ରହି ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟରେ ମନୋନିବେଶ କରିବାକୁ ପୋଲିସ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ପୋଲିସ ପ୍ରଶାସନର ଏଭଳି ମିଳିତ ସଚେତନତା ପ୍ରୟାସ କେବଳ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବାରେ ସହାୟକ ହେବ ନାହିଁ, ବରଂ ଯୁବପିଢ଼ିଙ୍କୁ ନିଶାମୁକ୍ତ ରଖି ଏକ ସୁସ୍ଥ, ସଚେତନ ଓ ଅପରାଧମୁକ୍ତ ସମାଜ ଗଠନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ମତ ପ୍ରକାଶ ପାଇଛି। ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l