କଟକ: ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତିଙ୍କ ଜାତିଗତ ସ୍ଥିତି (କାଷ୍ଟ ଷ୍ଟାଟସ) ଏବଂ ଜମି ହସ୍ତାନ୍ତର ଅନୁମତି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସମ୍ବିଧାନ ଅନୁଯାୟୀ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ତାଲିକା ରାଜ୍ୟଭିତ୍ତିକ; ତେଣୁ ଗୋଟିଏ ରାଜ୍ୟରେ ଥିବା ଜାତିଗତ ମାନ୍ୟତା ଅନ୍ୟ ରାଜ୍ୟରେ ସ୍ବତଃ ଲାଗୁ ହୋଇପାରିବ ନାହିଁ। ଏପରିକି ଗୋଟିଏ ରାଜ୍ୟରେ ଅନୁସୂଚିତ ଜାତି (ଏସସି) ଭାବେ ମାନ୍ୟତା ପାଇଥିବା ସମ୍ପ୍ରଦାୟର ସମାନ ନାମ ଅନ୍ୟ ରାଜ୍ୟର ଅନୁସୂଚିତ ଜନଜାତି (ଏସଟି) ତାଲିକାରେ ଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସେଠାରେ ସ୍ୱତଃ ଏସ୍ଟି ବୋଲି ଗ୍ରହଣ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କ ପୀଠ ବିନୟ କୃଷ୍ଣ ଦାସଙ୍କ ଆବେଦନକୁ ଗ୍ରହଣ କରି ମୟୂରଭଞ୍ଜ ଅତିରିକ୍ତ ଜିଲାପାଳଙ୍କ ନିର୍ଦେଶକୁ ରଦ୍ଦ କରିଛନ୍ତି ଏବଂ ଆବେଦନକାରୀଙ୍କ ଜମି ଦଲିଲ ତିନିଦିନ ମଧ୍ୟରେ ପଞ୍ଜୀକରଣ କରିବାକୁ କୁଳିଅଣା ସବ୍-ରେଜିଷ୍ଟ୍ରାରଙ୍କୁ ଆଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଝାଡ଼ଖଣ୍ଡର ବାସିନ୍ଦା ତଥା ବାରିପଦାରେ ବ୍ୟବସାୟ ସୂତ୍ରରେ ରହୁଥିବା ବିନୟ କୃଷ୍ଣ ଦାସ ମୟୂରଭଞ୍ଜ ଜିଲା କୁଳିଅଣା ତହସିଲ ଅନ୍ତର୍ଗତ ଗଙ୍ଗରାଜ ମୌଜାରେ ୧୪ ଡିସିମିଲ ଜମିର ମାଲିକ ଥିଲେ। ସେ ଝାଡ଼ଖଣ୍ଡରେ ‘ଭୂଇଆ’ ଜାତିର ହୋଇଥିବାରୁ ସେଠାରେ ଅନୁସୂଚିତ ଜାତି (ଏସସି) ଶ୍ରେଣୀଭୁକ୍ତ। ନିଜର ଚିକିତ୍ସା ଖର୍ଚ୍ଚ ଏବଂ ଋଣ ପରିଶୋଧ କରିବା ଲାଗି ସେ ଉକ୍ତ ଜମିକୁ ମାନସ ରଞ୍ଜନ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚୁକ୍ତି କରି ୨୦୨୬ ମାର୍ଚ୍ଚ ୧୭ରେ କୁଳିଅଣା ସବ୍-ରେଜିଷ୍ଟ୍ରାରଙ୍କ ନିକଟରେ ସେଲ୍ ଡିଡ୍ ଦାଖଲ କରିଥିଲେ; ମାତ୍ର ସବ୍-ରେଜିଷ୍ଟ୍ରାର ଦଲିଲ ପଞ୍ଜୀକରଣ କରିବାକୁ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ ମୟୂରଭଞ୍ଜ ଜିଲା ରେଜିଷ୍ଟ୍ରାର ୨୦୨୬ ଏପ୍ରିଲ ୨୩ରେ ଆବେଦନକାରୀଙ୍କୁ ଜଣାଇଥିଲେ ଯେ, ଓଡ଼ିଶାରେ ‘ଭୂଇଆ’ ଜାତି ଅନୁସୂଚିତ ଜନଜାତି (ଏସଟି) ତାଲିକାଭୁକ୍ତ; ତେଣୁ ଓଡ଼ିଶା ରେଗୁଲେସନ ୨/୧୯୫୬ ଅନୁଯାୟୀ ପ୍ରକୃତ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ବିନା ଏହି ଜମି ବିକ୍ରି ହୋଇପାରିବ ନାହିଁ। ଉକ୍ତ ନିଷ୍ପତ୍ତି ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଯୁକ୍ତି ବାଢ଼ିଥିଲେ ଯେ ସେ ଝାଡ଼ଖଣ୍ଡର ଏସସି ହୋଇଥିବାରୁ ଏବଂ କ୍ରେତା ମଧ୍ୟ ଏସସି ବର୍ଗର ହୋଇଥିବାରୁ କୌଣସି ଅନୁମତିର ଆବଶ୍ୟକତା ନାହିଁ। ଅପରପକ୍ଷରେ ସରକାରୀ ପକ୍ଷ ଯୁକ୍ତି ଦର୍ଶାଇଥିଲେ ଯେ ଓଡ଼ିଶାରେ ‘ଭୂଇଆ’ ଜନଜାତି ଅନ୍ତର୍ଭୁକ୍ତ ହୋଇଥିବାରୁ ଏସଟି ଅନୁମତି ବାଧ୍ୟତାମୂଳକ। ହାଇକୋର୍ଟ ମାମଲାର ବିଚାର କରି କହିଛନ୍ତି ଯେ କୌଣସି ବ୍ୟକ୍ତି ରାଜ୍ୟ ବାହାରକୁ ସ୍ଥାନାନ୍ତରିତ ହେଲେ ତାଙ୍କ ଜାତିଗତ ସ୍ୱତନ୍ତ୍ର ଅଧିକାର ବା ମାନ୍ୟତା ସାଙ୍ଗରେ ଯାଇନଥାଏ। ଓଡ଼ିଶାରେ ‘ଭୂଇଆ’ ଏସସି ତାଲିକାରେ ନାହାନ୍ତି, ତେଣୁ ସେ ଓଡ଼ିଶାରେ ଏସସି ମାନ୍ୟତା ଦାବି କରିପାରିବେ ନାହିଁ। ଅନୁରୂପ ଭାବେ କେବଳ ନାମ ଏକା ଥିବା କାରଣରୁ ସେ ଓଡ଼ିଶାରେ ମଧ୍ୟ ମନକୁ ମନ ଅନୁସୂଚିତ ଜନଜାତି (ଏସଟି) ମଧ୍ୟ ହୋଇପାରିବେ ନାହିଁ, କାରଣ ରାଷ୍ଟ୍ରପତିଙ୍କ ଏସଟି ତାଲିକା କେବଳ ଓଡ଼ିଶାର ମୂଳ ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ; ପରିଣାମସ୍ବରୂପ ଆବେଦନକାରୀ ଓଡ଼ିଶା ଲାଗି ଏସସି କିମ୍ବା ଏସଟି କୌଣସି ବର୍ଗଭୁକ୍ତ ନୁହନ୍ତି। ଏହି ଆଧାରରେ ତାଙ୍କ କ୍ଷେତ୍ରରେ ରେଗୁଲେସନ ୨/୧୯୫୬ କିମ୍ବା ଓଏଲଆର ଆଇନର ଧାରା ୨୨ ଲାଗୁ ହେବ ନାହିଁ ଏବଂ ଜମି ବିକ୍ରି ପାଇଁ କୌଣସି ଅନୁମତି ଲୋଡ଼ା ନାହିଁ। ଏହା ଦର୍ଶାଇ ହାଇକୋର୍ଟ ଜିଲା ରେଜିଷ୍ଟ୍ରାରଙ୍କ ନିର୍ଦେଶକୁ ରଦ୍ଦ କରି ତୁରନ୍ତ ଦଲିଲ ପଞ୍ଜୀକରଣ କରିବାକୁ ଆଦେଶ ଦେଇଛନ୍ତି।