ଭୁବନେଶ୍ୱର : ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ତୃତୀୟ ବନ୍ୟା। ପାଣି ଘେରରେ ୧୬ ପଞ୍ଚାୟତ। ହୁଲି ଡଙ୍ଗା ହିଁ ଭରସା। କେନ୍ଦ୍ରାପଡା ଜିଲ୍ଲା ଆଳିର ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ବନ୍ୟା ଆସି ୧୬ ପଞ୍ଚାୟତ ଜଳମଗ୍ନ ହୋଇଛି। ଆଳି ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ମାନପୁର-ଗୋବିନ୍ଦପୁର ରାସ୍ତା ଉପରେ ୪ରୁ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଯାତାୟତର ମୁଖ୍ୟ ମାଧ୍ୟମ ସାଜିଛି ହୁଲିଡଙ୍ଗା। ଦିନକୁ ୫୦୦ ଟଙ୍କା ଭଡ଼ା ଦେଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ପାଇଁ ଆସୁଛନ୍ତି।
ରେଡ ୱାର୍ଣ୍ଣିଂ ଥିବା କେନ୍ଦୁଝର ସହର ବର୍ଷାରେ ବେହାଲ। ଗତକାଲିଠାରୁ ଲଗାଣ ବର୍ଷାରେ ସହର ର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା। ସହରର ବିଭିନ୍ନ ମୁଖ୍ୟ ରାସ୍ତା ସବୁରେ ଚାଲିଛି ପାଣି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ମଣ୍ଡୁଆ ସରାସ ରାସ୍ତା ଧୋଇ ହୋଇ ଯାଇଛି।


ବାଲେଶ୍ୱରରେ ଜାରି ରହିଛି ଲଗାଣ ବର୍ଷା। ପ୍ରବଳ ବର୍ଷା ଯୋଗୁଁ ପୁଣି ସହରରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ନୂଆସାହି ରାସ୍ତା ଉପରେ ଦୁଇ ଫୁଟରୁ ଅଧିକ ଉଚ୍ଚରେ ପାଣି ଜମିଛି। ଫଳରେ ରେମୁଣାରୁ ବାଲେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଛି। ବାଲେଶ୍ୱରରେ ୯୩.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତେବେ ବର୍ଷା ଫଳରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର। ଜଳକା ନଦୀର ବିପଦ ସଙ୍କେତ ମଥାନି ଠାରେ ୬.୫୦ ମିଟର ଥିବାବେଳେ ସକାଳ ୬ଟାରେ ବିପଦ ସଙ୍କେତ ଉପରେ ୬.୫୨ ମିଟରେ ପ୍ରବାହିତ ହେଉଛି।
ଅନ୍ୟପଟେ ବୁଢ଼ାବଳଙ୍ଗ ନଦୀ ମଧ୍ୟ ଫୁଲିବା ଆରମ୍ଭ ହୋଇଛି। ଏଠାରେ ସତର୍କ ସଂକେତ ୭.୨୧ ମିଟର ଥିବାବେଳେ ଏବେ ଜଳସ୍ତର ୭.୦୪ ମିଟରରେ ପହଞ୍ଚିଛି। ତେବେ ଉପର ମୁଣ୍ଡରେ ଲାଗି ରହିଥିବା ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିବା ଆଶଙ୍କା କରାଯାଉଛି। ବିଭିନ୍ନ ଅଞ୍ଚଲରେ ପାଣି ପଶିଥିବା କାରଣରୁ ରାସ୍ତା ଉପରେ ଆଶ୍ରୟ ନେଉଛନ୍ତି ଲୋକେ। ଫୁଲାଡି ଅଞ୍ଚଳରେ ବୁଢ଼ାବଳଙ୍ଗର ବନ୍ୟା ପାଣି ପଶିବା ପରେ ଲୋକେ ଜାତୀୟ ରାଜପଥ କଡ଼ରେ ୪ ଦିନ ହେଲା ଅଶ୍ରୟ ନେଇଛନ୍ତି।
ବଙ୍ଗୋପସାଗରରେ ଅବପାତ। ଆଜି ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ। ଡିପ୍ରେସନ୍ ଏବେ ବାଲେଶ୍ବରରୁ ୧୮୦ କି.ମି. ଦୂରରେ ରହିଛି। ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଡ଼କୁ ଅଗ୍ରସର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଭୀଷଣ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୧ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ଅରେଞ୍ଜ ସତର୍କତା। …