ବାଲେଶ୍ୱରରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ

୫୫ କଣ୍ଟିଜେଣ୍ଟର ଚିତ୍ତାକର୍ଷକ ପ୍ୟାରେଡ୍, ୮ ପ୍ରଜ୍ଞାପନ ମେଢ଼ ଓ ୫ ସାଂସ୍କୃତିକ ଦଳର ପ୍ରଦର୍ଶନ

0
ବାଲେଶ୍ୱର, ୧୫/୦୮(କୃଷ୍ଣ କୁମାର ମହାନ୍ତି): ଦେଶପ୍ରେମ, ଦେଶାତ୍ମବୋଧ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଗରିମାମୟ ଭାବେ ପାଳିତ ହୋଇଯାଇଛି। ଶନିବାର ସକାଳ ୯ଟା ୧୫ ମିନିଟରେ ବାଲେଶ୍ୱର ପୋଲିସ ପ୍ୟାରେଡ୍ ପଡ଼ିଆରେ ଆୟୋଜିତ ମୁଖ୍ୟ ସମାରୋହରେ ଓଡ଼ିଶା ସରକାରଙ୍କ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍‌ରେ ସଲାମୀ ଗ୍ରହଣ କରିଥିଲେ।
ଏହି ଅବସରରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୁର ବିକାଶ, ଉପଜିଲ୍ଲାପାଳ ଶ୍ରୀ ଶିବ ମାଲବ୍ୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରବୋଧ କୁମାର ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ।
ସ୍ୱାଧୀନତା ଦିବସ ଅବସରରେ ଭୋର ୪ଟାରୁ ସହରର ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୁନ ପରିବେଷଣ କରାଯାଇଥିଲା। ଏହାପରେ ଜିଲ୍ଲାପାଳଙ୍କ ଆବାସ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସାମ୍ବାଦିକ ପ୍ରକୋଷ୍ଠ ଓ ଅଫିସର୍ସ କ୍ଲବ୍‌ରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିସହ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ସେ ମାଲ୍ୟାର୍ପଣ କରିଥିଲେ।
ମୁଖ୍ୟ ସମାରୋହରେ ପତାକା ଉତ୍ତୋଳନ ପରେ ପୋଲିସ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ମୋଟ ୫୫ଟି କଣ୍ଟିଜେଣ୍ଟ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ। ଶୃଙ୍ଖଳିତ ପ୍ୟାରେଡ୍ ସମାରୋହର ପ୍ରମୁଖ ଆକର୍ଷଣ ପାଲଟିଥିଲା। ଏହା ସହିତ ୮ଟି ପ୍ରଜ୍ଞାପନ ମେଢ଼ ଓ ମହାବୀର ଆଖଡ଼ା ସଂଘ ସମେତ ମୋଟ ୫ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ।
ସମାରୋହରେ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଓ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭାସମ୍ପନ୍ନ ବ୍ୟକ୍ତିମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଜୟୀ ଦଳଗୁଡ଼ିକୁ ପୁରସ୍କୃତ କରାଯାଇଥିଲା।
ସ୍ୱାଧୀନତା ଦିବସର ପରବର୍ତ୍ତୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରକ୍ତଦାନ ଶିବିର ପରିଦର୍ଶନ କରିଥିଲେ। ସେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ପରେ ବାଲେଶ୍ୱର ଜେଲ୍‌କୁ ଯାଇ କଏଦୀମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ।
ଅପରାହ୍ନରେ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକମାନଙ୍କ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଆୟୋଜିତ ହୋଇଥିଲା। ଏହି ମ୍ୟାଚ୍ ଉଭୟ ପକ୍ଷ ମଧ୍ୟରେ ସୌହାର୍ଦ୍ଦ ଓ ସମନ୍ୱୟର ପରିବେଶ ସୃଷ୍ଟି କରିଥିଲା।
ସନ୍ଧ୍ୟାରେ ଗାନ୍ଧୀ ସ୍ମୃତି ଭବନରେ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା। ଏଥିରେ ଚିତ୍ରାଙ୍କନ, ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଏଭଳି ଭାବେ ଭୋରର ରାମଧୁନରୁ ଆରମ୍ଭ କରି ପତାକା ଉତ୍ତୋଳନ, ପ୍ୟାରେଡ୍, ପ୍ରଜ୍ଞାପନ ମେଢ଼, ସାଂସ୍କୃତିକ କାର୍ଯ୍ୟକ୍ରମ, ସେବାମୂଳକ କାର୍ଯ୍ୟକ୍ରମ ଓ ସାଂସ୍କୃତିକ ସନ୍ଧ୍ୟା ପର୍ଯ୍ୟନ୍ତ ବାଲେଶ୍ୱରରେ ୮୦ତମ ସ୍ୱାଧୀନତା ଦିବସ ଦେଶପ୍ରେମ ଓ ଉତ୍ସବର ଭାବନାରେ ଗରିମାମୟ ଭାବେ ପାଳିତ ହୋଇଥିଲା।
Leave A Reply

Your email address will not be published.