ବାଲେଶ୍ବର,୧୬/୦୮(କୃଷ୍ଣ କୁମାର ମହାନ୍ତି): ଗତକାଲି ଚାନ୍ଦିପୁରସ୍ଥିତ ରେଞ୍ଜ ସ୍କୁଲ ପରିସରରେ ୮୦ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ପିଏକ୍ସଇ, ଚାନ୍ଦିପୁରର ସହକାରୀ ନିର୍ଦ୍ଦେଶକ ବୈଜ୍ଞାନିକ ଡ. ଏଚ୍.ଏସ୍ ପଣ୍ଡା ସ୍କୁଲ ପରିସରରେ ପହଞ୍ଚି ପତାକା ଉତ୍ତୋଳନ କରିଥିଲେ।
ବୈଜ୍ଞାନିକ ଡ. ପଣ୍ଡାଙ୍କ ସମେତ ସ୍କୁଲର ସେକ୍ରେଟାରୀ ବୈଜ୍ଞାନିକ ରତ୍ନାକର ସାଥୁଆ ମହାପାତ୍ର, ପ୍ରିନ୍ସିପାଲ ଡ. ପ୍ରମୋଦ କୁମାର ସା ଏବଂ ବିଭିନ୍ନ ବିଭାଗର ବରିଷ୍ଠ କର୍ମକର୍ତ୍ତାମାନେ ସ୍କୁଲ ପରିସରରେ ପହଞ୍ଚି ଏହି ସ୍ବାଧୀନତା ଦିବସ ପାଳନ ଉତ୍ସବରେ ନିଜକୁ ସାମିଲ କରିଥିଲେ।

ବୈଜ୍ଞାନିକ ଡ. ପଣ୍ଡା ତାଙ୍କ ସମ୍ୟକ୍ ବକ୍ତବ୍ୟରେ ପିଲାମାନଙ୍କୁ ଦେଶ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ଆହ୍ବାନ ଦେଇଥିଲେ। ପରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଦେଶାତ୍ମବୋଧକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।
ଆଜିର ଏହି ସ୍ବାଧୀନତା ଦିବସ ପାଳନ ଅବସରରେ ଚାନ୍ଦିପୁର ପିଏକ୍ସଇ ଏବଂ ଆଇଟିଆରର ବୈଜ୍ଞାନିକମାନେ ତଥା ଇଏମୟୁ, ଏମଇଏସ, ମିଲିଟାରୀ ଞ୍ବିଙ୍ଗ୍, ଞ୍ବାର୍କ ପ୍ରୋଜେକ୍ଟ ପିଏକ୍ସଇ, ପିଏମୟୁ, ଷ୍ଟେସନ ଞ୍ବାର୍କସପ୍ ଏବଂ ରେଞ୍ଜ ସ୍କୁଲର ପ୍ରିନ୍ସିପାଲ ଡ. ପ୍ରମୋଦ କୁମାର ସା’ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ପ୍ରିନ୍ସିପାଲ ଡ. ସା’ ଏହି ୮୦ତମ ସ୍ବାଧୀନତା ଦିବସ ଉପଲକ୍ଷେ ତ୍ରିରଙ୍ଗା କେବଳ ଆମର ପତାକା ନୁହେଁ – ଏହା ଆମର ଗର୍ବ, ଆମର ଏକତା ଏବଂ ଆମର ପରିଚୟ ବୋଲି ସେ ସମସ୍ତଙ୍କୁ ଉଦବୋଧନ ଦେବା ସହିତ ଧନ୍ଯବାଦ ଅର୍ପଣ କରିଥିଲେ ।