କଳାହାଣ୍ଡିର ସାରସ୍ୱତ ପୁରୋଧା ରମେଶ ଜେନାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସାହିତ୍ୟିକ ଓ ବୁଦ୍ଧିଜୀବୀ

0
ବାଲେଶ୍ୱର, ଅଗଷ୍ଟ ୧୪ (କୃଷ୍ଣ କୁମାର ମହାନ୍ତି): କଳାହାଣ୍ଡିର ବିଶିଷ୍ଟ ସାହିତ୍ୟିକ, ସମାଜସେବୀ ତଥା ଚେତାବନୀ ସାହିତ୍ୟ ସଂସଦର ଉପସଭାପତି ସ୍ୱର୍ଗତ ରମେଶ କୁମାର ଜେନାଙ୍କ ସ୍ମୃତିରେ କେସିଙ୍ଗାସ୍ଥିତ ଋଷି ସାହା ସଂସ୍କୃତି ଭବନ ଠାରେ ଏକ ଭାବଗମ୍ଭୀର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ‘ଚେତାବନୀ ସାହିତ୍ୟ ସଂସଦ, କେସିଙ୍ଗା’ ପକ୍ଷରୁ ଆୟୋଜିତ ଏହି ସଭାରେ ସାହିତ୍ୟିକ, ଶିକ୍ଷକ, ବୁଦ୍ଧିଜୀବୀ ଓ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।
ସଭାରେ ବକ୍ତାମାନେ ସ୍ୱର୍ଗତ ଜେନାଙ୍କୁ କଳାହାଣ୍ଡିର ସାରସ୍ୱତ ଚେତନାର ଜଣେ ଜାଗ୍ରତ ପୁରୋଧା ଭାବେ ଅଭିହିତ କରି କହିଥିଲେ ଯେ, ସେ କେବଳ ଜଣେ ସାହିତ୍ୟିକ ନୁହେଁ, ବରଂ ନିଜ ଲେଖନୀ ମାଧ୍ୟମରେ କଳାହାଣ୍ଡିର ମାଟି, ମଣିଷ ଓ ସଂସ୍କୃତିକୁ ଓଡ଼ିଆ ସାହିତ୍ୟର ମୁଖ୍ୟଧାରାରେ ସ୍ଥାନିତ କରିଥିଲେ। ଚେତାବନୀ ସାହିତ୍ୟ ସଂସଦରେ ସହ-ସମ୍ପାଦକ, କୋଷାଧ୍ୟକ୍ଷ, ସମ୍ପାଦକ ଓ ଉପସଭାପତି ଭଳି ବିଭିନ୍ନ ଦାୟିତ୍ୱ ନିଷ୍ଠାର ସହ ପାଳନ କରି ସେ ସଂଗଠନକୁ ସମୃଦ୍ଧ କରିଥିଲେ।
ବକ୍ତାମାନେ ଆହୁରି କହିଥିଲେ ଯେ, ସ୍ୱର୍ଗତ ଜେନାଙ୍କ ସରଳତା, ନିଷ୍ଠା, ମାନବିକତା ଓ ସାହିତ୍ୟପ୍ରେମ ତାଙ୍କୁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ତାଙ୍କ ଅବର୍ତ୍ତମାନ କଳାହାଣ୍ଡି ତଥା କେସିଙ୍ଗାର ସାହିତ୍ୟ ଓ ସାଂସ୍କୃତିକ ପରିସର ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିଲେ ମଧ୍ୟ ତାଙ୍କ ସୃଷ୍ଟି ଓ ଆଦର୍ଶ ଆଗାମୀ ପିଢ଼ିକୁ ସଦା ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଥିଲା।
ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କାର୍ଯ୍ୟକାରୀ ସଭାପତି ନିରୋଜ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା ସଭା ପରିଚାଳନା କରିଥିଲେ। ସାଙ୍ଗଠନିକ ସମ୍ପାଦକ ଯାଦବେନ୍ଦ୍ର ସାହା ଧନ୍ୟବାଦ ଅର୍ପଣ କରିଥିଲେ।
ଅନୁଷ୍ଠାନର କେନ୍ଦ୍ରୀୟ ସଭାପତି ଡ଼. ସେନାପତି ପ୍ରଦ୍ୟୁମ୍ନ କେଶରୀ ଫୋନ୍‌ ମାଧ୍ୟମରେ ଶୋକବ୍ୟକ୍ତ କରିଥିଲେ। ସଭାରେ ହରିଶଙ୍କର ଭୋଇ, ବୈଷ୍ଣବ ଚରଣ ସାହା, ମଞ୍ଜୁମେଧା ଗୁରୁ, ରୁବି ଚୌଧୁରୀ, ଦେବେନ୍ଦ୍ର ଲାଲ, ଡମ୍ବରୁଧର ଭୋଇ, ହିମାଞ୍ଚଳ ସାହୁ, ସୁଶାନ୍ତ ମୁଣ୍ଡ, ସଂଯୁକ୍ତା ପାଢ଼ୀ, ଗୋବିନ୍ଦ ବାଗ, କମଳାକାନ୍ତ ସାହା ଓ କର୍ଣ୍ଣ ଗହୀର ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ସ୍ୱର୍ଗତ ରମେଶ ଜେନାଙ୍କ ଆତ୍ମାର ସଦଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା।
Leave A Reply

Your email address will not be published.