ଗଜପତି ,ତା 07.08.26 ରିଖ(ମନୋଜ ପାଢ଼ୀ)-: ଶୁକ୍ରବାର ଦିନ ପାରଳାଖେମୁଣ୍ଡି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ଜିଲ୍ଲା ସ୍କୁଲ ଓ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଓ ଓଷ୍ଟାର ଡାକରାରେ ଜିଲ୍ଲା ସଭାପତି ଶ୍ରୀ ପି ମେନକା ରାଓ ଓ ଜିଲ୍ଲା ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ପ୍ରତିବାଦ ସଭା ଓ ଘେରାଉ କରିଥିଲେ | ଉକ୍ତ ପ୍ରତିବାଦ ସଭାରେ କାର୍ଯ୍ୟକାରୀ ସଭାପତି ଶ୍ରୀ ମନୋଜ ବେହେରା ଯୁଗ୍ମ ସମ୍ପାଦକ ଶ୍ରୀ ସୁଶାନ୍ତ ଚୌଧୁରୀ, ରା. ଉଦୟଗିରି ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରାମକୃଷ୍ଣ ପାଢ଼ୀ, ଶ୍ରୀ ଏସ ରାମାରାଓ, ଶ୍ରୀ ମନୋରଞ୍ଜନ ରଥ ପ୍ରମୁଖ ଯୋଗ ଦେଇଥିଲେ |ଶିକ୍ଷକମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଥମେ ପହଞ୍ଚିଥିଲେ | ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଏସ ଗିରିଧର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଆଇନମନ୍ତ୍ରୀ ଶ୍ରୀ ପୃଥିବୀରାଜ ହରିଚନ୍ଦନ, ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଗ୍ରହଣ କରିଥିଲେ | ଦାବୀମାନଙ୍କ ମଧ୍ୟରେ ପ୍ରମୁଖ ଦାବୀ ଗୁଡିକ ହେଲା ଓଡ଼ିଶାର 194ଟି ଅଣ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଅବସରପ୍ରାପ୍ତ ଶିକ୍ଷକମାନଙ୍କର ପେନସନ ସହ ସମସ୍ତ ପ୍ରକାର ସରକାରୀ ସୁବିଧା, 2004 ଠାରୁ 2010 ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ଠିକାଶିକ୍ଷକ ମାନଙ୍କର 6ଟି ନୋସନାଲ ଇନ୍କ୍ରିମେଣ୍ଟ ସହ ଛ ବର୍ଷ ଚାକିରୀ ଗଣନା, ନୂତନ ଅନୁଦାନପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଗ୍ରାଣ୍ଟ ଇନ ଏଡ଼ ପ୍ରଦାନ, ଅନୁଦାନପ୍ରାପ୍ତ ବିଦ୍ୟାଳୟର କର୍ମଚାରୀ ମାନଙ୍କର ଚାକିରୀ ବୟସ ସୀମା 60 ରୁ 62କୁ ବୃଦ୍ଧି, ଓ NPS, ଓ UPS ବଦଳରେ OPS ଲାଗୁକରିବା ଇତ୍ୟାଦି | ଗତ ସରକାର 24 ବର୍ଷ ଶାସନରେ ଥାଇ କୌଣସି ପ୍ରକାର ଦାବୀ ପୂରଣ ନକରିବା କ୍ଷୋଭର ବିଷୟ ହୋଇଥିବା ବେଳେ ବର୍ତ୍ତମାନର ଡବଲ ଇଂଜିନ ସରକାର ଯଦି ଏହାକୁ ଗୁରୁତ୍ୱ ନଦିଅନ୍ତି ତାହାହେଲେ ଆଗାମୀ 16 ଅଗଷ୍ଟ ଦାବୀ ଦିବସରେ ଭୁବନେଶ୍ୱର ରାଜରାସ୍ତାରେ ହଜାର ହଜାର ସଂଖ୍ୟକ ଶିକ୍ଷକ ଓ କର୍ମଚାରୀ ଅହୋରାତ୍ର ଗଣଧାରଣାରେ ବସିବା ପାଇଁ କଡା ଚେତାବନୀ ଦେଇଛନ୍ତି ଆବଶ୍ୟକ ପଡିଲେ ତାଲାବନ୍ଦ ଆନ୍ଦୋଳନ ହେବ ବୋଲି ମଧ୍ୟ ଶୁଣାଇଛନ୍ତି | ଏତଦ ବ୍ୟତୀତ ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ୟେଶ ରେ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି |