ସାମାନ୍ୟ ବର୍ଷାରେ ଉବୁଟୁବୁ ପାରଳାଖେମୁଣ୍ଡି ସହର !

0

ଗଜପତି,୭.୮ (ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ବିଶେଷକରି ତଳିଆ ଅଞ୍ଚଳ ରାଧାଗୋବିନ୍ଦ ନଗର ଏବଂ ବିଶ୍ୱନାଥ ନଗର ଅଞ୍ଚଳ ସମେତ ସହରର ଅନେକ ସ୍ଥାନରେ ଖରାପ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ସାମାନ୍ୟ ବର୍ଷାରେ ମଧ୍ୟ ନାଳ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଏହି ଅପରିଷ୍କାର ପାଣି ସହ ବିଭିନ୍ନ କୀଟପତଙ୍ଗ ଏବଂ ଜନ୍ତୁ ଲୋକଙ୍କ ଘରେ ପଶୁଥିବା ଅଭିଯୋଗ ହେଉଛି। ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ବର୍ଷାରେ ଏହି ଅଞ୍ଚଳର ଡ୍ରେନେଜ୍ ବ୍ୟବସ୍ଥାର ଅସଲ ଚିତ୍ର ପଦାକୁ ଆସିଛି।

ନାଳ ସଫା ହୋଇନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇନପାରି ରାସ୍ତା ଉପରେ ଲହଡ଼ି ମାରୁଛି। କେବଳ ସେତିକି ନୁହେଁ, ଏହି ଅପରିଷ୍କାର ନାଳ ପାଣି ସ୍ଥାନୀୟ ବାସିନ୍ଦାଙ୍କ ଘରେ ମଧ୍ୟ ପଶିଯାଉଛି। ପାଣି ସହିତ ବିଭିନ୍ନ ପ୍ରକାରର କୀଟପତଙ୍ଗ, ସାପ ଏବଂ ଅନ୍ୟାନ୍ୟ ବିଷାକ୍ତ ଜନ୍ତୁ ଘରେ ପ୍ରବେଶ କରୁଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତି ଲାଗି ରହିଲେ ଆଗକୁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏଥି ସହିତ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ରାସ୍ତାରେ ଭାସୁଥିବାର ଦୃଶ୍ୟମାନ ହେଉଛି।ସ୍ଥାନୀୟ ବାସିନ୍ଦାମାନେ ବାରମ୍ବାର ପୌରପାଳିକାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।ପୌର ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଡ୍ରେନେଜ୍ ବ୍ୟବସ୍ଥାର ସ୍ଥାୟୀ ପ୍ରତିକାର କରିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.