ରାଷ୍ଟ୍ରପତିଙ୍କୁ ବ୍ରହ୍ମପୁର ରେଳଷ୍ଟେସନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା : ଗଞ୍ଜାମ କଳାକାରଙ୍କ ସହ ଫଟୋ ଉଠାଇଲେ ମାନ୍ୟବର ରାଷ୍ଟ୍ରପତି ।
ମିନାକ୍ଷୀନଗରରେ ଛୋଟଛୁଆଙ୍କୁ ଚକଲେଟ ବାଣ୍ଟିଲେ ମାନ୍ୟବର ରାଷ୍ଟ୍ରପତି
ଗଜପତି ,୪.୮: ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ମଙ୍ଗଳବାର ପୂର୍ବାହ୍ନରେ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟା ୧୦ ମିନିଟ୍ରେ ସେ ବ୍ରହ୍ମପୁର ରେଳଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲେ।
ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ରାଷ୍ଟ୍ରପତିଙ୍କୁ ବ୍ରହ୍ମପୁର ରେଳଷ୍ଟେସନରେ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାରଙ୍କ ସମେତ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଦକ୍ଷିଣାଞ୍ଚଳ ଆଇ ଜି ନିତି ଶେଖର, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା. ଶରବଣା ବିବେକ ଏମ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ ।

ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେଳଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସୁନ୍ଦର ସାଜସଜ୍ଜା ଏବଂ ପରିଷ୍କାର-ପରିଚ୍ଛନ୍ନତାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।
ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଝଲକ ସ୍ୱରୂପ ବ୍ୟାଘ୍ର ନୃତ୍ୟ, ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ପରିବେଷଣ ଏବଂ ଶୁଭ ଶଙ୍ଖଧ୍ୱନି ମଧ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମାନ୍ୟବର ରାଷ୍ଟ୍ରପତି କଳାକାରମାନଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିବା ସହ ସେମାନଙ୍କ ସହ ଫଟୋ ଉଠାଇ ଉତ୍ସାହିତ କରିଥିଲେ।

ରେଳଷ୍ଟେସନ ପରିସରରେ ଉପସ୍ଥିତ ସାଧାରଣ ଜନତା ଓ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଓ ପ୍ଲାକାର୍ଡ ପ୍ରଦର୍ଶନ କରି ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ। ମାନ୍ୟବର ରାଷ୍ଟ୍ରପତି ମଧ୍ୟ ହାତ ହଲାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ।

ବ୍ରହ୍ମପୁର ରେଳଷ୍ଟେସନରେ ସ୍ୱଳ୍ପ ସମୟ ଅବସ୍ଥାନ ପରେ ମାନ୍ୟବର ରାଷ୍ଟ୍ରପତି ତପ୍ତପାଣି ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ସହ ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ତପ୍ତପାଣି ଅଭିମୁଖେ ଯାତ୍ରା କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ବିପୁଳ ସଂଖ୍ୟାରେ ଆବାଳବୃଦ୍ଧବନିତା ଓ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଓ ସ୍ବାଗତଂ ପ୍ଲାକାର୍ଡ ପ୍ରଦର୍ଶନ କରି ମାନ୍ୟବର ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଥିଲେ।
ବ୍ରହ୍ମପୁର ସହରର ମିନାକ୍ଷୀ ନଗର ଠାରେ ମାନ୍ୟବର ରାଷ୍ଟ୍ରପତି କୁନିକୁନି ଛୁଆ ତାଙ୍କୁ ଦେଖିବାର ଉତ୍ସାହ ହୃଦୟଙ୍ଗମ କରି ଗାଡିରୁ ଓହ୍ଲାଇ ପିଲାମାନଙ୍କୁ ଚକଲେଟ ବାଣ୍ଟି ଥିଲେ ।