ସହାୟ ବୃଦ୍ଧାଙ୍କ ଶେଷକୃତ୍ୟ ପାଇଁ ଆଗେଇ ଆସିଲେ ସମାଜସେବୀ ।

ଅଳ୍ପ ସମୟରେ ସଂଗ୍ରହ ହେଲା ସମସ୍ତ ସହାୟତା ।

0

ଗଜପତି / ମନୋଜ କୁମାର ପାଢୀଙ୍କ ରିପୋର୍ଟ: ମାନବ ସେବା ହିଁ ମାଧବ ସେବାକୁ ପାଥେୟ କରି ମାନବିକତା ତଥା ସମାଜସେବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଛତ୍ରପୁର ସ୍ଥିତ ସେବାପ୍ରତିନିଧି ସଙ୍ଗଠନର ସକ୍ରିୟ ସମାଜସେବୀ ତଥା ଛତ୍ରପୁର ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଭାପତି ଟୁଟୁ ନାୟକ।
ସୂଚନାଯୋଗ୍ୟ, ଆଜି ଯେତେବେଳେ ଛତ୍ରପୁର ଅଞ୍ଚଳର ଜଣେ ଅତ୍ୟନ୍ତ ଗରିବ ଓ ଅସହାୟ ବୃଦ୍ଧା ମହିଳାଙ୍କ ଦେହାନ୍ତ ପରେ ଶେଷକୃତ୍ୟ ପାଇଁ ଆବଶ୍ୟକ କାଠ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଡ଼ କରିବା ପାଇଁ ପରିବାର ପକ୍ଷରେ ଅସମ୍ଭବ ହୋଇପଡ଼ିଥିଲା ; ସେତେବେଳେ ଏହି ଦୁଃଖଦ ଖବର ପାଇବା ପରେ ଟୁଟୁ ନାୟକ ସୋସିଆଲ ମିଡିଆ ମାଧ୍ୟମରେ ସହୃଦୟ ବ୍ୟକ୍ତିମାନଙ୍କୁ ଯଥାର୍ଥ ସହଯୋଗ ପାଇଁ ନିବେଦନ କରିଥିଲେ। ତାଙ୍କ ଆହ୍ୱାନରେ ଅନେକ ବ୍ୟକ୍ତି ଯଥା :- ଏସ. ରାମକୃଷ୍ଣ ରେଡ୍ଡୀ , ସିଦ୍ଧାର୍ଥ ଅଗ୍ରୱାଲ , ରାଜକୁମାର ସାହୁ , ପ୍ରଭାତ ନାୟକ , ରୋଶନ ବିଷୋୟୀ , ସିଦ୍ଧାର୍ଥ ରାଓ , ସୌମ୍ୟସୁମନ , ପାପା ରାଓ ପ୍ରମୁଖ ଅତି କମ୍ ସମୟ ମଧ୍ୟରେ ନିଜ ସାମର୍ଥ୍ୟ ଅନୁସାରେ ଆର୍ଥିକ ସହଯୋଗର ହାତ ବଢ଼ାଇଥିଲେ। ଫଳରେ ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ସମସ୍ତ ଅର୍ଥ ସଂଗ୍ରହ କରାଯାଇ ତାଙ୍କର ଅନ୍ତିମ ସଂସ୍କାର ଯଥାରୀତି କରାଯାଇପାରିଥିଲା।
ପ୍ରାପ୍ତ ଖବର ମୁତାବକ , ବୃଦ୍ଧା ଜଣକ ବଜାରରେ ଭିକ୍ଷା ମାଗି ନିଜ ପରିବାର ଚଳାଉଥିଲେ ଓ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ସେ ଘରୁ ବାହାରି ପାରୁନଥିଲେ। ସେହିପରି ତାଙ୍କ ପୁଅ ଶ୍ରମିକ ଭାବେ କାମ କରିବାକୁ ବାହାରକୁ ଯାଇଥିବାରୁ ଘରେ ପହଞ୍ଚିବାକୁ ତିନି ଦିନ ସମୟ ଲାଗିବାର ଥିଲା। କିନ୍ତୁ ପବିତ୍ର କାର୍ତ୍ତିକ ମାସରେ ଏହିଭଳି ଦୁଃଖଦ ପରିସ୍ଥିତିରେ ଅସହାୟ ପରିବାରକୁ ସହଯୋଗର ହାତ ବଢ଼ାଇ ଯୁବବର୍ଗ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଥିବାରୁ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି। ଆଜିର ଏହି ଉଲ୍ଲେଖନୀୟ ସେବା ପାଇଁ ସେବା ପ୍ରତିନିଧିର ମୁଖ୍ୟ ବିଶିଷ୍ଟ ସମାଜସେବୀ ନୀଳମଣି ମିଶ୍ର ଓ ଗଜପତି ଜିଲ୍ଲାର ଜିଲ୍ଲା ନ୍ୟାୟାଳୟରେ ପଦସ୍ଥ ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଭବିଷ୍ୟତରେ ଏହିପରି ଭଲ କାମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.