ଦ୍ୱିତୀୟ ଶ୍ରୀକ୍ଷେତ୍ର
ବାରିପଦାର ରଥଯାତ୍ରା
===============
ବାରିପଦା, ଭଞ୍ଜଭୂମି ମୟୁରଭଞ୍ଜର ରାଜଧାନୀ l ଏହା ଏବେକା ମୟୁରଭଞ୍ଜ ଜିଲ୍ଲାର ମୁଖ୍ୟାଳୟ l
ମୟୁରଭଞ୍ଜ ଅତୀତରେ ଦେଶୀୟ ରାଜ୍ୟମାନଙ୍କ ମଧ୍ୟରେ ଥିଲା ଏକ ଅଗ୍ରଣୀ ରାଜ୍ୟ l ସର୍ବଦା ଏହା ପ୍ରଜାନୁରଞ୍ଜକ ରାଜାମାନଙ୍କ ଦ୍ୱାରା ଶାସିତ ହୋଇ ଦେଶ ବିଦେଶରେ ବହୁ ଖ୍ୟାତି ଅର୍ଜନ କରିଥିଲା l ସେ ସମୟରେ ରାଜଧାନୀ ବାରିପଦା ସହରରେ ରାଜନ୍ୟଗଣ ବହୁକିଛି ଆଧୁନିକ ସୁବିଧା ସୁଯୋଗ ଖଞ୍ଜିଦେଇଥିଲେ ଯାହା ସେତେବେଳେ ଅନ୍ୟସବୁ ସହର ବାସୀଙ୍କ ପାଇଁ ସ୍ବପ୍ନ ଥିଲା l
ମୟୂରଭଞ୍ଜ ଏକ ଐତିହ୍ୟ ବିମଣ୍ଡିତ ରାଜ୍ୟ ଏବଂ ଏହାର ରାଜଧାନୀ ବାରିପଦା, ଏକ ଐତିହାସିକ ସହର l ଏହି ଐତିହାସିକ ସହରରେ ରହିଛି ବହୁ ପୁରାତନ ବଡ଼ଜଗନ୍ନାଥ ମନ୍ଦିର l ଏଠାରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ ଶ୍ରୀବଳଦେବ,ଶ୍ରୀଜଗନ୍ନାଥ ଦେବୀ ସୁଭଦ୍ରା ଓ ଚକ୍ର ରାଜ ଶ୍ରୀ ସୁଦର୍ଶନ l ଏହି ମନ୍ଦିର ହରିବଳଦେବଜୀଉ ମନ୍ଦିରଭାବେ ଖ୍ୟାତ l ଶ୍ରୀ ହରିବଳଦେବ ଜୀଉ ମନ୍ଦିର ମହାରାଜା ଶ୍ରୀ ବୈଦ୍ୟନାଥ ଭଞ୍ଜଙ୍କ ଦ୍ୱାରା ନିର୍ମିତ ବୋଲି ମନ୍ଦିର କାନ୍ଥରୁ ଉଦ୍ଧାର ହୋଇ ଥିବା ଏକ ଶିଳା ଲେଖରୁ ଜଣା ପଡ଼ିଥାଏ l ସେହି ଶିଳା ଲେଖରେ ଉଲ୍ଲେଖ ଅଛି :-
“शकाद्बे सागरे रन्ध्रे कृते नत्तत्रनायके
भञ्ञे न वौद्यनाथेन प्रासाद कृतमेदिनो l”
ମୂଳ ଶିଳା ଲେଖରେ କିଛି ବ୍ୟାକରଣ ଗତ ତ୍ରୁଟି ଥିବାରୁ ପରେ ଏହାକୁ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜ କିଛି ସାମାନ୍ୟ ପରିବର୍ତ୍ତନ କରିଛନ୍ତି l ପରିବର୍ତ୍ତିତ ଶିଳାଲେଖଟି ନିମ୍ନ ପ୍ରକାରେ :-
“शकाद्बे मुनिरन्ध्राब्धि शुभ्रांशुप्रमिते शुभे ।
भञ्ञेन वोद्यनाथेन प्रासादस्तु कृतो मुदा”ll
ଏହି ମନ୍ଦିରଟି ବାରିପଦା ସହରର ସର୍ବ ପୁରାତନ କୀର୍ତ୍ତି l ଶ୍ରୀକ୍ଷେତ୍ର ପରେ ଏଠାରେ ଅନୁଷ୍ଠିତ ହେଉ ଥିବା ପୁରାତନ ଓ ବୃହତ ରଥଯାତ୍ରା ଏବଂ ମନ୍ଦିର ନିର୍ମାଣ ପଛରେ ରହିଥିବା ଐତିହାସିକ ଆଖ୍ୟାନ ଏହି ମନ୍ଦିର ତଥା ବାରିପଦାକୁ ଦେଇଛି, ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା l ଶ୍ରୀ ହରିବଳଦେବ ଜୀଉ ମନ୍ଦିରର ନିର୍ମାଣ ସମୟ ହିଁ ପ୍ରମାଣିତ କରୁଛି ଯେ ବାରିପଦାର ଇତିହାସ ୫୦୦ ବର୍ଷ ଉର୍ଦ୍ଧ୍ୱ ପୁରୁଣା l
ମୟୂରଭଞ୍ଜର ଇତିହାସରୁ ଜଣାଯାଏ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ରାଜୁତି ସମୟରେ, ୧୫୭୫, ମସିହା ବା 1497 ଶକାବ୍ଦରେ ବାରିପଦା ଠାରେ ପ୍ରତିଷ୍ଠା କରା ଯାଇଥିଲା ଶ୍ରୀହରି ବଳଦେବ ଜୀଉ ମନ୍ଦିର l ମହାରାଜା ବୈଦ୍ୟନାଥ ଭଞ୍ଜ,ଶ୍ରୀମନ୍ଦିର ପ୍ରଚଳିତ ନିତି ଦିନ ପୂଜା ବିଧି ପରଂପରାକୁ ଆଖି ଆଗରେ ରଖି ସ୍ଵତନ୍ତ୍ରପୂଜା ବିଧିବ୍ୟବସ୍ଥା କରିଯାଇ ଅଛନ୍ତି l
ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଶ୍ରୀକ୍ଷେତ୍ର ଘୋଷଯାତ୍ରା ଦିନ ଏଠାରେ କେବଳ ପହଣ୍ଡିକରାଯାଇ ଶ୍ରୀଜୀଉ ମାନଙ୍କୁ ରଥ ଆରୁଢ କରି ରଖା ଯାଏ ଏବଂ ତହିଁ ପରଦିନ ଠାରୁ ଦୁଇ ଦିନ ବ୍ୟାପି ରଥଟଣା କାର୍ଯ୍ୟ ସମ୍ପନ୍ନ ହୁଏ l ବାହୁଡ଼ା ଦିନ ମଧ୍ୟ ସେହି ପରମ୍ପରା ଅବଲମ୍ବନ କରାଯାଏ l ଏପରି ସ୍ଵତନ୍ତ୍ର ପରମ୍ପରା ପଛରେ ଏକ ଜନଶ୍ରୁତି ରହିଛି l
ବର୍ଷେ ମହାରାଜା ବୈଦ୍ୟନାଥ ଭଞ୍ଜ ନିଜ ସୈନ୍ୟ ସାମନ୍ତ ଧରି ଶ୍ରୀକ୍ଷେତ୍ରରେ ରଥ ଯାତ୍ରା ଦେଖିବାକୁ ଯାଉଥିଲେ l ମାତ୍ର ନିଜର ସିଂହାସନ ଚାଲି ଯିବା ଆଶଙ୍କାରେ ଠାକୁରରାଜା ତାଙ୍କୁ ପୁରୀକୁ ପ୍ରବେଶ ଅନୁମତି ଦେଲେ ନାହିଁ l ମହାରାଜା ଅଠର ନଳା ନିକଟରେ ଶ୍ରୀଜଗନ୍ନାଥଙ୍କୁ ଧ୍ୟାନ କରି ତାଙ୍କ ଦୁଃଖ ଜଣାଇଲେ l ଭକ୍ତବତ୍ସଳ ମହାପ୍ରଭୁ ଭକ୍ତ ଗୁହାରୀ ଶୁଣିଲେ l ସ୍ୱପ୍ନାଦେଶରେ ମହାରାଜାଙ୍କୁ କହିଲେ, ବୈଦ୍ୟନାଥ ! ତୁମେ ଫେରିଯାଅ ଓ ଯାଇ ତୁମର ରାଜଧାନୀରେ ଘୋଷଯାତ୍ରା ଆୟୋଜନ କରାଅ l
ସ୍ୱପ୍ନାଦିଷ୍ଟ ମହାରାଜା ବାରିପଦା ଫେରି ଆସିଲେ ଏବଂ ରଥ ଯାତ୍ରାର ବ୍ୟବସ୍ଥା କଲେ l ସେଥି ପାଇଁ ଶ୍ରୀକ୍ଷେତ୍ର ରଥଟଣା ପର ଦିନ ବାରିପଦାରେ ରଥ ଟଣା ଯାଇଥାଏ l
ଆହୁରି ମଧ୍ୟ କୁହାଯାଏ ଯେ, ମୟୂରଭଞ୍ଜର ପ୍ରଜା ବତ୍ସଳ ମହାରାଜା ପ୍ରଜାମାନଙ୍କୁ ବହୁତ ଭଲପାଉ ଥିଲେ l ମୟୂରଭଞ୍ଜ ରାଜ୍ୟର ପରିବ୍ୟାପ୍ତି ବି କମ୍ ନଥିଲା,ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରଜାମାନେ ଆସି କିପରି ଯାତ୍ରାକୁ ସୁରୁଖୁରୁରେ ଦେଖିପାରିବେ ସେ ପାଇଁ ଏହାକୁ ତିନି ଦିନ ବ୍ୟାପି ପାଳନ କରା ଯାଇଥାଏ l ବାରିପଦାର ରଥଦାଣ୍ଡ ତିନିଦିନ ଧରି ଜଗନ୍ନାଥମୟ ହୋଇପଡ଼ି ଥାଏ l ଏଠାରେ ଆଉ ଏକ ପରମ୍ପରା ହେଲା ଭକ୍ତମାନଙ୍କ ଉଦ୍ଦେଶ୍ୟରେ ରଥଉପରୁ ଏକ ସ୍ଵତନ୍ତ୍ର ଲଡ଼ୁ ବିତରଣ କରାଯାଇ ଥାଏ, ଯାହାକୁ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଥାଏ l
ଏଠାରେ ଅନ୍ୟ ଏକ ନିଆରା ପରମ୍ପରା, ଦେବୀ ଶ୍ରୀସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳା ମାନେ ଟାଣିଥାନ୍ତି l ଏହି ପରମ୍ପରା 1975 ମସିହା ଠାରୁ ଆରମ୍ଭ ହୋଇଛି l
କଖାରୁଆ ମନ୍ଦିର ଶୈଳୀରେ ନିର୍ମିତ ବାରିପଦାର ଜଗନ୍ନାଥ ମନ୍ଦିର,ଭଞ୍ଜ ରାଜବଂଶର ଧର୍ମ ଧାରାର ପ୍ରତୀକ ରୂପେ ଗଣ୍ୟ ହୋଇଥାଏ | ସମ୍ପୂର୍ଣ୍ଣ ମନ୍ଦିର ନିର୍ମାଣ ହୋଇଛି, ମାଙ୍କଡ଼ା ପଥରରେ l ପୁରାଣର କଥାବସ୍ତୁକୁ ନେଇ ମନ୍ଦିର କାନ୍ଥ ଚିତ୍ରିତ ହୋଇଛି l ଏହାର ଉଚ୍ଚତା ୮୪ ‘୬ ” ଫୁଟ | ମନ୍ଦିରର ଚାରି ପାଖରେ ପୁରୀ ଶ୍ରୀମନ୍ଦିର ପରି ସୁଉଚ୍ଚ ମେଘନାଦ ପାଚେରୀ ରହିଛି l ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଛଡ଼ା, ମନ୍ଦିର ବେଢ଼ାଭିତରେ ସତର ମୂର୍ତ୍ତି ବେଢା ଠାକୁରମାନେ ରହିଛନ୍ତି l ପ୍ରାୟ 4 କିଲୋମିଟର ଲମ୍ବ ବାରିପଦା ବଡ଼ଦାଣ୍ଡ ଖୁବ ପ୍ରଶସ୍ତ l ବଡ଼ ଦାଣ୍ଡର ଅପର ମୁଣ୍ଡ ଠାରେ ଥିବା ଶ୍ରୀରାଧାମୋହନ ମନ୍ଦିର ଏଠିକାର ଗୁଣ୍ଡିଚା ମନ୍ଦିର l
ବାରିପଦା ସହରରେ ଅନ୍ୟ ଏକ କ୍ଷୁଦ୍ର ଜଗନ୍ନାଥ ମନ୍ଦିର ରହିଛି l ବଡ଼ବଜାର ନକଟରେ ଅବସ୍ଥିତ ଏହି ମନ୍ଦିର ବାଣ୍ଠିଆ ଜଗନ୍ନାଥ ମନ୍ଦିର ନାମରେ ପରିଚିତ l ଛୋଟ ହେଲେ ମଧ୍ୟ ଏଠାରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ବିଗ୍ରହ, ଦେଖିବାକୁ ଅତୀବ କମନୀୟ l ଏଠାରେ ଗୋଟିଏ ରଥରେ ଘୋଷ ଯାତ୍ରା ହୋଇ ଥାଏ l ଏହି ମନ୍ଦିରକୁ ମହାରାଜା ଶ୍ରୀନାଥ ଭଞ୍ଜ ତାଙ୍କ ରାଜତ୍ୱ ସମୟ 1863 ରୁ 1867 ମଧ୍ୟରେ ନିର୍ମାଣ କରାଇ ଥିଲେ l
ସୁ ଉଚ୍ଚ ଶ୍ରୀ ହରିବଳଦେବ ଜୀଉ ମନ୍ଦିରର ଚୁଡ଼ା ବାରିପଦା ସହରର ପ୍ରାୟ ସବୁସ୍ଥାନକୁ ଦୃଶ୍ୟମାନ ହୋଇଥାଏ l ପ୍ରତି ଦିନ ପ୍ରାତଃ ଓ ସନ୍ଧ୍ୟା ବେଳେ ଡାକବାଜିଯନ୍ତ୍ର ସାହାଯ୍ୟରେ ନୀଳଚକ୍ରରୁ ପ୍ରାଚୀନ ଭକ୍ତି ସଙ୍ଗୀତ, ଭଜନ, ଜଣାଣ ମାନ ପରିବେଷିତ ହୋଇ ସମଗ୍ର ସହରକୁ ମୁଖରିତ କରି,ଏକ ଭାବ ଭକ୍ତିମୟ ପରିବେଶ ସୃଷ୍ଟି କରିଥାଏ l ଭଞ୍ଜଭୂମିକୁ ବୁଲିବାକୁ ଯାଉଥିବା ପ୍ରତ୍ୟକ ପର୍ଯ୍ୟଟକ ମହାପ୍ରଭୁ ଶ୍ରୀ ହରିବଳଦେବ ଜୀଉଙ୍କ ଦର୍ଶନ ଏବଂ ଆଶିଷ ନେବାକୁ ଭୁଲି ନଥାନ୍ତି l
!!! ଓଁ ନମଃ ଭଗବତେ ବାସୁଦେବାୟଃ !!!
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971
Sign in
Sign in
Recover your password.
A password will be e-mailed to you.
Prev Post
Next Post