ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର,ଭଟଲି
ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର,ଭଟଲି
==================
ପୁରୁଷୋତ୍ତମ କ୍ଷେତ୍ର ପୁରୀ ଭଳି ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବରେ ଖ୍ୟାତି ଲାଭ କରିଛି ବରଗଡ ଜିଲ୍ଲାର ଭଟଲି ସ୍ଥିତ ଶ୍ରୀଦଧିବାମନଜୀଉ ମନ୍ଦିର l ଶ୍ରୀଦଧିବାମନଜୀଉଙ୍କ ମନ୍ଦିରରେ ଖାଲି ଭଗବାନ ପୂଜାହୁଅନ୍ତି ନାହିଁ,ଏଠାରେ ଭଗବାନଙ୍କ ସହ ଭକ୍ତ ମଧ୍ୟ ପୂଜିତ ହୁଅନ୍ତି l ଭକ୍ତ ଏବଂ ଭଗବାନଙ୍କପାଇଁ ଏଠି ଗୋଟିଏ ଥାଳିରେ ଭୋଗ ବଢ଼ା ଯାଇଥାଏ l
କୁହାଯାଏ ଏଠାରେ ବିଗ୍ରହ ଶ୍ରୀକୃଷ୍ଣଙ୍କ ବାଲ୍ୟରୂପ ହୋଇଥିବାରୁ ତାଙ୍କୁ ଅନ୍ନ ଭୋଗ ବଦଳରେ ଦହି, ଦୁଗ୍ଧ ଆଦି ଭୋଗ ଲଗା ଯାଏ l ଦଧି ଭୋଗ ପାଇ ବାମନ ରୂପୀ ଭଗବାନ ଏଠାରେ ପୂଜା ପାଉଥିବା ହେତୁ ତାଙ୍କର ନାମ ଦଧି ବାମନ ହୋଇଛି l
ବରଗଡ଼ ସହର ଠାରୁ 17 କିଲୋମିଟର ଦୂରରେ ଅବସ୍ଥିତ ପଶ୍ଚିମଓଡିଶାର ଶ୍ରୀକ୍ଷେତ୍ର ଏହି ଭଟଲି l କେଉଁ ଆବହମାନ କାଳରୁ ଏଠାରେ ତ୍ରିମୁର୍ତ୍ତି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା ପୂଜା ପାଇ ଆସୁଥିଲେ l କିମ୍ବଦନ୍ତୀରୁ ଜଣାଯାଇ ଥାଏ 1617 ମସିହାରେ, ସମ୍ବଲପୁର ରାଜା ବଳିଆର ସିଂହଙ୍କ ରାଜୁତିକାଳରେ ଭକ୍ତ ପରମାନନ୍ଦ ସାହୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏଠାରେ ସ୍ଥାପନ କରି, ପୂଜାର୍ଚ୍ଚନା କରୁଥିଲେ l ତାଙ୍କ ଜ୍ୟେଷ୍ଠ ବଧୂ କମଳା ଏକନିଷ୍ଠ ଭକ୍ତି ସହକାରେ ମହାପ୍ରଭୁଙ୍କୁ ପୂଜା କରନ୍ତି l ପ୍ରଭୁ ସେତେବେଳେ ଗୋଟିଏ କ୍ଷୁଦ୍ର ନଡ଼ା ଛପର ଘରେ ରହି ପୂଜିତ ହେଉଥିଲେ l ବୈଶାଖ ମାସ,ପ୍ରବଳ ଗ୍ରୀଷ୍ମ ପଡ଼ିଥାଏ,ଦିନେ ବିଳମ୍ବିତ ରାତ୍ରିରେ ଠାକୁର ଘରେ ନିଆଁ ଲାଗିଗଲା l ଭଗବାନଙ୍କ ତ୍ରାହି ତ୍ରାହି ଡାକ ପରମାନନ୍ଦ ସାହୁଙ୍କ ବୋହୁ ଭକ୍ତ କମଳାଙ୍କୁ ଶୁଣାଗଲା l ସେ ନିଆଁକୁ ଖାତିର ନ କରି କୁଡ଼ିଆ ଭିତରେ ପଶି ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତିକୁ ଧରି ବାହାରି ଆସିବାପାଇଁ ଚେଷ୍ଟା କରୁଥାନ୍ତି l ଅଗ୍ନିରେ କବଳିତ ହୋଇ, ସେ କିନ୍ତୁ ଆଉ କୁଟୀର ମଧ୍ୟରୁ ବାହାରି ପାରିଲେ ନାହିଁ l ଗ୍ରାମ ଲୋକ ମାନଙ୍କର ଶତ ଚେଷ୍ଟା ସତ୍ୱେ କମଳାଙ୍କୁ ଆଉ ଉଦ୍ଧାର କରା ଯାଇ ପାରିଲା ନାହିଁ l ଲୋକ ମୁଖରୁ ଶୁଣା ଯାଏ, ଭକ୍ତ କମଳା ମହାପ୍ରଭୁଙ୍କ ଦେହରେ ଲୀନ ହୋଇ ଯାଇଥିଲେ ବୋଲି l
ପରେ ଭକ୍ତ ପରମାନନ୍ଦଙ୍କୁ ସପ୍ନାଦେଶ ହେଲା ଯେ ସେହି ଗ୍ରାମରେ ଥିବା ଚକ୍ରତୀର୍ଥ ପୁଷ୍କରିଣୀର ପଙ୍କ ଭିତରେ ମୋର ମୂର୍ତ୍ତି ଅଛି l ମୂର୍ତ୍ତିକୁ ପୂର୍ବ ସ୍ଥାନରେ ସ୍ଥାପନ କରି ଶ୍ରୀଦଧିବାମନ ନାମରେ ପୂଜା କର l ଭକ୍ତ କମଳାଙ୍କ ପ୍ରତିମୂର୍ତ୍ତୀ ମଧ୍ୟ ମୋ ସହ ସ୍ଥାପନ କରି ପୂଜା କର l ଏଠାରେ ଭକ୍ତ ଏବଂ ଭଗବାନ ଏକାଠି ପୂଜା ପାଇବେ l
ସ୍ୱପ୍ନାଦେଶ ଅନୁସାରେ,ପ୍ରଭୁ ପୁଷ୍କରିଣୀରୁ ଉଦ୍ଧାର ହୋଇ ମନ୍ଦିରରେ ସ୍ଥାପିତ ହେଲେ ଓ ତାଙ୍କ ସହ ସ୍ଥାପିତ ହେଲା ଭକ୍ତ କମଳାଙ୍କ ପ୍ରତିମୂର୍ତ୍ତି l ସେହି ଦିନ ଠାରୁ ଏଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଦଧି ବାମନ ରୂପେ ପୂଜାପାଇ ଆସୁଛନ୍ତି ଓ ତାଙ୍କ ସହ ପୂଜା ପାଉଛନ୍ତି ଭକ୍ତ କମଳା l
ପ୍ରଭୁ ଶ୍ରୀଦଧିବାମନଙ୍କ ରଥ ଯାତ୍ରା ହଜାର ହଜାର ଭକ୍ତଙ୍କ ସମାଗମରେ ଏଠାରେ ବହୁ ଆଡମ୍ବରରେ ପାଳିତ ହୋଇ ଥାଏ l ” ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ” ନ୍ୟାୟରେ ଅଗଣିତ ଭକ୍ତ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରି ମନରଙ୍କା ଛଡାଇ ଥାନ୍ତି l ଭଟଲିର ଶ୍ରୀ ଦଧିବାମନ ଜୀଉଙ୍କ ପୀଠ ସମଗ୍ର ପଶ୍ଚିମ ଓଡ଼ିଶାରେ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଲାଭ କରିଛି l ପଶ୍ଚିମ ଓଡିଶାର ଅଗଣିତ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପଡୋଶୀ ଛତିଶଗଡ ରାଜ୍ୟର ଦୂର ଦୁରାନ୍ତରୁ ବହୁ ଭକ୍ତଙ୍କ ସମାଗମ ଏଠାରେ ହୋଇଥାଏ l ଆନନ୍ଦୋଲ୍ଲସିତ ଭକ୍ତମାନେ ହର୍ଷ ଚିତ୍ତରେ ଗାଇ ଉଠନ୍ତି :-
ଜୟ ଜଗନ୍ନାଥ ଦଧି ବାମନ ମୂରତି l
ଭକତ ସଙ୍ଗତେ ସଦା ତୋହର ପୀରତି ll
!!! ଜୟ ଜଗନ୍ନାଥ !!!
🙏🙏🙏
ଅର୍ଜୁନୀ
———-
ଅର୍ଜୁନୀ ଚରଣ ବେହେରା
ମୋ -7693091971