ନୋଏଡା ସେକ୍ଟର ୬୧ର ସ୍ବର୍ଣ୍ଣ କ୍ଷେତ୍ରରେ ରଥଯାତ୍ରା ଆୟୋଜନ
ନୋଏଡା ତା ୧୬.୦୭ରିଖ ; ନୋଏଡାର ସେକ୍ଟର ୬୧ ସ୍ଥିତ ରୟାଲ ଗାର୍ଡେନ ଇଷ୍ଟେଟ ପରିସରରେ ଅବସ୍ଥିତ ଶ୍ରୀ ସ୍ବର୍ଣ୍ଣ କ୍ଷେତ୍ର ଠାରେ ମହାସମାରୋହରେ ରଥଯାତ୍ରା ଉତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ପବିତ୍ର ପାର୍ବଣ ଉପଲକ୍ଷେ ବଢ଼ି ଭୋରରୁ ମନ୍ଦିର ମଧ୍ୟରେ ହୀନ୍ଦୁ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସକାଳ ୮ ଟା ସମୟରେ ଠାକୁରମାନଙ୍କର ଘୋଡ଼ାଗାଡ଼ି ରଥକୁ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା ।
ପ୍ରଥମ ଥର ପାଇଁ ଏଠାରେ ଆୟୋଜିତ ହେଉଥିବା ରଥଯାତ୍ରାରେ ନୋଏଡାର ସେକ୍ଟର ୬୧, ୫୨, ୫୩ ଓ ୩୩ ରେ ବସବାସ କରୁଥିବା ଓଡ଼ିଆ ଏବଂ ଅଣ-ଓଡ଼ିଆ ପ୍ରାୟ ୨୦୦୦ ଭକ୍ତଙ୍କର ସମାଗମ ଘଟିଥିବା ଦେଖାଯାଇଥିଲା । ହୀନ୍ଦୁ ସମ୍ମିଳନୀ ସମିତି, ରୟାଲ ଗାର୍ଡେନ ଇଷ୍ଟେଟ ମନ୍ଦିର ସମିତି ଓ ସାମୁଦାୟିକ ବିକାଶ ସମିତିର ମିଳିତ ସହଯୋଗରେ ଆୟୋଜିତ ଏହି ଘୋଷଯାତ୍ରାକୁ କେନ୍ଦ୍ର କରି ଉପସ୍ଥିତ ଶ୍ରଦ୍ଧାଳୁ ଓ ସଙ୍ଗଠକ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ ଓ ଉତ୍ସାହ ଦେଖିବାକୁ ମିଳିଥିଲା ।




ମୁଖ୍ୟ ଆୟୋଜକ ବିଶିଷ୍ଟ ସମାଜସେବୀ ତଥା ପ୍ରସିଦ୍ଧ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଡକ୍ଟର ମନୋରଞ୍ଜନ ମହାନ୍ତିଙ୍କର ସକ୍ରୀୟ ତତ୍ତ୍ୱାବଧାନରେ ୨୦୦ ସ୍ବେଚ୍ଛାସେବକଙ୍କ ଦ୍ୱାରା ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ କରାଯାଇଥିଲା ।
ଏଠାରେ ଭାରତ ସରକାରଙ୍କ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛେରା ପହଁରା କାର୍ଯ୍ୟ ବିଧିମୁତାବକ ସମ୍ପନ୍ନ କରିଥିଲେ । ଏହାପରେ ସକାଳ ୮:୩୦ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଚାରି ଠାକୁର ବିଦ୍ୟମାନ ଥିବା ସୁନ୍ଦର, ସୁଶୋଭିତ ଓ ସୁସଜ୍ଜିତ ଘୋଡ଼ାଗାଡ଼ିଟିକୁ ସେକ୍ଟର ୬୧ ସ୍ଥିତ କମ୍ୟୁନିଟି ସେଣ୍ଟର ପର୍ଯ୍ୟନ୍ତ ନିଆଯାଇ ଥିଲା । ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଭକ୍ତ ଛିଡ଼ା ହୋଇ ଜଗତର ନାଥ ଜଗନ୍ନାଥଙ୍କର ଦର୍ଶନର ସାନ୍ନିଧ୍ୟ ଲାଭ କରି ନିଜକୁ କୃତକୃତ୍ୟ ମଣୁଥିବାର ଦୃଶ୍ୟ ହୃଦୟସ୍ପର୍ଶୀ ଥିଲା । ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ଜଗନ୍ନାଥ, ଶ୍ରୀ ବାଲଭଦ୍ର , ମାତା ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ୧୬ ଜୁଲାଇରୁ ୨୪ ଜୁଲାଇ ପର୍ଯ୍ୟନ୍ତ ୯ ଦିନ ଧରି କମ୍ୟୁନିଟି ସେଣ୍ଟର ସ୍ଥିତ ମାଉସୀ ମା ଘରେ ରହି ୨୪ ଜୁଲାଇକୁ ବାହୁଡା଼ ଯାତ୍ରା କରି ରୟାଲ ଗାର୍ଡେନ ସ୍ଥିତ ଶ୍ରୀ ସ୍ବର୍ଣ୍ଣ କ୍ଷେତ୍ର ମନ୍ଦିରକୁ ଫେରିବେ ବୋଲି ଜଣାଯାଇଛି।
ଏଠାରେ ସାହାରନପୁରରୁ ଆସିଥିବା ପ୍ରସିଦ୍ଧ ଆଧ୍ୟାତ୍ମିକବିତ୍ ଆଚାର୍ଯ୍ୟ ଅଜୟ କିରଣ ଆଜିଠାରୁ ଆରମ୍ଭ କରି ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଭାଗବତ କଥା ପ୍ରବଚନ ପ୍ରଦାନ କରିବେ ବୋଲି ଜଣାଯାଇଛି । ମନ୍ଦିରରେ ଜୁଲାଇ ୨୪ ତାରିଖରେ ବାହୁଡ଼ା ଯାତ୍ରା ମଧ୍ୟ ପ୍ରଥମ ଥର ପାଇଁ ଖୁବ୍ ଜାକଜମକରେ ଆୟୋଜନ କରାଯିବ ବୋଲି ହୀନ୍ଦୁ ସମ୍ମିଳନୀ ସମିତିର ସଭାପତି ଡକ୍ଟର ମନୋରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି । ଏହି ଧାର୍ମିକ ଓ ସାଂସ୍କୃତିକ ମହୋତ୍ସବର ସବିଶେଷ ବିବରଣୀକୁ ‘ଆରମ୍ଭ ଟିଭି’ ମାଧ୍ୟମରେ ସିଧା ପ୍ରସାରଣ କରାଯିବ ବୋଲି ମନ୍ଦିର ସୂତ୍ରରୁ ପ୍ରକାଶ ।