ଭୁବନେଶ୍ବର: ସେଦିନ ନାବାଳିକାଙ୍କ ସରଳ ବିଶ୍ବାସରେ ବିଷ ଦେଇ ତାଙ୍କୁ ଗର୍ଭବତୀ କରାଇଥିଲା ଅଭିଯୁକ୍ତ। ବିବାହର ପ୍ରଲୋଭନରେ ନାବାଳିକା ଗର୍ଭବତୀ ହୋଇଯିବା ପରେ ବଢ଼ିଥିଲା ସମସ୍ୟା। ବାହାଘର ହୋଇପାରିଲା ନାହିଁ। ଏଭଳି ଅବୈଧ କାର୍ଯ୍ୟ ପାଇଁ ଗିରଫ ହେଲା ଅଭିଯୁକ୍ତ। ସେ ଜେଲ୍ରେ ରହିବା ଭିତରେ ନାବାଳିକା ମା’ ହୋଇଗଲେ। ଏକ କନ୍ୟା ସନ୍ତାନ ଭୂମିଷ୍ଠ ହେଲା। ଦୁଇ ବର୍ଷ ବିତିଗଲା ଏବଂ ନାବାଳିକା ସାବାଳିକା ହୋଇଗଲେ। ତେଣୁ କୋର୍ଟ ଦୁହିଁଙ୍କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ପରାମର୍ଶ ଦେଲେ। ପୋକ୍ସ ଆକ୍ଟରେ ଗିରଫ ହୋଇ ଜେଲ୍ରେ କାଳ କାଟୁଥିବା ଅଭିଯୁକ୍ତ ରାଜି ହେଲେ ପୀଡ଼ିତାଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କରିବାକୁ। ଏମିତିକି କନ୍ୟା ସନ୍ତାନକୁ ବି ଗ୍ରହଣ କରିବାକୁ ସମ୍ମତି ଦେଲେ। ତେଣୁ ଜେଲ୍ରେ ତିଆରି ହେଲା ବାହାବେଦୀ। ବ୍ରାହ୍ମଣର ମନ୍ତ୍ରପାଠରେ ପଡ଼ିଲା ହାତଗଣ୍ଠି। ଏମିତି ଏକ ବାହାଘରରେ ଝାରପଡ଼ା ଜେଲ୍ ପରିସର କୋଳାହଳମୟ ହୋଇଉଠିଥିଲା। ଘଟଣାଟି ଥିଲା ଏମିତି; ୨୦୨୦ ମସିହାରୁ ଝାରପଡ଼ା ଜେଲ୍ରେ ବିଚରାଧୀନ କଏଦୀ ଭାବେ ରହିଆସୁଥିଲା ଜଟଣୀ ଅଞ୍ଚଳର ଆକାଶ ନାୟକ ଓରଫ୍ ବଣ୍ଟି। ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଟଣୀ ଥାନା ପୁଲିସ ତାକୁ ଜେଲ୍ ପଠାଇଥିଲା। ପ୍ରେମରେ ଫସାଇ ନାବାଳିକାଙ୍କୁ ଗର୍ଭବତୀ କରାଇବା ପରେ ଅଭିଯୁକ୍ତ ଆକାଶ ବିବାହ କରିବାକୁ ମନା କରିଦେବାରୁ ନାବାଳିକାର ପରିବାରଲୋକେ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ତେବେ ଆକାଶ ଜେଲ୍ରେ ଥିବା ଅବସ୍ଥାରେ ନାବାଳିକାଜଣକ ସାବାଳିକା ହୋଇସାରିଥିଲେ ଏବଂ କନ୍ୟା ସନ୍ତାନ ପ୍ରସବ କରିଥିଲେ। ଏହା ଜଣାପଡ଼ିବା ପରେ ଦୁହିଁଙ୍କ ବିବାହ କରାଇବାକୁ କୋର୍ଟ ପ୍ରସ୍ତାବ ଦେଇଥିଲେ। କୋର୍ଟଙ୍କ ପ୍ରସ୍ତାବରେ ଆକାଶ ମଧ୍ୟ ରାଜି ହୋଇଯାଇଥିଲେ। ପୋକ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଓ କାରଗାର ବିଭାଗର ଅନୁମତିକ୍ରମେ ଜେଲ୍ରେ ଏହି ବାହାଘର ସମ୍ପନ୍ନ ହୋଇଛି। ପୀଡ଼ିତାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ସାତ ଜନମର ସାଥୀ ଭାବେ ଶପଥ ନେଇଥିଲେ ଆକାଶ। ଉଭୟ ପରିବାରଲୋକ ଓ ବିଚାରାଧୀନ କଏଦୀମାନଙ୍କ ଉପସ୍ଥିତିରେ ଭୋଜିଭାତର ଆସର ବି ଜମିଥିଲା। ଏପରି ବିବାହ ଆୟୋଜନ କରାଇବା ଏକ ଜେଲ ସଂସ୍କାର କାର୍ଯ୍ୟକ୍ରମ ଏବଂ କଏଦୀଙ୍କୁ ଭଲ ବାର୍ତ୍ତା ଯିବ ବୋଲି କହିଛନ୍ତି ଜେଲ ସୁପରିନ୍ଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ବାଇଁ।
Sign in
Sign in
Recover your password.
A password will be e-mailed to you.
Comments are closed.