ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ

0

ଗଜପତି,୯ା୭(ମନୋଜ ପାଢ଼ୀ):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ ଆଶାକର୍ମୀଙ୍କୁ ନିଜ ସମ୍ପ୍ରଦାୟରେ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ଭିନ୍ନ ସମ୍ପକ୍ରଦାୟଙ୍କ ଘରକୁ ଯାଇ ଲୋକଙ୍କୁ ସ୍ବାସ୍ଥ୍ୟ ସମ୍ପର୍କିତସଚେତନ କରାଇଥିବାରୁ ତାଙ୍କୁ ସାମାଜିକ ବାସନ୍ଦ କରାଯିବା ସହ ୫ହଜାର ଟଙ୍କା ଜରିମାନା କରାଯାଇ ବିଭିନ୍ନ ଧମକଚମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି। ଘଟଣା ନେଇ ଆଶାକର୍ମୀ ଜଣକ ମଙ୍ଗଳବାର ଜିଲା ପ୍ରଶାସନ ସହ ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନାଙ୍କୁ ଭେଟିଛନ୍ତି।
ଖବରରୁ ଜଣାପଡିଛି, ଜିରାଙ୍ଗ ଗ୍ରାମର ଜଣେ ଆଶାକର୍ମୀ ସୁନନ୍ଦିନୀ ମିଶାଲ ସରକାରୀ ସ୍ବାସ୍ଥ୍ୟସେବା ଓ ଯୋଜନା ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେବାକୁ ଗତ ଜୁନ୍‌ ୧୨ ତାରିଖରେ ଖ୍ରୀଷ୍ଟିଆନ ସାହିର ଏକ ପରିବାର ନିକଟକୁ ଯାଇଥିଲେ। ସମ୍ପୃକ୍ତ ପରିବାରକୁ ସ୍ବାସ୍ଥ୍ୟସେବା ସମସ୍ୟା ସମ୍ପର୍କରେ ସଚେତନ କରିବା ସହ ଓଆର୍‌ଏସ୍‌ ପ୍ୟାକେଟ ଦେଇଥିଲେ। ଏଥିସହିତ ସରକାରଙ୍କ ଜନଗଣନା କାର୍ଯ୍ୟକ୍ରମର ତଥ୍ୟ ମଧ୍ୟ ସଂଗ୍ରହ କରିଥିଲେ। ମାତ୍ର ଏହି କାର୍ଯ୍ୟକୁ ନେଇ ତାଙ୍କ ସମ୍ପ୍ରଦାୟର କେତେ ଜଣ ବ୍ୟକ୍ତି ଓ ଖ୍ରୀଷ୍ଟିୟାନ ମଣ୍ଡଳୀ ପକ୍ଷରୁ ତାଙ୍କୁ ୫ ହଜାର ଟଙ୍କା ଜରିମାନା କରାଯିବା ସହ ସମାଜରୁ ବହିଷ୍କାର କରାଯାଇଥିବା ଘୋଷଣା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଖ୍ରୀଷ୍ଟିଆନ ସାହିରେ ରହୁଥିବା ଅନ୍ୟ ଧର୍ମର ପରିବାରଙ୍କ ସହ କେହି ସମ୍ପର୍କ ରଖିଲେ କିମ୍ବା ସେମାନଙ୍କ ଘରକୁ ଗଲେ ୫ ହଜାର ଟଙ୍କା ଜରିମାନା ସହ ସାମାଜିକ ବାସନ୍ଦ କରାଯିବ ବୋଲି ତାଙ୍କ ସମ୍ପ୍ରଦାୟର କେତେଜଣ ଲୋକ ନିୟମ କରିଛନ୍ତି। ସେ ତାଙ୍କ ନିକଟକୁ ସରକାରୀ କାର୍ଯ୍ୟରେ ଯାଇଥିବା ଯୋଗୁ ଏହାକୁ ନେଇ ଘଟଣାଦିନ ସନ୍ଧ୍ୟାରେ ତାଙ୍କୁ ୨ଘଣ୍ଟା ଧରି ସମ୍ପୃକ୍ତ ବ୍ୟକ୍ତିମାନେ ବିଭିନ୍ନ ଧମକଚମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଜଣେ ଆଶାକର୍ମୀ ଭାବେ ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବା ତାଙ୍କର କର୍ତ୍ତବ୍ୟ। ସେହି କର୍ତ୍ତବ୍ୟ ପାଳନ ପାଇଁ ଯାଇ ତାଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିବାରୁ ସେ ପ୍ରଶାସନ ନିକଟରୁ ନ୍ୟାୟ ଚାହିଁଛନ୍ତି। ଏନେଇ ସେ ଦୁଇଦିନ ତଳେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ଦେବା ସହ ଜିରାଙ୍ଗ ଥାନାରେ ଏ ସମ୍ପର୍କିତ ଅଭିଯୋଗ କରିଛନ୍ତି। ପ୍ରଶାସନ ଏହାକୁ ଗୁରୁତର ରୂପେ ନେଇ ସମ୍ପୃକ୍ତ ଆଶାକର୍ମୀଙ୍କୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଏସ୍‌ପିଙ୍କୁ ପଚାରିବାରୁ ସେ କହିଲେ, ଆଶାକର୍ମୀଙ୍କ ଅଭିଯୋଗର ତଦନ୍ତ ପାଇଁ ଏସ୍‌ଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଞ୍ଜୁରାଣୀ ଜେନାଙ୍କୁ ପଚାରିବାରୁ ସେ କହିଲେ, ଅଭିଯୋଗ ଆସିବା ପରେ ଏହାକୁ ଭିତ୍ତି କରି ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେନା କହିଛନ୍ତି।

Leave A Reply

Your email address will not be published.