ବୈତରଣୀରେ ଆସିପାରେ ଛୋଟ ବନ୍ୟା;୯ରେ ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ

0

ଭୁବନେଶ୍ବର : ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବୈତରଣୀ କୂଳ ଲଂଘିବା ସ୍ଥିତିରେ ରହିଥିବା ବେଳେ ଏକ ଛୋଟ ବନ୍ୟା ଆସିବାର ଆଶଙ୍କା ରହିଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବାହ ବଢ଼ୁଛି। ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାରୁ ଆସନ୍ତା ୯ତାରିଖ ଦିନ ୧୧ଟାରେ ହୀରାକୁଦ ଜଳଭଣ୍ଡାର ଗେଟ୍‌ ଖୋଲିବ ଏବଂ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଜଳଭଣ୍ଡାର ଗେଟ୍ ଖୋଲିବା ପରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି। ଏଥିପ୍ରତି ମହାନଦୀ ଏବଂ ଏହାର ଶାଖା ନଦୀରେ କୂଳରେ ବସବାସ କରୁଥିବା ଜନସାଧାରଣଙ୍କୁ ସତର୍କ ରହିବାକୁ ସୂଚନା ଜାରି ହୋଇଛି। ଅପରପ​‌କ୍ଷେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଜଳସମ୍ପଦ ବିଭାଗର ସୂଚନାନୁଯାୟୀ, ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୦୪.୧୨ଫୁଟ ଛୁଇଁଛି। ହୀରାକୁଦ ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ଫୁଟ।
ଉପରମୁଣ୍ଡରେ ପ୍ରବଳ ବର୍ଷା ଥିବାରୁ ମଧ୍ୟାହ୍ନ ୧୨ଟା ବେଳେ ହୀରାକୁଦ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୯୬,୧୪୩ କ୍ୟୁସେକ ଜଳ ପ୍ରବେଶ କରୁଥିଲା। କିନ୍ତୁ ସନ୍ଧ୍ୟା ୬ଟା ବେଳକୁ ଜଳ ପ୍ରବାହ କ୍ଷମତା ପ୍ରତି ସେକେଣ୍ଡରେ ୮୯,୩୫୮କ୍ୟୁସେକକୁ ହ୍ରାସ ପାଇଥିଲା। ହେଲେ ଛତିଶଗଡ଼ରେ ଲଗାଣ ବର୍ଷା ଜାରି ରହିଥିବାରୁ ମଙ୍ଗଳବାର ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବାହ ବଢ଼ିବାର ସମ୍ଭାବନା ରହିଛି। ପାୱାର ଚ୍ୟାନେଲ ଏବଂ କେନାଲ ନେଇ ପ୍ରତି ସେକେଣ୍ଡରେ ୨୨, ୨୬୪କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମହାନଦୀର ନରାଜଠାରେ ବିପଦ ସଙ୍କେତ ୨୬.୪୧ମିଟର ଥିବାବେଳେ ୨୩.୫୭ମିଟରରେ ପ୍ରଥମ ବନ୍ୟାଜଳ ପ୍ରବାହ କରୁଥିଲା। ଗତକାଲି ଅପେକ୍ଷା ନରାଜଠାରେ ଜଳସ୍ତର ବଢ଼ୁଥିବା ଜଣାପଡିଛି।
ବୈତରଣୀ ଉପରମୁଣ୍ଡରେ ଅତି ପ୍ରବଳ ବର୍ଷା ହୋଇଥିବାରୁ ଆଖୁଆପଦା ଏବଂ ଆନନ୍ଦପୁରଠାରେ ଜଳସ୍ତର ବଢ଼ିବାରେ ଲାଗିଛି। ସନ୍ଧ୍ୟା ୬ଟା ସୁଦ୍ଧା ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ମିଟର ଥିବା ବେଳେ ୧୮.୨୬ମିଟରରେ ଜଳ ପ୍ରବାହ କରୁଥିଲା। ଅର୍ଥାତ ବିପଦ ସଙ୍କେତ ନିକଟରେ ବନ୍ୟାଜଳ ପ୍ରବାହ କରୁଛି। ଏଠାରେ ଜଳସ୍ତର ବୃଦ୍ଧି ପାଉଛି। ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ମିଟର ଥିବା ବେଳେ ସନ୍ଧ୍ୟା ୬ଟାରେ ୩୬.୬୫ମିଟରରେ ବନ୍ୟାଜଳ ପ୍ରବାହ କରୁଥିଲା। ଏଠାରେ ବୈତରଣୀ ବଢ଼ୁଥିବାରୁ ଭଦ୍ରକ ଏବଂ ଯାଜପୁର ଜିଲାର କିଛି ଅଞ୍ଚଳ ବନ୍ୟାରେ ପ୍ରବାହିତ ହେବାର ସମ୍ଭାବନା ରହୁଛି। କେନ୍ଦୁଝର ଜିଲାର କିଛି ଅଞ୍ଚଳ ବନ୍ୟାରେ ପ୍ରବାହିତ ହୋଇପାରେ। ଜଳ ସମ୍ପଦ ବିଭାଗ ପକ୍ଷରୁ ଜିଲା ପ୍ରଶାସନକୁ ଏସମ୍ପର୍କରେ ଅବଗତ କରାଯାଇଥିବା ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି।
ବଂଶଧାରା ଗୁଣପୁରରେ ବିପଦ ସଙ୍କେତ ୮୪ମିଟର ଥିବା ବେଳେ ସନ୍ଧ୍ୟା ୬ଟାରେ ୮୦.୫୭ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଥିଲା। କାଶିନଗରରେ ବିପଦ ସଙ୍କେତ ୫୪.୬୦ ମିଟର ଥିବାବେଳେ ୫୨.୩୨ ମିଟରରେ ଜଳ ପ୍ରବାହ କରୁଥିଲା। ବଂଶଧାରା ଗୁଣପୁରଠାରେ ସ୍ଥିର ଥିବା ବେଳେ କାଶିନଗରରେ ବଢ଼ୁଛି। କିନ୍ତୁ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ କହୁଛି। ଲଗାଣ ବର୍ଷାରେ ସାରା ରାଜ୍ୟରେ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଗାଁଠାରୁ ସହର ସବୁଠି ବର୍ଷାପାଣି ଲହଡ଼ି ମାରୁଛି। ରାସ୍ତାଘାଟ ବୁଡ଼ିଯିବାରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଅନେକ ଅଞ୍ଚଳ। ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ବୌଦ୍ଧରେ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ମୟୂରଭଞ୍ଜ ଜିଲାର ଉଦଳାର କଇଁସାରି ଜାମୁଘାଟ ପୋଲ ଉପରେ ପାଣି ଯୋଗୁଁ ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଆସନ୍ତା ୯ ତାରିଖ‌ରେ ହୀରାକୁଦ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିବ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ସୋମବାର ୬୦୩.୮୯ଫୁଟ୍‌ରେ ପହଞ୍ଚିଛି ଜଳସ୍ତର। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୯୩,୩୨୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ବିଭିନ୍ନ ମାଧ୍ୟମରେ ୨୩,୩୦୯ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି। ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ୯ତାରିଖ ପୂର୍ବାହ୍ନ ୧୧ଟାରେ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏହାଦ୍ବାରା ମହାନଦୀ ଓ ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାକୁ ଥିବାରୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ନଦୀବନ୍ଧର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସତର୍କ ସୂଚନା ଜାରି କରିଛନ୍ତି। ଗତବର୍ଷ ଜୁଲାଇ ୬ ତାରିଖ ଏବଂ ୨୦୨୪ ମସିହା ଜୁଲାଇ ୨୮ତାରିଖ‌‌ରେ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଡ୍ୟାମ୍‌ର ଉପର ଓ ତଳମୁଣ୍ଡରେ ବର୍ଷା, ଜଳପ୍ରବାହ ଏବଂ ଜଳସ୍ତର ନିରୀକ୍ଷଣ ପାଇଁ ଥିବା ୧୨ଟି ଯାକ ଓୟାରଲେସ୍‌ ଷ୍ଟେସନ୍‌କୁ ସକ୍ରିୟ କରାଯାଇଛି।

Leave A Reply

Your email address will not be published.