ବିରହ ବେଦନା

ଅମରନାଥ ବାରିକ୍

0

ବିରହ ବେଦନା
ଅମରନାଥ ବାରିକ୍

କରିଥିଲ ମୋର ଜୀବନ ସାର୍ଥକ
ଜୀବନ ସାଥୀଟେ ହୋଇ
ଆଜି କାହିଁ ଗଲ ଦୂର ରାଇଜ କୁ
ଶଙ୍ଖା ସିନ୍ଦୂର ଲିଭେଇ ।

କାହିଁ ଗଲ ତୁମେ ଅଧା ବାଟେ ଛାଡ଼ି
ପାରୁନି ଏକା ମୁଁ ବଞ୍ଚି
ଦୁନିଆ ଦାଣ୍ଡରେ ସଭିଏଁ କୁହନ୍ତି
ବିଧବା ଠୁଁ ରୁହ ଘୁଞ୍ଚି ।

କେମିତି କହିବି ମନର ବେଦନା
କିଏ ବା ଶୁଣିବ ମୋର
ତମେ ରହିଗଲ ଆରପାରି ଠାରେ
ଦୁଃଖ ଅମାପ ମୋହର ।

ତମେ ଦେଇଥିବା ସୁହାଗ ସିନ୍ଦୂର
ପୋଛି ଦେଲେ ଏଇମାନେ
ଭାଙ୍ଗିଦେଲେ ଶଙ୍ଖା ଛନ୍ଦି ମୋର ହାତ
ରହିଲି ମୁହିଁ ମଉନେ ।

ଆଜିଠାରୁ ହେବ ମନ୍ଦିର ନିଷେଧ
ଯିବାପାଇଁ ଦିଅଁ ଦେଖି
ମନର ଦେବତା ଏକା କରିଗଲ
ପାଷାଣଟେ କରି ରଖି ।

ହତଭାଗିନୀ ମୁଁ ହତାଦାର ହେଲି
ହତବମ୍ଭ ହୋଇଗଲି
କାହା ପାଇଁ ଆଉ ହୋଇବି ସରାଗ
ଖୋସିବି ଗଜରା ମଲ୍ଲି ।

କା ପାଇଁ ପିନ୍ଧିବି ମଥାରେ ସିନ୍ଦୂର
କିଏବା ଦେଖିବ ଆଉ
ଶତ ଇଛା ଥିଲେ ପିନ୍ଧି ପାରିବିନି
ଲୁହରେ ଭାସି ମୁଁ ଯାଉ ।

ଆଜିଠୁଁ ଲେଖିବି ଲୁହର କାହାଣୀ
ପୃଷ୍ଠା ପୃଷ୍ଠା କରି ଗଣି
ପଢ଼ିବି ନିଇତି ଶେଯରେ ଏକା ମୁଁ
ଶୂନ୍ୟରୁ ଆସିବ ଶୁଣି ।

କା ପାଇଁ ରଖିବି ଖାଇବା ପରଶି
ରହିବି କା ବାଟ ଚାହିଁ
କିଏ ବା ଖାଇବ ପାଖେ ମୋର ବସି
କାହାକୁ ବିଞ୍ଚିବି ମୁହିଁ ।

ସମାଜ ପାଇଁ ମୁଁ ବାଛନ୍ଦ ହୋଇଲି
ସୁଖର ଦ୍ୱାର ବାସନ୍ଦ
ଚାହିଁବେନି କେହି ବଦନକୁ ମୋର
କରିବେ ମୋତେ ବାସନ୍ଦ ।

ନେଇଯାଅ ମତେ ତୁମ ଦୁନିଆକୁ
ରହିବି ତୁମ ପାଖରେ
ବିଷମ ଜଞ୍ଜାଳ ବଡ଼ ଭୟଙ୍କର
ଏକା ଏକା ଦୁନିଆଁରେ ।

ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧
ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ

Leave A Reply

Your email address will not be published.