ନମିତା ଟପ୍ପୋଙ୍କ ଅବସର: ଅତୁଳନୀୟ ଅବଦାନ ଲାଗି କୃତଜ୍ଞତା ଜଣାଇଲା ହକି ଇଣ୍ଡିଆ

ଭୁବନେଶ୍ବର/ରାଉରକେଲା: ଓଡ଼ିଆ ତାରକା ନମିତା ଟପ୍ପୋ ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଲିଲିମା ମିଞ୍ଜ ଓ ଦୀପଗ୍ରେସ୍ ଏକ୍କାଙ୍କ ସହ ମିଶି ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ମଧ୍ୟ ଓ ରକ୍ଷଣ ଭାଗକୁ ଦୃଢ଼ତାର ସହ ସମ୍ଭାଳିଥିବା ନମିତାଙ୍କ ଅବସର ପରେ ଭାରତୀୟ ହକିରେ ଏକ ଜାଜ୍ଜ୍ବଲ୍ୟମାନ ଯୁଗର ଅବସାନ ଘଟିଛି। ଭାରତୀୟ ହକିର ଏହି ‘ଫାଭ୍-ଥ୍ରୀ’ ଓଡ଼ିଆ ତାରକାଙ୍କ ମଧ୍ୟରୁ ଲିଲିମା ପୂର୍ବରୁ ଅବସର ଘୋଷଣା କରିସାରିଥିଲା ବେଳେ ନମିତା ବି ଭାରତୀୟ ଦଳରୁ ସନ୍ୟାସ ନେଇଛନ୍ତି। ଏବେ କେବଳ ଦୀପଗ୍ରେସ୍ ଏକ୍କା ଭାରତୀୟ ଦଳରେ ରହି ଓଡ଼ିଶାର ସୁନାମକୁ ବଢ଼ାଉଛନ୍ତି। ଅବଶ୍ୟ ନମିତା ଅବସର ନେବା ପରେ ଓଡ଼ିଶାର ଅନେକ ପ୍ରତିଭାବାନ ଖେଳାଳି ତାଙ୍କ ସ୍ଥାନ ନେବାର ଦକ୍ଷତା ରଖନ୍ତି। ଅବସର ଘୋଷଣା ପରେ ଦୁଇଥର ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ନମିତାଙ୍କ ଭାରତୀୟ ହକି ପାଇଁ ଅତୁଳନୀୟ ଅବଦାନ ଲାଗି ହକି ଇଣ୍ଡିଆ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁ‌ଭେଚ୍ଛା ଓ ଶୁଭକାମନା ଜଣାଇଛି।

୨୭ ବର୍ଷୀୟା ନମିତା ରାଉରକେଲାର ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ନିଜ ହକି ଜୀବନ ଆରମ୍ଭ କରିଥିଲେ। ୨୦୦୭ ମସିହାରେ ଓଡ଼ିଶା ଦଳର ପ୍ରତିନିଧିତ୍ବ କରି ଜାତୀୟ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିବାକୁ ସକ୍ଷମ ‌ହୋଇଥିଲେ ସେ। ୨୦୧୧ରେ ୧୮ ବର୍ଷରୁ କମ୍ ଏସିଆ କପ୍ ହକି ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇବା ତାଙ୍କ ଖେଳ ଜୀବନକୁ ନୂଆ ମୋଡ଼ ଦେଇଥିଲା। ବ୍ୟାଂକକ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ କାଂସ୍ୟ ପଦକ ଜିତିଥିଲା। ଜାତୀୟ ପ୍ରଶିକ୍ଷଣ ଶିବିରରେ କଠିନ ପରିଶ୍ରମ କରିବା ସହ ଘରୋଇ ହକିରେ ନିଜ ଅସାଧାରଣ ଏକାଗ୍ରତା ଲାଗି ୨୦୧୨ ମସିହାରେ ଭାରତୀୟ ବରିଷ୍ଠ ମହିଳା ଦଳ ଲାଗି ମନୋନୀତ ହୋଇଥିଲେ ସେ। ଆୟର୍ଲାଣ୍ଡର ଡବଲିନଠାରେ ସେହିବର୍ଷ ଖେଳାଯାଇଥିବା ଏଫ୍‌ଆଇଏଚ୍ ଚାମ୍ପିଅନ୍ସ ଚ୍ୟାଲେଞ୍ଜ୍‌ ହକି ଥିଲା ବରିଷ୍ଠ ସ୍ତରୀୟ ମହିଳା ହକିରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା। ୨୦୧୩ରେ ଜର୍ମାନୀର ମଞ୍ଚେନଗ୍ଲାଡବ୍ୟାକ୍‌ଠାରେ ଆୟୋଜିତ କନିଷ୍ଠ ବିଶ୍ବକପ୍‌ ହକିରେ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ‌ଗୌରବ ଆଣିଥିଲେ ନମିତା। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିନଥିଲେ। ଏଫ୍‌ଆଇଏଚ୍ ବିଶ୍ବ ଲିଗ୍ ରାଉଣ୍ଡ-୨ରେ ସ୍ବର୍ଣ୍ଣପଦକ, ତୃତୀୟ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ପଦକ ଏବଂ ଅଷ୍ଟମ ମହିଳା ଏସିଆ କପ୍‌, ୨୦୧୪ ସପ୍ତଦଶ ଏସୀୟ କ୍ରୀଡ଼ା, ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିଲେ ସେ। ୨୦୧୭ ମହିଳା ଏସିଆ କପ୍‌ ଏବଂ ୨୦୧୮ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ ସେ।

ନମିତା କହିଛନ୍ତି ଯେ ପିଲାଟି ଦିନରୁ ଭାରତୀୟ ଦଳ ପକ୍ଷରୁ ଖେଳିବାର ଯେଉଁ ସ୍ବପ୍ନ ଥିଲା, ତାହା ନିଷ୍ଠାପର ଅଭ୍ୟାସ ବଳରେ ସମ୍ଭବ ହୋଇପାରିଛି। ଗତ ଏକ ଦଶନ୍ଧି ଧରି ଭାରତୀୟ ଦଳର ପ୍ରତିନିଧିତ୍ବ କରିବା ହେଉଛି ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ। ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଆରମ୍ଭ ହୋଇଥିବା କ୍ରୀଡ଼ା ଜୀବନରୁ ଭାରତୀୟ ଦଳରେ ପ୍ରତିନିଧିତ୍ବ କରିବା ପର୍ଯ୍ୟନ୍ତ; ବହୁ ପ୍ରଶିକ୍ଷକ, ଦଳୀୟ କର୍ତ୍ତୃପକ୍ଷ, ସହ-‌କ୍ରୀଡ଼ାବିତ୍‌, ପରିବାର ସଦସ୍ୟଙ୍କ ଅତୁଳନୀୟ ଅବଦାନ ରହିଛି। ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ବଳରେ ମୋ ସ୍ବପ୍ନ ହାସଲ ହୋଇପାରିଛି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା କ୍ରୀଡ଼ା ବିଭାଗ, ସାଇ, ହକି ଇଣ୍ଡିଆ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟର ଅକୁଣ୍ଠ ସମର୍ଥନ ଯୋଗୁଁ ମୁଁ ଚିର ଋଣୀ। ସଂପ୍ରତି ଭାରତୀୟ ମହିଳା ହକି ଦଳ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି। ବିଶେଷକରି ଗତ ଦଶନ୍ଧି ଧରି ଭାରତୀୟ ମହିଳା ହକି ଦଳ ଯେଭଳି ସଫଳତା ହାସଲ କରିଛି; ତାହା ନିଶ୍ଚିତଭାବେ ସନ୍ତୋଷଜନକ। ଜୀବନର ନୂଆ ସୋପାନରେ ପାଦ ଥାପିବାକୁ ଯାଉଛି। ତଥାପି ଭାରତୀୟ ଦଳ ପାଇଁ ସବୁବେଳେ ଅନ୍ତରରୁ ସମର୍ଥନ ବଳବତ୍ତର ରହିବ। ଭାରତ ପକ୍ଷରୁ ୧୬୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଲିଛନ୍ତି ନମିତା। ଟୋକିଓ ଅଲିମ୍ପିକ୍ସ୍‌ ପାଇଁ ଭାରତୀୟ ମହିଳା ଦଳରେ ମଧ୍ୟ ସାମିଲ ଥିଲେ।

ଏହାପରେ ଭାରତୀୟ ଦଳ ସହ ଶିବିରରେ ସାମିଲ ହୋଇଥିଲେ ମଧ୍ୟ ଆହତ ସମସ୍ୟାରୁ ଶତପ୍ରତିଶତ ମୁକୁଳି ପାରିନଥିଲେ। ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଯଉରାମାଲରେ ଜନ୍ମିତ ନମିତା। ବାପା ଠବୋ ଟପ୍ପୋ ଓ ମା ଚକ୍ରବତୀ ଟପ୍ପୋଙ୍କ ଔରସରୁ ଜନ୍ମଗ୍ରହଣ କରିଥିବା ନମିତାଙ୍କ ୯ ଭାଇ ଭଉଣୀ ଅଛନ୍ତି। ସେମାନେ ହେଉଛନ୍ତି ବସନ୍ତ ଟପ୍ପୋ, ଲଳିତା ଟପ୍ପୋ, ସୁନୀତା ଟପ୍ପୋ, ମନୋଜ ଟପ୍ପୋ, ଦିଲୀପ ଟପ୍ପୋ, ପରମିତା ଟପ୍ପୋ, ପ୍ରତିଭା ଟପ୍ପୋ ଓ ବୀନିତା ଟପ୍ପୋ। ପରିବାର ପାଇଁ ରୋଜଗାରର ଏକମାତ୍ର ମାଧ୍ୟମ ଥିଲା ଚାଷ। ସ୍ବଳ୍ପ ଜମିରୁ ଯାହା ଆୟ ହେଉଥିଲା ସେଥିରେ ଚଳୁଥିଲା ପୁରା ପରିବାର। ହେଲେ ନମିତାଙ୍କ ସମଗ୍ର ପରିବାର ହକି ପ୍ରତି ସମର୍ପିତ ଥିଲେ। ପ୍ରାୟ ସବୁ ଭାଇ ଭଉଣୀ ଗାଁ’ରେ ହକି ଖେଳୁଥିବା ବେଳେ ବଡ଼ଭାଇ ବସନ୍ତ ଓ ଦିଲୀପ ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିଥିଲେ। ଭାଇମାନଙ୍କୁ ହକି ଖେଳୁଥିବା ଦେଖି ଏଥି ଖେଳପ୍ରତି ନମିତା ଆକୃଷ୍ଟ ହୋଇଥିଲେ।

Comments are closed.