ପ୍ରଥମ ଟି-୨୦ରେ ଭାରତ ବିଜୟୀ

ଇଙ୍ଗଲିଶଙ୍କ ଶତକ ବେକାର ସୂର୍ଯ୍ୟ, ଈଶାନଙ୍କ ଅର୍ଦ୍ଧଶତକ

ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟ ପରେ ଭାରତୀୟ ଦଳ ଖେଳିଥିବା ପ୍ରଥମ ଟି-୨୦ ମ୍ୟାଚରେ ବିଜୟୀ ହୋଇଛି । ଗୁରୁବାର ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୨ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷନଙ୍କ ଅର୍ଦ୍ଧଶତକ ଆଗରେ ଜୋଶ ଇଙ୍ଗଲିଶଙ୍କ ଶତକ ବେକାର ସାବ୍ୟସ୍ତ ହୋଇଛି। ଏହି ବିଜୟ ଭାରତୀୟ କ୍ରିକେଟପ୍ରେମୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି । ଏଥି ସହତି ଭାରତ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି।
ଅଷ୍ଟ୍ରେଲିଆ ଜୋଶ ଇଙ୍ଗଲିଶଙ୍କ ୧୧୦ରନ ବଳରେ ୨୦୮ରନ କରିଥିଲା। ଜବାବରେ ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ୮୦ ଓ ଇଶାନ କିଷନଙ୍କ ୫୮ରନ ବଳରେ ୮ ୱିକେଟ ହରାଇ ​ଶେଷ ବଲରେ ୨୦୯ରନ କରି ବିଜୟୀ ହୋଇଥିଲା।
୨୦୯ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ୨୨ରନରେ ଦୁଇ ଓପନର ଋତୁରାଜ ଗାଏକ୍ବାର୍ଡ(୦) ଓ ଯଶସ୍ବୀ ଜୟସୱାଲ (୨୧)ଙ୍କ ୱିକେଟ ହରାଇଥିଲା । ତୃତୀୟ ୱିକେଟରେ ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ୬୦ଟି ବଲରୁ ୧୧୨ ସଂଗ୍ରହ କରିଥିଲେ। ସ୍କୋର ୧୩୪ରନ ଥିବାବେଳେ ଇଶାନ କିଷନ ୩୯ଟି ବଲରୁ ୨ଟି ଚୌକା ଓ ୫ଟି ଛକା ସହ ୫୮ରନ କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ସୂର୍ଯ୍ୟକୁମାର ଓ ତିଲକ ବର୍ମା ୨୦ରନ ଭାଗିଦାରୀ କରିଥିଲେ। ୧୫୪ରନ ସ୍କୋର ଥିବାବେଳେ ତିଲକ ୧୨ରନ କରି ଆଉଟ୍‌ ହୋଇଥିଲେ। ୫ମ ୱିକେଟରେ ସୂର୍ଯ୍ୟକୁମାର ଓ ରିଙ୍କୁ ସିଂହ ୪୦ରନ ଭାଗିଦାରୀ କରିବା ସହିତ ସ୍କୋର ୧୯୪ରନରେ ପହଞ୍ଚାଇଥିଲେ। ସୂର୍ଯ୍ୟକୁମାର ୪୨ଟି ବଲରୁ ୯ଟି ଚୌକା ଓ ୪ଟି ଛକା ସହ ୮୦ରନ କରି ଆଉଟ୍‌ ହୋଇଥିଲେ। ରିଙ୍କୁ ୧୪ଟି ବଲରୁ ୪ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୨୨ ରନ କରି ଭାରତକୁ ଜିତାଇଥିଲେ। ଅଷ୍ଟ୍ରେଲିଆ ତନବୀର ସାଙ୍ଘା ୨ଟି, ପକ୍ଷରୁ ମାଥ୍ୟୁ ସର୍ଟ ଓ ସେନ୍‌ ଆବର୍ଟ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ନୂତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ପାଇଁ ଷ୍ଟିଭେନ୍‌ ସ୍ମିଥ୍‌ ଓ ମାଥ୍ୟୁ ସର୍ଟ ଓପନିଂ କରିଥିଲେ। ଉଭୟେ ପ୍ରଥମ ୱିକେଟରେ ୩୧ରନ ସଂଗ୍ରହ କରିଥିଲେ। ସର୍ଟ ୧୩ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ସ୍ମିଥ୍‌ ଓ ଜୋଶ ଇଙ୍ଗଲିସ ଦ୍ରୁତ ଗତିରେ ରନ କରିଥିଲେ। ଅଷ୍ଟ୍ରେଲିଆ ୧୦ ଓଭରରେ ଅଷ୍ଟ୍ରେଲିଆ ୮୩ରନ କରିବା ସହିତ ୧୧.୩ ଓଭରରୁ ୧୦୦ରନ ପୂରଣ କରିଥିଲା। ଉଭୟେ ଦ୍ବିତୀୟ ୱିକେଟ ପାଇଁ ୧୩୦ରନ ସଂଗ୍ରହ କରିଥିଲେ। ସ୍କୋର ୧୬୧ରନ ଥିବାବେଳେ ସ୍ମିଥ୍‌ ୫୨ରନ କରି ଆଉଟ୍‌ ହୋଇଥିଲେ। ଇଙ୍ଗଲିଶ ୪୭ଟି ବଲରୁ ଶତକ ପୂରଣ କରିଥିଲେ। ୩ୟ ୱିକେଟରେ ମାର୍କୋସ ଷ୍ଟୋଇନିସ ଓ ଇଙ୍ଗଲିସ ୧୯ରନ ଯୋଡ଼ିବା ସହିତ ସ୍କୋରକୁ ୧୮୦ରନରେ ପହଞ୍ଚାଇଥିଲେ। ଇଙ୍ଗଲିଶ ୫୦ଟି ବଲରୁ ୧୧ଟି ଚୌକା ଓ ୮ଟି ଛକା ସହ ୧୧୦ରନ କରି ଆଉଟ୍‌ ହୋଇଥିଲେ। ଟିମ୍‌ ଡେଭିଡ୍‌ ୧୯ ଓ ଷ୍ଟୋଇନିସଙ୍କ ଅପରାଜିତ ୯ରନ ବଳରେ ଅଷ୍ଟ୍ରେଲିଆ ୩ ୱିକେଟ ହରାଇ ୨୦୮ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ରବି ବିଷ୍ଣୋୟି, ପ୍ରସିଦ୍ଧ କ୍ରିଷ୍ଣା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ୨୬ରେ ଦ୍ବିତୀୟ ଟି୨୦ ମ୍ୟାଚ ତିରୁଅନନ୍ତପୁରମରେ ଖେଳାଯିବ  ।

Comments are closed.