ବାପା
ଅମରନାଥ ବାରିକ୍
ଆମ ପାଇଁ ସେ ପରାଣ ଦିଏ
କାନ୍ଧେ ବସାଇ ମେଳାକୁ ନିଏ
ସିଏ ଆମ ଠାକୁର,
ଯା’ ହାତ ଧରି ଚାଲି ଶିଖିଲେ
ଯା’ ଠାରୁ ଆମେ କଥା ସିଖିଲେ
ସିଏ ବାପା ଆମର ।
ବାପା କାନ୍ଧରେ ପକାଇ ଥାନ୍ତି
ଝାଳ ବୋହିଲେ ପୋଛି ଦିଅନ୍ତି
ନିତି ପଡ଼ଇ ଖୋଜା,
ଢାଉଆ ରଙ୍ଗ ଭାରି ସୁନ୍ଦର
ସୂତାରେ ଗଢ଼ା ହୁଏ ଆଦର
ବାପାଙ୍କ ଏ ଗାମୁଛା ।
ହାତରେ ଧରି ଶାସନ କରି
କଠୋର କଥା କୁହନ୍ତି ମାରି
ଆମ ପାଇଁ ତ ହିତ,
ପାହାର ବସେ ଦୃଷ୍ଠାମି କଲେ
ଚାଇଁ ଚାଇଁ ତା’ କଷଣ ଭଲେ
ବାପାଙ୍କର ସେ ବେତ ।
ଆମକୁ ମାରି ଲୁଚି କାନ୍ଦନ୍ତି
ଶୋଇଲା ବେଳେ ଆଉଁସି ଥାନ୍ତି
ଆଖିରୁ ଝରେ ଝର,
ଖୁସିରେ ଝରେ ଦୁଃଖରେ ଝରେ
ଓଠ ଚାପିକି ନିଗାଡ଼ି ଧିରେ
ଲୁହ ବାପା ଆଖିର ।
ଖାଲି ପାଦରେ ଯାଆନ୍ତି ଚାଲି
ସବୁ କଥାକୁ ମନରୁ ଭୁଲି
କଣ୍ଟା ହେଉ କି ନିଆଁ,
ବରଷ ଯାକ ଖଣ୍ଡେ କପଡ଼ା
ନ ପଡ଼େ ତାଙ୍କ ନୂତନ ଲୋଡ଼ା
ଜୀବନ ମାଟି ଧୂଆଁ ।
ଆମ ଜୀବନ ସାକାର ପାଇଁ
ଝଡ଼ ବତାସ ମାନନ୍ତି ନାହିଁ
ଦେହ ପାଆ ନା ଡ଼ର,
ଭୋକରୁ ପେଟେ ନିଜେ ରୁହନ୍ତି
ଆମକୁ ଆଣି ଖୁଆଇ ଥାନ୍ତି
ଏହି ଦେବତା ମୋର ।
ଯେତେ ଭାଙ୍ଗିଲେ ଦାମୀ ଜିନିଷ
ତଥାପି ବାପା ମୋଡ଼ନ୍ତି ନିଶ
କୁହନ୍ତି ହଉ ହେଲା,
ଆଉ ଆଣିବି କାନ୍ଦନା ତୁହି
ଯେତେ ପଇସା ଲାଗୁରେ ସେହି
ବୋଉ ଯା’ କହୁ ଭଲା ।
ଯେତେ ଲେଖିବି ବାପାଙ୍କ ପାଇଁ
ଅସରନ୍ତିର ଭଣ୍ଡାର ସେହି
ସରିବ କେତେ ଯୁଗ
ସେ ଥିବା ଯାଏଁ ମୁଁ ପରା ରାଜା
ତାଙ୍କରି ବିନା ମୁଁ ନୁହେଁ ଖୋଜା
ମୁଁ କେଉଁ ବନ ମୃଗ !
ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧
ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ