ଭୁବନେଶ୍ଵର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଜଡ଼ିତ କରି ସୋସିଆଲ୍ ମିଡିଆରେ ଏକ ମିଥ୍ୟା ପ୍ରଚାର କରାଯାଉଛି। ଆମେରିକାର ମେଲରୋଜ୍ ଅଞ୍ଚଳରେ ଥିବା ଏକ ଘର ତାଙ୍କ ସହ ଜଡ଼ିତ ବୋଲି ପ୍ରଚାର ଚାଲିଚି। କିନ୍ତୁ ସତ୍ୟ କ’ଣ? ଆସନ୍ତୁ ଜାଣିବା।
ପ୍ରଚାରିତ ଦାବି ଅନୁଯାୟୀ, ମେଲରୋଜ୍ରେ ଥିବା ଘରଟି ରାଜେନ୍ଦ୍ର ମହାପାତ୍ର ଓ ତାଙ୍କ ପତ୍ନୀ କୋମଳ ମହାପାତ୍ରଙ୍କ ନାମରେ ଥିବା କଥା କୁହାଯାଉଛି। ଏହି ଦମ୍ପତି ଆମେରିକାରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଏବଂ ବ୍ୟବସାୟ କରୁଥିବା ବୋଲି ଦାବି କରାଯାଇଛି। କିନ୍ତୁ ଯାଞ୍ଚ ପରେ ସ୍ପଷ୍ଟ ହୋଇଛି — ଏହି ଦାବି ସମ୍ପୂର୍ଣ୍ଣ ଭୁଲ୍ ଏବଂ ଭ୍ରମାତ୍ମକ। ଉପଲବ୍ଧ ରେକର୍ଡ ଓ ତଥ୍ୟ ଅନୁସାରେ, ଏହି ରାଜେନ୍ଦ୍ର ମହାପାତ୍ରଙ୍କ ଏବଂ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ତାଙ୍କ ପରିବାର ମଧ୍ୟରେ କୌଣସି ପାରିବାରିକ, ବ୍ୟକ୍ତିଗତ କିମ୍ବା ଆର୍ଥିକ ସମ୍ପର୍କ ନାହିଁ
ଓଡ଼ିଶାର ତାଳଚେର ଅଞ୍ଚଳର ମାଣିକମରା ଗ୍ରାମର ରାଜେନ୍ଦ୍ର କୁମାର ମହାପାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ପରିଚିତ ହୋଇପାରନ୍ତି, କିନ୍ତୁ ସେ ଏକ ସମ୍ପୂର୍ଣ୍ଣ ଭିନ୍ନ ବ୍ୟକ୍ତି। ତାଙ୍କ ପତ୍ନୀଙ୍କ ନାମ ଆରତୀ ମହାପାତ୍ର। ସେ କେବେ ଆମେରିକା ଯାଇନାହାନ୍ତି ଏବଂ ମେଲରୋଜ୍ ଘର ସହ ତାଙ୍କର କୌଣସି ସମ୍ପର୍କ ନାହିଁ। କେବଳ ସମାନ ନାମ ଓ ଉପନାମ ଥିବାରୁ ଏକ ବଡ଼ ଷଡ଼ଯନ୍ତ୍ର ରଚନା କରାଯାଇଥିଲା। ବିଭିନ୍ନ ତଥ୍ୟ ଓ ଅଫିସିଆଲ୍ ରେକର୍ଡର ଯାଞ୍ଚ ପରେ ପ୍ରମାଣିତ ହୋଇଛି ଯେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ କୌଣସି ଲିଙ୍କ୍ ନାହିଁ।
ଏହି ପ୍ରଚାର ପଛରେ କିଛି ସୋସିଆଲ୍ ମିଡିଆ ଆକାଉଣ୍ଟ୍ ସକ୍ରିୟ ଥିଲେ ବୋଲି ଅଭିଯୋଗ ହୋଇଛି। ବିଶେଷ କରି ‘McLean To Quantico’ ଆକାଉଣ୍ଟ୍ ବିରୋଧରେ ଭ୍ରାନ୍ତ ତଥ୍ୟ ପ୍ରସାରଣର ଅଭିଯୋଗ ଉଠିଛି। ଏହା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପରିବାରର ଭାବମୂର୍ତ୍ତି କ୍ଷୁଣ୍ଣ କରିବା ପାଇଁ ଏକ ସୁପରିଯୋଜିତ ପ୍ରୟାସ ବୋଲି କୁହାଯାଇପାରିବ।
ରାଜନୈତିକ ଜୀବନରେ ଏପରି ଭ୍ରାନ୍ତି ପ୍ରସାରଣ ନୂଆ ନୁହେଁ। କିନ୍ତୁ ସତ୍ୟ ସବୁବେଳେ ବିଜୟୀ ହୁଏ। ତଥ୍ୟ, ରେକର୍ଡ ଏବଂ ପ୍ରମାଣ ଆଧାରରେ ଆଲୋଚନା କରିବା ଆମ ସମସ୍ତଙ୍କ ଦାୟିତ୍ୱ। ସଚେତନ ରୁହନ୍ତୁ। ଭ୍ରାନ୍ତ ଖବର ସେୟାର କରିବା ପୂର୍ବରୁ ଯାଞ୍ଚ କରନ୍ତୁ।