ରାଜଧାନୀରେ ମ୍ୟାଙ୍ଗୋ ଫେଷ୍ଟିଭାଲ୍, ୧୦ ଯାଏଁ ଚାଲିବ ମେଳା

୧୬ ଜିଲ୍ଲାରୁ ସଂଗ୍ରହ ହୋଇଥିବା ବିଭିନ୍ନ ପ୍ରଜାତିର ଆମ୍ବ ଉପଲବ୍ଧ। ଆମ୍ବ ଚାଷୀଙ୍କୁ ସିଧାସଳଖ ବଜାର ସୁବିଧା ଯୋଗାଇବା ଲକ୍ଷ୍ୟ।

0

ଭୁବନେଶ୍ୱର : ରାଜଧାନୀରେ ଓରମାସ ପକ୍ଷରୁ ମ୍ୟାଙ୍ଗୋ ଫେଷ୍ଟିଭାଲ୍। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି ବା ଓରମାସ ପକ୍ଷରୁ ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬ ଆୟୋଜନ କରାଯାଉଛି। ଭୁବନେଶ୍ୱର ନନ୍ଦନକାନନ ପଟିଆଠାରେ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଉତ୍ସବର ଶୁଭାରମ୍ଭ କରିଛନ୍ତି।

ରାଜ୍ୟର ଆମ୍ବ ଚାଷୀମାନଙ୍କୁ ସିଧାସଳଖ ବଜାର ସୁବିଧା ଯୋଗାଇବା ସହ ପ୍ରାକୃତିକ ଭାବେ ପାଚିଥିବା ଆମ୍ବକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ଆୟୋଜନ କରାଯାଇଛି। ଏହା ମାଧ୍ୟମରେ ଚାଷୀମାନେ ସିଧାସଳଖ ଗ୍ରାହକଙ୍କୁ ବିକ୍ରୟ କରି ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ। ଭୁବନେଶ୍ୱରର ଚାରିଟି ସ୍ଥାନରେ ଏହି ମ୍ୟାଙ୍ଗୋ ଫେଷ୍ଟିଭାଲ ଆୟୋଜିତ ହେଉଛି।

ଏସ୍.ଆଇ.ଆର୍.ଡି. କ୍ୟାମ୍ପସ ସମ୍ମୁଖ, ସହିଦ ନଗର ଦୁର୍ଗା ମଣ୍ଡପ, ପୋଖରିପୁଟ ସ୍ଥିତ ମଧୁସୂଦନ ପାର୍କ ସମ୍ମୁଖ ଏବଂ ନନ୍ଦନକାନନ ରୋଡରେ  ବିକ୍ରୟ କେନ୍ଦ୍ରଗୁଡ଼ିକ ଖୋଲାଯାଇଛି। ରାଜଧାନୀ ବ୍ୟତୀତ ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ଏବଂ ସୁନ୍ଦରଗଡ଼ ପରି ରାଜ୍ୟର ୧୮ ଜିଲ୍ଲାରେ ମଧ୍ୟ ଓରମାସ ପକ୍ଷରୁ ମ୍ୟାଙ୍ଗୋ ଫେଷ୍ଟିଭାଲ ଆୟୋଜନ କରାଯାଉଛି।

ଯାହା ଚାଷୀ ଓ ଗ୍ରାହକଙ୍କ ମଧ୍ୟରେ ସିଧାସଳଖ ବଜାର ସଂଯୋଗ ସୃଷ୍ଟି କରୁଛି। ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ଏହି ମେଳା। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପହଞ୍ଚିବା ପାଇଁ ଦୁଇଟି ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ ନାମକ ବିକ୍ରି ଗାଡିର ମଧ୍ୟ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ। ମହୋତ୍ସବରେ ଓଡ଼ିଶାର ୧୬ଟି ଜିଲ୍ଲାରୁ ସଂଗ୍ରହ କରାଯାଇଥିବା ବିଭିନ୍ନ ପ୍ରଜାତିର ଉନ୍ନତମାନର ଆମ୍ବ ଉପଲବ୍ଧ ରହିଛି।

ଆମ୍ରପାଲି, ଦଶେରୀ, ଲାଲ ସୁନ୍ଦରୀ, ହିମସାଗର, ମଲ୍ଲିକା, ତୋତାପୁରୀ, ବମ୍ବେ ଗ୍ରୀନ୍, ଲାଙ୍ଗରା ଏବଂ ବଙ୍ଗନପାଲି ସମେତ ବିଭିନ୍ନ ଲୋକପ୍ରିୟ କିସମର ଆମ୍ବ ଏଠାରେ ବିକ୍ରୟ କରାଯାଉଛି।

Leave A Reply

Your email address will not be published.