ରେକର୍ଡ ଭାଙ୍ଗୁଛି ତାତି : ଆସନ୍ତା ୪ ଦିନ ପର୍ଯ୍ୟନ୍ତ ହିଟୱେଭ ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।

ଆସନ୍ତାକାଲି ହିଟୱେଭ ଓ ଗୁଳୁଗୁଳି ନେଇ ଆସନ୍ତାକାଲି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

0

ଭୁବନେଶ୍ବର  : ଗ୍ରୀଷ୍ମପ୍ରବାହ ଯନ୍ତ୍ରଣାକୁ ଦୁଇଗୁଣ କରିଦେଉଛି ବିଦ୍ୟୁତକାଟ୍ । କୌଣସି ଆଗୁଆ ସୂଚନା ନଦେଇ ଘଣ୍ଟା ଘଣ୍ଟା ଧରି ବିଜୁଳି ଯାଉଛି । ପାଣି ବିନା ମାଛ ଭଳି ଲୋକେ ହାତ ବିଞ୍ଚଣା ଧରି ଛଟପଟ ହେଉଛନ୍ତି । ଗୋଟିଏ ପଟେ ସରକାରଙ୍କ ଚେତାବନୀ ଚୁଲିକୁ ଯାଇଛି, ଅନ୍ୟପଟେ ଜନଜୀବନ ତ୍ରାହି ତ୍ରାହି ଡାକୁଛି । ହେଲେ ନିଦକ ନିଦରେ ଶୋଇଛି ବିଦ୍ୟୁତ ବିଭାଗ ଓ ବିଦ୍ୟୁତ କଂପାନୀ ।

ଅଘୋଷିତ ବିଦ୍ୟୁତ କାଟ୍ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହେଲେ ସତେ ଯେମିତି ଏହାକୁ ଫୁଃ କରି ଉଡ଼ାଇ ଦେଇଛି ବିଦ୍ୟୁତ ବିତରଣକାରୀ କଂପାନୀ । ହେଉନି କୌଣସି କାର୍ଯ୍ୟାନୁଷ୍ଠାନ । ଗରମ ଓ ଗୁଳୁଗୁଳି ଅସହ୍ୟ ହେଉଥିବା ବେଳେ, ବାହାରେ ବସି ବିଞ୍ଚଣା ବିଞ୍ଚିବା ଛଡ଼ା ଉପାୟ ନାହିଁ । କେନ୍ଦ୍ରାପଡ଼ା ଠାକୁରହାଟ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ୍‌ରେ ଅସ୍ତବ୍ୟସ୍ତ ଜନଜୀବନ । ବିନା କୌଣସି ମେସେଜ୍ କି ପ୍ରଚାରରେ, ସକାଳୁ ସକାଳୁ ବିଦ୍ୟୁତ କାଟ୍ ହେଉଥିବା ଅଭିଯୋଗ କରୁଛନ୍ତି ଲୋକେ । ବୃଦ୍ଧ ଓ ଶିଶୁ, ସମସ୍ତେ ସନ୍ତୁଳି ହେଉଛନ୍ତି ।

ଖାଲି କେନ୍ଦ୍ରାପଡ଼ା କାହିଁକି, ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାର ପ୍ରମୁଖ ସହର ଓ ଉପକଣ୍ଠ ଅଞ୍ଚଳରେ ବି ହନ୍ତସନ୍ତ କରୁଛି ବିଦ୍ୟୁତକାଟ୍ । ଗାଁ ଗହଳି କଥା ତ ନକହିବା ଭଲ । କେଉଁଠି ଘଣ୍ଟା ଘଣ୍ଟା ଧରି ବିଜୁଳି ଆସୁନି, ଆଉ କେଉଁଠି ଲୋ ଭୋଲଟେଜରେ ଫ୍ୟାନ୍ ବୁଲୁନି, ଏସି ଚାଲୁନି । ଖୋର୍ଦ୍ଧା କଳାପଥର ସେକ୍ସନ ଅଂଚଳରେ ଗତକାଲି ୬ ଘଣ୍ଟା ବିଦ୍ୟୁତ ନଥିବା ଦେଖିବାକୁ ମିଳିଥିଲା । ଏଠି ପ୍ରଶ୍ନ ଉଠୁଛି, ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଥିଲେ ବି କାହିଁକି ନିଦାବିଷ୍ଣୁ ବିଦ୍ୟୁତ୍‌ ବିଭାଗ ? ବିଦ୍ୟୁତ୍‌ ବିତରଣ କମ୍ପାନି ଉପରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ? କାହିଁକି ବନ୍ଦ ହେଉନି ଅଘୋଷିତ ବିଦ୍ୟୁତ୍‌ କାଟ୍ ?

ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି । ପଶ୍ଚିମ ଓଡ଼ିଶାରେ କଲବଲ କରୁଛି ତାତି । ଝାରସୁଗୁଡ଼ା ପୁଣିଥରେ ଉତ୍ତପ୍ତ ସହର ହୋଇଛି । ଝାରସୁଗୁଡ଼ାରେ ୪୪ ଦଶମିକ ୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ହୀରାକୁଦରେ ମଧ୍ୟ ୪୪ ଡିଗ୍ରି ଛୁଇଁଛି ପାରଦ । ସେହିପରି ୪୦ ଡିଗ୍ରି ଉପରେ ରହିଛି ୧୮ ସହର । ସମ୍ବଲପୁରରେ ୪୩.୬ ଡିଗ୍ରି, ଅନୁଗୁଳରେ ୪୩.୬ ଡିଗ୍ରି, ବୌଦ୍ଧ ଏବଂ ତାଳଚେରରେ ୪୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସୋନପୁର, ଟିଟିଲାଗଡ଼ ଓ ବଲାଙ୍ଗୀର ଆଦି ସହରର ତାମପାତ୍ରା ୪୨ ଡିଗ୍ରି ଉପରେ ଥିବା ବେଳେ ରାଜଧାନୀରେ ତାତି ୪୦ ଡିଗ୍ରି ଅତିକ୍ରମ କରିଛି । ଭୁବନେଶ୍ୱରରେ ୪୦ ଦଶମିକ ୧ ଡିଗ୍ରି ପାରଦ ରେକର୍ଡ ହୋଇଛି ।

ସେପଟେ ଏବେ ତାତିରୁ ନିସ୍ତାର ମିଳିବ ନାହିଁ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ହିଟୱେଭ ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ଆସନ୍ତାକାଲି ହିଟୱେଭ ଓ ଗୁଳୁଗୁଳି ନେଇ ଆସନ୍ତାକାଲି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୧ ତାରିଖ ପାଇଁ ୧୮ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୨ ତାରିଖ ୧୯ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏବଂ ୨୩ ତାରିଖ ପାଇଁ ୨୫ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ । ବିଶେଷକରି ପଶ୍ଚିମ ଓଡ଼ିଶା ପାଇଁ ହିଟୱେଭ ଜାରି ହୋଇଥିବା ବେଳେ ଉପକୁଳ ଜିଲ୍ଲାଗୁଡିକ ପାଇଁ ଗୁଳୁଗୁଳୁ ନେଇ ସତର୍କତା ଜାରି ହୋଇଛି ।

Leave A Reply

Your email address will not be published.