ରାମାୟଣରେ ଗୁଧ୍ରରାଜ ସମ୍ପାତ୍ତି

ଅର୍ଜୁନୀ ଚରଣ ବେହେରା

ରାମାୟଣରେ ଗୁଧ୍ରରାଜ ସମ୍ପାତ୍ତି
==================
ମହର୍ଷି କଶ୍ୟପଙ୍କର ଦୁଇ ପତ୍ନୀ ଥିଲେ l ପ୍ରଥମା ପତ୍ନୀ କଦ୍ରୁଙ୍କ ଗର୍ଭରୁ ସମସ୍ତ ନାଗକୁଳ ସୃଷ୍ଟି l ସେ ନାଗମାତା l ଦ୍ଵିତୀୟାପତ୍ନୀ ବିନତାଙ୍କ ଗର୍ଭରୁ ଜନ୍ମ ଲାଭ କରିଥିଲେ ଗରୁଡ଼ ଏବଂ ଅରୁଣ ଦୁଇଭାଇ l ଗରୁଡ଼ ହେଲେ ବିଷ୍ଣୁଙ୍କ ବାହନ ଓ ଅରୁଣ ସୂର୍ଯ୍ୟଙ୍କ ସପ୍ତାଶ୍ୱ ବାହନ ରଥର ସାରଥୀ l ଅରୁଣ ଓ ମାତା ସ୍ୟେନିଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ ଦୁଇଭାଇ ସମ୍ପାତ୍ତି ଓ ଜଟାୟୁ l
ଆକାଶରେ ଦୁରକୁ ଦୁରକୁ ଉଡି଼ବୁଲିବା ଥିଲା ଦୁଇ ଭାଇ ସାମ୍ପତ୍ତି ଓ ଜଟାୟୁଙ୍କ କ୍ରୀଡ଼ା l ଦୂରଦୂରାନ୍ତକୁ ଉଡି଼ ପାରିବା କ୍ଷମତା ନେଇ ସେମାନେ ବଡ଼ ଗର୍ବ କରୁଥିଲେ l ଏକଦା ତେଜୋମୟ ସୂର୍ଯ୍ୟଙ୍କୁ ଦେଖି ସେମାନେ ଏକ ଅପୂର୍ଵ ଖିଆଲରେ, ତାଙ୍କ ଆଡ଼କୁ ଉଡ଼ିବାକୁ ଲାଗିଲେ l ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ହୋଇ ଯିବାରୁ ଜଟାୟୁ ଭୟଙ୍କର ଜ୍ୱଳନ ପୀଡ଼ା ଅନୁଭବ କଲେ l ଏହାଦେଖି ସମ୍ପାତ୍ତି ସାନଭାଇ ଜଟାୟୁଙ୍କୁ ତାଙ୍କ ଡେଣାଦ୍ୱାରା ଘୋଡ଼ାଇ ଦେଲେ l ସେ ରକ୍ଷା ପାଇଗଲେ,ହେଲେ ସମ୍ପାତ୍ତିଙ୍କ ପକ୍ଷ ଦ୍ବୟ ସମ୍ପୂର୍ଣ୍ଣ ଜଳିଗଲା l ସମ୍ପାତ୍ତି ପକ୍ଷହୀନହୋଇ ବିନ୍ଧ୍ୟପର୍ବତ ଉପରେ ପଡ଼ି ମୂର୍ଛିତ ହୋଇ ଗଲେ l
ଭାଇ ସମ୍ପାତ୍ତି କେଉଁସ୍ଥାନରେ ପତିତହେଲେ ତାହା ସାନ ଭାଇ ଜଟାୟୁ ଜାଣି ପାରିଲେ ନାହିଁ l ଚେତା ଫେରିପାଇଲା ପରେ ସମ୍ପାତ୍ତି ବହୁକଷ୍ଟରେ ଘୁଷୁରି ଘୁଷୁରି ଯାଇ ନିକଟ ତ୍ରିକାଳ ଦର୍ଶୀ ଚନ୍ଦ୍ରମା ମୁନିଙ୍କ ଆଶ୍ରମରେ ପହଞ୍ଚିଲେ l ଦୁର୍ଗତ ପକ୍ଷୀଟିର ଶୁଶ୍ରୁଷା ଯତ୍ନ କରି ମୁନି ତାଙ୍କୁ ସାଷ୍ଟମ କଲା ପରେ ସମ୍ପାତ୍ତି ସମସ୍ତ ବୃତ୍ତାନ୍ତ କହିଲେ l ମୁନୀଙ୍କ ସେବାରେ ସେ ସୁସ୍ଥହେଲେ ମାତ୍ର ତାଙ୍କର ଆଉ ଡେଣା କଅଁଳିଲା ନାହିଁ l ପକ୍ଷ ହରାଇ ସେ ଚିର ଦିନ ପାଇଁ ଉଡ଼ାଣ ଶକ୍ତି ହରାଇ ବସିଲେ l ସମ୍ପାତ୍ତିଙ୍କ ଏ ଦୁଃଖ ଦେଖି ମୁନୀ ତାଙ୍କୁ ଆଶ୍ୱାସନା ଦେଇ କହିଲେ, ଧୈର୍ଯ୍ୟର ସହ ତୁମେ ଏହିସ୍ଥାନରେ ଅବସ୍ଥାନକର l ଅଚିରେ ତୁମର ଦୁଃଖ ଦୂରହେବ l ତୁମେ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବ l ସେହି କାର୍ଯ୍ୟଟି ହେଲା, ନିକଟ ଭବିଷ୍ୟତରେ ରଘୁକୂଳ ତୀଳକ, ଦଶରଥ ତନୟ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ପତ୍ନୀ ଜାନକୀଙ୍କୁ ହରାଇ ଖୋଜିଖୋଜି ଏହିଠାକୁ ଆସିବେ l ସେହି ସମୟରେ ତୁମେ ତାଙ୍କୁ ମାଆଙ୍କ ସନ୍ଧାନ ଦେବ l ଏହାଦ୍ୱାରା ପ୍ରଭୁଙ୍କ କାର୍ଯ୍ୟ ସାଧିତ ହେବା ସହ,ତାଙ୍କ ଦର୍ଶନରେ ତୁମର ପର ଆପେ ଆପେ କଅଁଳି ଉଠିବ l
ମୁନୀଙ୍କ ଠାରୁ ଏ ସ୍ବସ୍ତିବାଣୀ ଶ୍ରବଣ କରି, ସମ୍ପାତ୍ତି ସେହି ଦୁର୍ଲ୍ଲଭ ମୁହୂର୍ତ୍ତ ଅପେକ୍ଷାରେ ପଡ଼ି ରହିଲେ l ସେହି ସମୟରେ ସମ୍ପାତ୍ତୀଙ୍କୁ ପୁତ୍ର ସୁପାର୍ଶ୍ଵ ଖାଦ୍ୟ ପଦାର୍ଥ ଆଣି ଯୋଗାଇ ଦେଉଥିଲେ l ଦିନେ ପୁତ୍ର ସୁପାର୍ଶ୍ଵ ଖାଦ୍ୟ ସାମଗ୍ରୀ ନଆଣି ଖାଲିଖାଲି ଫେରି ଆସି ତା’ର ମାଆକୁ କହିଲା,” ମାଆ ! ଆଜି ଏକ ଭୟଙ୍କର ରାକ୍ଷସକୁ ମୁଁ ଦେଖିଲି l ସେ ବିମାନରେ ଗୋଟିଏ ସୁନ୍ଦରୀ ସ୍ତ୍ରୀକୁ ବସାଇ ଆକାଶ ମାର୍ଗରେ ଦକ୍ଷିଣ ଦିଗକୁ ଘେନିଯାଉଥିଲା l ଅସହାୟ ସ୍ତ୍ରୀଟି କରୁଣ କ୍ରନ୍ଦନ କରି ହା ରାମ ! ହା ଲକ୍ଷ୍ମଣ ବୋଲି ଚିତ୍କାର କରୁଥିଲା l ସେ ନାରୀଟିର କରୁଣ କ୍ରନ୍ଦନ ଶୁଣି ମୋତେ ବହୁ ଦୁଃଖଲାଗିଲା l ମୋତେ ଆଉ ଖାଦ୍ୟ ସଂଗ୍ରହରେ ମନ ଲାଗିଲା ନାହିଁ l ତେଣୁ ମୁଁ ଆଜି ଖାଲି ଖାଲି ଫେରି ଆସିଛି l
ଏତେକ ମାତ୍ର ସୂଚନା ଥିଲା ସମ୍ପାତ୍ତିଙ୍କ ପାଖରେ l ପୁଅଠାରୁ ଏକଥା ଶୁଣି ତାଙ୍କ ସ୍ମରଣକୁ ଆସିଥିଲା ଚନ୍ଦ୍ରମା ଋଷିଙ୍କ କଥା l ମୁନୀ ସେତେବେଳକୁ ଇହ ଧାମ ତ୍ୟାଗ କରିସାରିଲେଣି l ସେ କହିଯାଇଥିବା ସେହି ପ୍ରତିକ୍ଷୀତ ମୁହୂର୍ତ୍ତ ଆସିଗଲା l କେତେଦିନ ପରେ ଦିନେ ପ୍ରଭୁ ଶ୍ରୀରାମ ଭାଇ ଲକ୍ଷ୍ମଣ,ଅଙ୍ଗଦ, ହନୁମାନ କର୍ତ୍ତୃକ ମାଆ ଜାନକୀଙ୍କୁ ଖୋଜି ଖୋଜି ଆସି ସେହିଠାରେ ପହଞ୍ଚିଲେ l କଥାବାର୍ତ୍ତା ହେଲା ବେଳେ ସେମାନେ ବାରମ୍ବାର ଗୁଧ୍ରରାଜ ଜଟାୟୁଙ୍କ ନାମ ଉଚ୍ଚାରଣ କରୁଥିଲେ l ସମ୍ପାତ୍ତି ଅତି ଉତ୍ସୁକ ହୋଇ ସେମାନଙ୍କୁ କହିଲେ,କ’ଣ ଆପଣ ମାନେ ଜଟାୟୁକୁ ଜାଣନ୍ତି? କୁହନ୍ତୁ ମୋ ଜଟାୟୁ କେଉଁଠି ଅଛି? ତାଙ୍କୁ ଶାନ୍ତକରାଇ ହନୁମାନ,ରାବଣ ଏବଂ ଜଟାୟୁଙ୍କ ଯୁଦ୍ଧକଥା କହିଲେ ଓ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ଲାଭ କରି,ସେ ପରମଗତି ଲଭିଛି ବୋଲି କହିଲେ l ଜଟାୟୁ ଆଉ ଇହଧାମରେ ନାହିଁ ଏହା ଶୁଣି ସମ୍ପାତ୍ତି ଦୁଃଖରେ ଭାଙ୍ଗି ପଡ଼ିଥିଲେ l
ସିଏ ତ ଆକାଶରେ ବହୁ ଦୂର ପର୍ଯ୍ୟନ୍ତ ଉଡି଼ ବୁଲୁ ଥିଲେ l ଏଣୁ ଲଙ୍କା ନଗରୀ ତାଙ୍କ ଚକ୍ଷୁ ସାମ୍ନାରେ ଥିଲା l ହନୁମାନ ପ୍ରମୁଖ ବାନରଗଣଙ୍କୁ ଓ ପ୍ରଭୁଙ୍କୁ ସେ ଲଙ୍କା ଗଡ଼ର ସୂଚନା ଦେଇ କହିଲେ, ତ୍ରିକୂଟ ପର୍ବତ ଉପରେ ଲଙ୍କାନଗରୀ ରହିଛି l ସେଠାରେ ରାବଣ ନାମରେ ଜଣେ ରାକ୍ଷସ ରାଜତ୍ୱ କରୁଛି l ଲଙ୍କା ଗଡ଼ର ଉପବନ,ଅଶୋକ ବାଟିକା l ମାଆ ସୀତାଙ୍କୁ ସେହି ଠାରେ ରଖା ଯାଇଛି l ଜଟାୟୁଙ୍କ ଠାରୁ ରାବଣ ମାତା ସୀତାଙ୍କୁ ଦକ୍ଷିଣଦିଗକୁ ନେଇ ଯାଇଛିବୋଲି ପ୍ରଭୁ ଶ୍ରୀରାମ ସୂଚନା ପାଇଥିଲେ l ଏବେ ସମ୍ପାତ୍ତିଙ୍କଠାରୁ ପ୍ରଭୁ ଲଙ୍କାଗଡ଼ର ଅବସ୍ଥିତି ବିଷୟ ଜାଣିବାକୁ ପାଇଲେ l
ପ୍ରଭୁଙ୍କୁ ଏ ସୂଚନା ଦେଇ ସାରିଲା ପରେ, ଚନ୍ଦ୍ରମା ଋଷିଙ୍କ କଥନ ଅନୁଯାୟୀ ସମ୍ପାତ୍ତିଙ୍କ ପକ୍ଷ କଅଁଳି ଉଠିଥିଲା l ଏହା ଥିଲା ତାଙ୍କର ପୁନର୍ଜନ୍ମ l
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.