ବାଲେଶ୍ୱର, ୧୩/୦୫: (କୃଷ୍ଣ କୁମାର ମହାନ୍ତି) ‘ଦୀପକ ୱାଧୱା ଅଫିସିଆଲ୍ ଟ୍ରେଡିଂ’ ନାମରେ ଏକ ଆକାଉଣ୍ଟ୍ ଖୋଲି ଦେଶର ବିଭିନ୍ନ ରାଜ୍ୟରେ ଅନଲାଇନ ଟ୍ରେଡିଂ ନାଁରେ ବ୍ୟାପକ ଠକେଇ ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି। ବିଜୟ କୁମାର ସଖାରାମ ପାଟିଲଙ୍କ ସମେତ ଆଉ ୬ ଜଣ ଏହି ଠକେଇ ଗ୍ୟାଙ୍ଗକୁ ପରିଚାଳନା କରୁଥିବା ଅଭିଯୋଗ ହୋଇଛି। ପ୍ରତିଦିନ ଲକ୍ଷାଧିକ ଲୋକ ଏହି ଠକେଇର ଶିକାର ହେଉଥିବା କୁହାଯାଉଛି।
ସୂଚନା ଅନୁସାରେ, ଦୀପକ ୱାଧୱା ଓ ବିଜୟ ପ୍ରଥମେ ସୋସିଆଲ ମିଡିଆରେ ଗ୍ରୁପ୍ ଖୋଲି ଲୋକଙ୍କୁ ଆକର୍ଷଣୀୟ ନିବେଶ ଯୋଜନାର ଲୋଭ ଦେଖାଉଥିଲେ। ମାତ୍ର ଏକ ଘଣ୍ଟାରେ ଜମା ଟଙ୍କାର ପାଞ୍ଚ ଗୁଣା ରାଶି ଫେରସ୍ତ ମିଳିବ ବୋଲି ଦାବି କରାଯାଉଥିଲା। ଅର୍ଥାତ୍ ୨ ହଜାର ଟଙ୍କା ଦେଲେ ୧୦ ହଜାର, ୫ ହଜାର ଦେଲେ ୨୫ ହଜାର, ୮ ହଜାର ଦେଲେ ୩୫ ହଜାର, ୧୦ ହଜାର ଦେଲେ ୪୫ ହଜାର ଓ ୨୦ ହଜାର ଦେଲେ ୬୫ ହଜାର ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଉଥିଲା।
‘ଇନଭେଷ୍ଟ ରତ୍ନ’ ନାମରେ ବିଶେଷ ଯୋଜନା ମଧ୍ୟ ଚାଲିଥିଲା। ଏଥିରେ ୨୫ ହଜାର ଟଙ୍କା ନିବେଶ କଲେ ଏକ ଘଣ୍ଟାରେ ୮୫ ହଜାର ଓ ୫୦ ହଜାର ଟଙ୍କା ନିବେଶ କଲେ ୧ ଲକ୍ଷ ଟଙ୍କା ମିଳିବ ବୋଲି କୁହାଯାଉଥିଲା।

ଅଭିଯୋଗ ଅନୁଯାୟୀ, ପ୍ରଥମେ କେହି ୨ ହଜାର ଟଙ୍କା ପଠାଇବା ପରେ ଏକ ଘଣ୍ଟା ଅପେକ୍ଷା କଲେ ତାଙ୍କୁ ଦୁଇ ମିନିଟ୍ ମଧ୍ୟରେ ଟଙ୍କା ପଠାଯିବ ବୋଲି ମେସେଜ୍ ଆସୁଥିଲା। ଏଥି ସହିତ ଫେକ୍ ପ୍ରୋସେସିଂର ସ୍କ୍ରିନସଟ୍ ମଧ୍ୟ ପଠାଇ ବିଶ୍ୱାସ ଜିତିବାକୁ ଚେଷ୍ଟା କରାଯାଉଥିଲା। କିଛି ସମୟ ପରେ ପୁଣି ଏଖ ମେସେଜରେ ୧୩,୧୯୯ ଟଙ୍କା ପାଇବା ପାଇଁ ୩,୧୯୯ ଟଙ୍କା ‘ୱିଥଡ୍ରଲ ଚାର୍ଜ’ ଭାବେ ପଠାଇବାକୁ କୁହାଯାଉଥିଲା।
ଏହି ଲୋଭରେ ପଡି ଅନେକ ଲୋକ ଅଧିକ ଟଙ୍କା ମଧ୍ୟ ପଠାଇଥିଲେ। କିନ୍ତୁ ଟଙ୍କା ମିଳିବା ପରିବର୍ତ୍ତେ ‘ଲୋ ବାଲାନ୍ସ’ କାରଣରୁ ଟ୍ରାଞ୍ଜାକ୍ସନ ଫେଲ୍ ହୋଇଛି ବୋଲି କୁହା ଯାଉଥିଲା। ପରେ ୩୫ ହଜାର କିମ୍ବା ତାଠାରୁ ଅଧିକ ଟଙ୍କା ପାଇବା ନାଁରେ ପୁଣି ୬,୨୦୦ ଟଙ୍କା ପଠାଇବାକୁ ଦାବି କରାଯାଉଥିଲା। ଏଭଳି ଭାବେ ଦାବି ହେଉଥିବା ଟଙ୍କା ୬୫ ହଜାର କିମ୍ବା ତାଠାରୁ ଅଧିକକୁ ବଢ଼ି ଯାଉଥିଲା। ଲୋକମାନେ ଠକେଇ ହେଉଥିବା ବୁଝିବା ବେଳକୁ ସେମାନେ ବହୁ ଟଙ୍କା ହରାଇ ସାରିଥିଲେ।
ଏହି କଥିତ ଠକ ଗ୍ୟାଙ୍ଗକୁ ଶୀଘ୍ର ଠାବ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରୁ ଜୋରଦାର ଦାବି ଉଠିଛି।