ଭୁବନେଶ୍ବର : ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟା ସୃଷ୍ଟିକୁ ନେଇ ଅଦ୍ୟାବଧି କୌଣସି ସ୍ପଷ୍ଟତା ଆସୁନାହିଁ। କିଛି ପାଣିପାଗ ମଡେଲ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି କହୁଥିବାବେଳେ ଆଉ କେତେକ ମଡେଲ ବଙ୍ଗୋପସାଗରରେ ଲଘୁଚାପ ନେଇ ଆକଳନ କରିଛନ୍ତି। ସମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେବ ବୋଲି କିଛି ମଡେଲ ସ୍ପଷ୍ଟ କରୁଥିବାବେଳେ ଆଉ କେତେକ ମଡେଲ ଲଘୁଚାପ ପ୍ରଭାବରେ କେବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି। ତେବେ ମେ’ ଦ୍ବିତୀୟ ସପ୍ତାହରେ ଲଘୁଚାପ ସୃଷ୍ଟି ହେବା ନିଶ୍ଚିତ ବୋଲି କୁହାଯାଉଛି। ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇ ନାହିଁ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜିଏଫ୍ଏସ୍ ଏବଂ ଇସିଏମ୍ଡବ୍ଲ୍ୟୁଏଫ୍ ମଡେଲ ଏବେ ଏକମତ ଯେ ମେ’ ମଧ୍ୟଭାଗରେ ଦକ୍ଷିଣ
ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ମେ’ ୧୧ରୁ ୧୩ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ଯାହା ପରବର୍ତ୍ତୀ ସମୟରେ ଅର୍ଥାତ ମେ’ ୧୪ରୁ ୧୫ ବେଳକୁ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଜିଏଫ୍ଏସ୍ ମଡେଲ ଏକ ଶକ୍ତିଶାଳୀ ବାତ୍ୟାର ଚିତ୍ର ଦେଖାଉଥିବା ବେଳେ ଇସିଏମ୍ଡବ୍ଲ୍ୟୁଏଫ୍ ଏହାକୁ କେବଳ ଏକ ବର୍ଷା ପ୍ରଦାନକାରୀ ଲଘୁଚାପ ଭାବେ ଆକଳନ କରୁଛି। ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ‘ଏମଜେଓ’ର ସ୍ଥିତି, ଯାହା ଫେଜ୍-୨ରୁ ବାହାରି ଫେଜ୍-୩ରେ ଅଧିକ ସକ୍ରିୟ ହେଉଛି। ବଙ୍ଗୋପସାଗରରେ ଊର୍ଦ୍ଧ୍ବମୁଖୀ ପବନ ଓ ମେଘମାଳା ସୃଷ୍ଟିରେ ଏହା ସହାୟକ ହେବ। ଆଗାମୀ ୨୪ରୁ ୪୮ଘଣ୍ଟା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ। ଏହି ସମୟ ମଧ୍ୟରେ ଯଦି ସମୁଦ୍ର ଉପରେ ଊର୍ଦ୍ଧ୍ୱଗାମୀ ବାୟୁ କମିବା ଜାରି ରହେ ଏବଂ ଏମଜେଓ ଫେଜ୍-୩ର ତୀବ୍ରତା ବୃଦ୍ଧି ପାଏ ତେବେ ଲଘୁଚାପଟି ବାତ୍ୟାରେ ପରିଣତ ହେବା ନେଇ ସଙ୍କେତ ମିଳିବ। ଏହା ଉପରେ ମେ’ ୧୦ ସୁଦ୍ଧା ଅଧିକ ସ୍ପଷ୍ଟ ହେବ।
ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ଜିଏଫ୍ଏସ୍ ମଡେଲ ଅନୁଯାୟୀ ମେ’ ୧୦ରୁ ୧୧ ସୁଦ୍ଧା ସମୁଦ୍ରର ବିଷୁବରେଖା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୭୨ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେଇପାରେ। ପୂର୍ବ ଭାରତର ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଡ଼କୁ ଏହା ମୁହାଁଇ ପାରେ। ସେହିପରି ଇସିଏମ୍ଡବ୍ଲ୍ୟୁଏଫ୍ ଅନୁଯାୟୀ ଶ୍ରୀଲଙ୍କା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମେ’ ୧୧ରୁ ୧୨ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ତାମିଲନାଡ଼ୁ ଦେଇ ଆରବସାଗର ଆଡ଼କୁ ମୁହାଁଇବ। ମେ’ ୧୮ରୁ ୧୯ ସୁଦ୍ଧା ଆରବ ସାଗରରେ ବାତ୍ୟା ରୂପ ନେଇ ଗୁଜରାଟ କିମ୍ବା ମହାରାଷ୍ଟ୍ର ଆଡ଼କୁ ଏହା ଗତି କରିବ ବୋଲି ଆକଳନ କରାଯାଇଛି। ଆଉ କିଛି ମଡେଲର ଆକଳନ ଭିନ୍ନ ରହିଛି। ଯଦି ବାତ୍ୟା ସୃଷ୍ଟି ହୁଏ ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଏବଂ କେରଳକୁ ନିର୍ଦ୍ଧାରିତ ସମୟର ୨ରୁ ୩ ଦିନ ପୂର୍ବରୁ ଆସିବାର ସମ୍ଭାବନା ରହିବ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ଆଇଏମଡି ପକ୍ଷରୁ ଅଦ୍ୟାବଧି ଲଘୁଚାପ ସଂକ୍ରାନ୍ତରେ କୌଣସି ପୂର୍ବାନୁମାନ କରାଯାଇନି।
Sign in
Sign in
Recover your password.
A password will be e-mailed to you.
Comments are closed.