୮ ଘଣ୍ଟାର ସଂଘର୍ଷ ପରେ ଜିତିଲା ଜୀବନ, ମହୁ ଲୋଭରେ ପଥର ସନ୍ଧିରେ ଫସିଥିଲା ନାବାଳକ

ପଥର ଖୋଲ ଭିତରେ ଛଟପଟ ହେଉଥିଲା ନିଷ୍ପାପ ଜୀବନ। ତାକୁ ଉଦ୍ଧାର କରିବାକୁ ଚାଲିଥିଲା ମାରାଥନ୍ ଅପରେସନ୍। ୮ ଘଣ୍ଟା ପରେ ମୃତ୍ୟୁ ଗର୍ତ୍ତରୁ ମୁକ୍ତିର ଆନନ୍ଦ। ୮ ଘଣ୍ଟାର ସେହି ଦୀର୍ଘ ପ୍ରତୀକ୍ଷା କେବଳ ପରିବାର ପାଇଁ ନୁହେଁ, ବରଂ ସାରା ଅଞ୍ଚଳ ପାଇଁ ଏକ ଅଗ୍ନିପରୀକ୍ଷା ଥିଲା। ନୟାଗଡ଼ ଜିଲ୍ଲା ଓଡଗାଁର କାଣିପଦା ଜଙ୍ଗଲରେ ପଥର ଖୋଲରେ ଆଜି ଜଣେ ନାବାଳକ ଫସିଥିଲେ। ଆଜି ସକାଳେ ମହୁ ସଂଗ୍ରହ ପାଇଁ ଯାଇଥିବା ବେଳେ ପଥର ଭିତରେ ଅଟକି ଯାଇଥିଲା ମୁଣ୍ଡ। କେବଳ ବାହାରକୁ ଦିଶୁଥିଲା ଶରୀର।

ନାକେଦମ୍ ଅଗ୍ନିଶମ କର୍ମଚାରୀ

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ଯନ୍ତ୍ରପାତି ଯୋଗେ ମିଶନ୍ ଆରମ୍ଭ ହୋଇଥିଲେ ବି ଏତେ ସହଜ ନଥିଲା ଉଦ୍ଧାର କାମ। ନାକେଦମ୍ ହୋଇଥିଲେ ଅଗ୍ନିଶମ କର୍ମଚାରୀ। ଅକ୍ଳାନ୍ତ ପରିଶ୍ରମ ପରେ ପଥର କାଟି କାଟି ନାବାଳକକୁ ସୁରକ୍ଷିତ ବାହାରକୁ ଅଣାଯାଇଥିଲା। ସନ୍ଧ୍ୟା ୪ରେ ବାହାରକୁ ବାହାରିଥିଲା ନାବାଳକ।

ଘଟଣା ଥିଲା ଏମିତି। ମହୁ ଖୋଜିବା ପାଇଁ କିଛି ଲୋକଙ୍କ ସହ ବାଉଁଶଗାଡିଆର ଶିବ ପାହଡ ଉପରକୁ ଯାଇଥିଲା। ପଥର ଖୋଲ ଭିତରେ ମହୁ ସଂଗ୍ରହ ପାଇଁ ପଶିଥିଲେ। ମହୁ ଫେଣାରେ ହାତ ବଢାଇ ବଢାଇ କେତେବେଳେ ଭିତରକୁ ପଶିଯାଇଥିଲା, ତାହା ସେ ନିଜେ ଜାଣି ପାରି ନଥିଲା।

ପଥର ଭିତରେ ଅଟକି ଯାଇଥିଲା ମୁଣ୍ଡ

ପରେ ଟାଣି ଓଟାରି ହୋଇ ବାହାରକୁ ବାହାରିଗଲା ବେଳେକୁ ପଥର ଭିତରେ ଅଟକି ଯାଇଥିଲା ମୁଣ୍ଡ। ଖବର ପାଇ ନୟାଗଡ ଏବଂ ଓଡଗାଁ ଅଗ୍ନିଶମର ୨ଟି ଟିମ୍ ପହଞ୍ଚି ଉଦ୍ଧାର ଆରମ୍ଭ କରିଥିଲେ। କିନ୍ତୁ ଅପରେସନ ଜଟିଳ ହେବାରୁ ଭୁବନେଶ୍ବରରୁ ତୁରନ୍ତ ପହଞ୍ଚିଥିଲା ଅତ୍ୟାଧୁନିକ ସାଜ ସଂରଜାମ ସହ ଷ୍ଟ୍ରାଇକିଂ ଟିମ। ରେସ୍କ୍ୟୁ ଅପରେସନରେ ୫ଟି ଟିମ ସାମିଲ ହୋଇ ଆରମ୍ଭ କରିଥିଲେ ଜୋରଦାର ଅପରେସନ। ଆଉ ଦୀର୍ଘ ୮ ଘଣ୍ଟାର ଝାଳବୁହା ପରିଶ୍ରମ ପରେ ବାହାରକୁ ଆସିଥିଲେ ନାବାଳକ ଶିବ।…

ସେପଟେ ଶିବ ପଥର ଖୋଲରେ ଫସି ରହିଥିବା ବେଳେ ଏପଟେ ଠିକ୍ ପାଖରେ ପଥର ଖୋଲ ଭିତରେ ଲୁଚି ରହିଥିଲା ବିରାଟ ଅଜଗର। ଯାହା ରେସକ୍ୟୁ ଅପରେସନ୍ ବେଳେ କ୍ୟାମେରା ଟିମ୍ ନଜରକୁ ଆସିଥିଲା। କିନ୍ତୁ ସାପଟି ଶିବାର କୌଣସି କ୍ଷତି କରିନଥିବା ଦେଖିବାକୁ ମିଳିଛି।

ସେପଟେ ଏଭଳି ଦୁଃସାଧ୍ୟ ଅପରେସନରେ କେମିତି ସଫଳ ହେବ, ସେଥିପାଇଁ ଭୁବନେଶ୍ବରରେ  ଏକ କଣ୍ଟ୍ରୋଲ ରୁମ ହେଉଥିଲା ମନିଟରିଂ। ଆଉ ଅପରେସନ୍ ସଫଳ ହେବା ପ୍ରତିକ୍ରିୟା ରଖିଥିଲେ ଅଗ୍ନିଶମ ଡିଜି।…
ପଥର ସନ୍ଧାରୁ ୮ ଘଣ୍ଟା ପରେ ଉଦ୍ଧାର ପରେ ସୁରକ୍ଷିତ ଶିବଙ୍କୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.