କୋଲକାତା : ବେଙ୍ଗଲରେ ନିର୍ବାଚନ ପରବର୍ତ୍ତୀ ହିଂସା। ଜଳିଛି ତୃଣମୂଳ କଂଗ୍ରେସର ପାର୍ଟି ଅଫିସ୍। ଆସନସୋଲ ହେଉ କି ଜଗତବଲ୍ଲଭପୁର, ଜାମୁରିଆ ହେଉ କି ଜିଆଗଞ୍ଜ। ୧୫ ବର୍ଷର ରାଗ ଓ ରୋଷର ନିଆଁରେ ଜଳିଛି ତୃଣମୂଳ କଂଗ୍ରେସର କାର୍ଯ୍ୟାଳୟ। ପଶ୍ଚିମବଙ୍ଗର ଏକାଧିକ ଅଞ୍ଚଳରେ ତୃଣମୂଳ କଂଗ୍ରେସ ଅଫିସରେ ବଡ଼ ଧରଣର ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି। ଉତ୍ତ୍ୟକ୍ତ ବିଜେପି କର୍ମୀ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।
ଏମିତିକି ବାଦ୍ ପଡ଼ିନି ପୂର୍ବତନ ମନ୍ତ୍ରୀ ଅରୁପ ବିଶ୍ବାସଙ୍କ ଟଲିଗଞ୍ଜ ବାସଭବନ। ଏଠି ବି ପ୍ରବଳ ହଙ୍ଗାମା, ବ୍ୟାପକ ଭଙ୍ଗାରୁଜା। ଆଉ ୟେ, କୋଲକାତା ସହରର ନ୍ୟୁମାର୍କେଟ। ଦୀର୍ଘ ବର୍ଷ ଧରି ଏଠି ଟିଏମସି ପୃଷ୍ଠକୋଷକତାରେ ଜବରଦଖଲ ଥିଲା। ଯାହାକୁ ବୁଲଡୋଜର ଲଗାଇ ହଟାଯାଇଛି।
ଗାଦି ଲୋଭରେ ମାୟା ମମତା ଏବେ ବି ନିଜ ଜିଦ୍ ରେ ଅଟଳ। ନିର୍ବାଚନ ହାରିବା ଦୁଇ ଦିନ ହେଲାଣି, ସାରା ଦେଶ ଜାଣିଲାଣି। ତଥାପି ସତେ ଯେମିତି ମୁଖ୍ୟମନ୍ତ୍ରୀ ଚୌକିକୁ ଛାଡ଼ି ପାରୁନାହାନ୍ତି। ନା ଇସ୍ତଫା ଦେଉଛନ୍ତି ନା ଦେବା ନାଁ ଧରୁଛନ୍ତି।…
ମମତା ଇସ୍ତଫା ନ ଦେଲେ କଣ ନୂଆ ସରକାର ଗଠନ ହୋଇ ପାରିବନି ? ରାଜ୍ୟରେ ଦେଖାଦେବ କି ସାମ୍ବିଧାନିକ ସଙ୍କଟ ? ବିଶେଷଜ୍ଞଙ୍କ କହିବା ଅନୁସାରେ, କୌଣସି ସଙ୍କଟ ଦେଖାଦେବ ନାହିଁ। ଏ କ୍ଷେତ୍ରରେ ରାଜ୍ୟପାଳ ନିଜର କ୍ଷମତା ପ୍ରୟୋଗ କରି ମମତାଙ୍କୁ ବରଖାସ୍ତ କରିପାରିବେ।
ଏପଟେ ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ଘର ଆଖପାଖରୁ ହଟିଗଲାଣି ସୁରକ୍ଷା। କୋଲକାତା ସ୍ଥିତ କାଲିଘାଟ ହରିଶ ଚାଟାର୍ଜୀ ଲେନ୍ ରେ ମମତାଙ୍କ ସୁରକ୍ଷା ଦୁର୍ଗ ଆଉ ଆଗ ଭଳି ନାହିଁ। କେବଳ Z ପ୍ଲସ୍ ସୁରକ୍ଷାକୁ ଛାଡ଼ି ବାକି ରାଜ୍ୟ ପୋଲିସକୁ ସେଠୁ କାଢ଼ି ଦିଆ ସରିଛି। ସାଂସଦ ତଥା ପୁତୁରା ଅଭିଷେକ ବାନାର୍ଜୀଙ୍କ ଘର ଶାନ୍ତିନିକେତନ ବି ଏବେ ଶୂନଶୂାନ, ନାହିଁ କୌଣସି ପୋଲିସ୍ ର ସୁରକ୍ଷା। ଦୁଇ ଦିନ ଧରି ସ୍ତବ୍ଧ ପାଲଟିଥିବା ମମତାଙ୍କ ବାସଭବନରେ ଆଜି କିଛିଟା ହଲଚଲ ନଜରକୁ ଆସିଛି।
ବିଜେପିର ‘ଭାଲୋ ଦିନ୍’ ଆରମ୍ଭ
ପଶ୍ଚିମବଙ୍ଗ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ୯ ତାରିଖରେ ସ୍ବର୍ଣ୍ଣିମ ଅକ୍ଷରରେ ବିଜେପି ଲେଖିବ ନିଜ ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାଁ। ସେଥିପାଇଁ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ପ୍ରସ୍ତୁତି ଆରମ୍ଭ ହେଲାଣି। ଏଇ ପଡ଼ିଆରେ ହିଁ ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ବିଶାଳ ସଭା କରିଥିଲେ, ସେଇ ଦିନଠୁ ପଶ୍ଚିମବଙ୍ଗ ବିଜେପିର ‘ଭାଲୋ ଦିନ୍’ ଆରମ୍ଭ ହୋଇଥିଲା ବୋଲି କୁହାଯାଉଛି।
ଅପରପକ୍ଷେ, ସମୟ ଯେତେ ବଢ଼ୁଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ରେସର ସବୁଠୁ ଆଗରେ ଥିବା ଫାଏର ବ୍ରାଣ୍ଡ ତଥା ଏଥର ବିଜେପିର ପୋଷ୍ଟର ବୟ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଯେଉଁ ନବାନ୍ନ ମମତାଙ୍କ ଦ୍ବିତୀୟ ଘର ଥିଲା। ସେଠି ନୂଆ ସରକାର ଗଠନ ପୂର୍ବରୁ ରାଜ୍ୟ ବିଜେପି ସଭାପତିଙ୍କ ସମେତ ବରିଷ୍ଠ ନେତା ପହଞ୍ଚି ସ୍ଥିତି ପରଖିଛନ୍ତି।
Comments are closed.