ଜୟ ମାଆ ଭଦ୍ରକାଳି

ଅର୍ଜୁନୀ ଚରଣ ବେହେରା

ସାଳନ୍ଦୀ ତଟୀନୀ ତଟ ବିହାରିଣୀ l
ମାଆ ଭଦ୍ରକାଳୀ ଅଭୟ ଦାୟିନୀ ll
ଚାରିଭୁଜେ ଶୋହେ ଖଡ଼ଗ ଖର୍ପର l
ଜପାମାଳି ଶିଶୁକୃଷ୍ଣ କୋଳେ ତୋର ll
ପଦ୍ମାସନୀ ମାଆ ବାହନ କେଶରୀ l
ଆମ୍ବା,ଅମ୍ବିକା ମା’ଶଙ୍କରୀ ଗଉରୀ ll
କାଳି, କରାଳିନି,କରାଳ ବଦନୀ l
ଶିବାଶନି ମାଆ ନୃମୁଣ୍ଡ ମାଳିନୀ ll
ଆବିର୍ଭାବ ହେଲୁ ମେଘାସନ ଗିରି l
ଭଦ୍ରକରେ ଲୀଳାକରୁ ମାହେଶ୍ୱରୀ ll
ଯବନେ ଦଣ୍ଡିଲେ କରି ଲଣ୍ଡ ଭଣ୍ଡ l
ଗୁପତେ ରହିଲୁ ଭଦ୍ରକାଳୀ ଗଣ୍ଡ ll
ପ୍ରାପ୍ତହେଲେ ପୁଣି ଭୂୟାଁବୀର ତୋତେ l
କୁଳଦେବୀ କରି ପୂଜାକଲେ ମାତେ ll
ଗୋହିରା ଟିକିରି ଠାରେ ତୁହି ମାତା l
ଦେଖିଲୁ ଉତ୍କଳ ଶେଷ ସ୍ୱାଧୀନତା ll
ମୁକୁନ୍ଦ ମନ୍ଦିର ଦେବୀ ତୋ ପ୍ରାଙ୍ଗଣେ l
ସେ କଳା ଐତିହ୍ୟ କଥାକୁ ବଖାଣେ ll
ପରମ ବୈଷ୍ଣବୀ ସନ୍ତାନ ବତ୍ସଳା l
ସନ୍ତାନ ମଙ୍ଗଳ ଵାଂଛୁ ତୁ ମଙ୍ଗଳା ll
ଆସୁଅଛି ମାଆ ଆଗେ ପାରବଣ l
ସପ୍ତମାତୃ ବେଶେ ଦେବୁ ତୁ ଦର୍ଶନ ll
ଭଦ୍ରକର ମାତେ ଅଧିଷ୍ଠାତ୍ରୀ ଦେବୀ l
ପୂଜ୍ୟ ଠାକୁରାଣୀ ମାଆଲୋ ଭୈରବୀ ll
ଜଗତ ଜନନୀ ମାଆ ଦୟାମୟୀ l
ଜଗତକୁ ରଖ ତୁ ଘଣ୍ଟ ଘୋଡ଼ାଇ ll
🙏🙏🙏
ଅର୍ଜୁନୀ
————

Comments are closed.