ଜଳପ୍ରଭା କୁମ୍ଭୀର କଥା

ଅର୍ଜୁନୀ ଚରଣ ବେହେରା

ଶାରଳା ମହାଭାରତର କାହାଣୀ l ମାତା କୁନ୍ତୀଙ୍କ ସହିତ ପାଣ୍ଡଵ ପଞ୍ଚ ଭ୍ରାତା ଜତୁଗୃହ ଦାହରୁ ରକ୍ଷା ପାଇବା ପାଇଁ ବିଦୁର ଖୋଳାଇଥିବା ଗୁପ୍ତ ସୁଢ଼ଙ୍ଗ ପଥଦେଇ ବାହାରିଆସି ଦେଖନ୍ତି,ସୁଢ଼ଙ୍ଗ ମୁଣ୍ଡରେ ଭରାନଦୀ l ନଦୀକୁ ପୁଣି କେମିତି ପାରକରିବେ l କିଛି ଦୂରରେ ଦେଖିଲେ ନାଉରିଆଟେ ଡଙ୍ଗାଧରି ବସିଛି l କାଳେ ସେମାନେ ଧରା ପଡ଼ିଯିବେ ଏହି ଭୟରେ ସେମାନେ ତାକୁ ଭରସାକରି ଡାକି ପାରୁ ନଥାନ୍ତି l ତାଙ୍କୁ ଦେଖି ପକାଇ ନାଉରିଆ କୁହାଟ ମାରି ଡାକିଲା, ଆସ ଆସ, ମହାତ୍ମା ବିଦୁର ପରା ଏଠାରେ ମୋତେ ଧନରତ୍ନ ଦେଇ ଯାଗାଇ ଅଛନ୍ତି ତୁମକୁ ପାରି କରାଇ ଦେବାକୁ,ସମସ୍ତେ ଡଙ୍ଗାରେ ବସ ମୁଁ ଆର ପାରିରେ ପହଞ୍ଚାଇ ଦେଉଛି l
ସମସ୍ତେ ଡଙ୍ଗାରେ ବସିଲେ, କିନ୍ତୁ ଡଙ୍ଗା ଟଳମଳ ହେବାକୁ ଲାଗିଲା,ବୁଡ଼ିଗଲା ଭଳି ଅବସ୍ଥା l ଡ଼ଙ୍ଗା ଗୋଟିଏ ପଟେ ଚାରିଭାଇ ଓ ଅନ୍ୟ ପଟେ ଭୀମ ବସିଲେ ସୁଦ୍ଧା, ଅବସ୍ଥା ପୂର୍ବବତ ରହିଲା l ଭୀମ ସହଦେଵଙ୍କ ପରାମର୍ଶରେ ବାଉନ ଭାର ଗଦାକୁ ତାଙ୍କର ପାଣିରେ ଫିଙ୍ଗି ଦେଲେ l କିଛି ମାତ୍ରାରେ ଭାର ଉଶ୍ୱାସ ହେବାରୁ ଡ଼ଙ୍ଗା ଆଗେଇ ଚାଲିଲା l କିଛିବାଟ ଡ଼ଙ୍ଗା ଗଲାପରେ ଦେଖାଗଲା ଗୋଟିଏ ବିଶାଳକାୟ କୁମ୍ଭୀର ମୁଖ ବ୍ୟାଦାନ କରି ରହିଛି l ସତେ ଅବା ସମସ୍ତଙ୍କୁ ଗିଳି ପକାଇବ l ଯୁଧିଷ୍ଠିର ନାଉରିଆକୁ ପଚାରିବାରୁ ସେ କହିଲା,ଏ କୁମ୍ଭୀର ନାମ ଜଳପ୍ରଭା l ଏହି ନଦୀରେ ବହୁଦିନରୁ କେହି ଡ଼ଙ୍ଗା ନେଇ ଯାଇନାହାଁନ୍ତି l ଏଣୁ ସେ ବହୁ କ୍ଷୁଧିତ ଅଛି l ହୋଇପାରେ ସେ ଆମ ଡଙ୍ଗାକୁ ଓଲଟାଇ ଦେଇ ଆମ ମାନଙ୍କୁ ଭକ୍ଷଣ କରିବ l
ଯୁଧିଷ୍ଠିର ଭୀମଙ୍କ ଆଡ଼କୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁ ଦେବାରୁ ଭୀମ କହିଲେ,” ଆମ ଭିତରୁ କାହାକୁ ଯଦି କୁମ୍ଭୀରକୁ ଖାଇବା ପାଇଁ ଦେଇ ଦିଆଯାଏ, ତାହେଲେ ଅନ୍ୟମାନେ ନିରାପଦରେ ଚାଲି ଯାଇ ପାରିବେ l କିନ୍ତୁ କାହାକୁ ଦିଆଯିବ? ସହଦେଵକୁ ଯଦି ଦିଆଯାଏ, ତେବେ ଆମକୁ ଭୁତ ଭବିଷ୍ୟତ କଥା କିଏ କହିବ l ନକୁଳଟା ବହୁତ ବିଳାସୀ ଓ ସୁଖପ୍ରୀୟ l ତେଣୁ ସେଇଆକୁ ଦେଇ ଦିଆଯାଉ l ଯୁଧିଷ୍ଟିର ଏଥିରେ ଅମଙ୍ଗ ହୋଇ କହିଲେ, ମାଆ ମାଦ୍ରୀଙ୍କର ସେ ବଡ଼ ପୁଅ l ତାକୁ କେବେ ମରଣ ମୁହଁକୁ ମୁଁ ପଠାଇ ପାରିବି ନାହିଁ l ଅର୍ଜୁନଙ୍କ କଥା ପଡ଼ିବାରୁ ଯୁଥିଷ୍ଠିର ଧର୍ମ ସଙ୍କଟରେ ପଡ଼ି ଗଲେ l ସେ କହିଲେ,ଅର୍ଜୁନ ଇନ୍ଦ୍ରଙ୍କ ପୁତ୍ର l ପୁଣି କୃଷ୍ଣଙ୍କ ପ୍ରୀୟ ସଖା l ତାକୁ ଆମେ ଦେଇ ଦେଲେ ଦୁହିଁଙ୍କ ରୋଷର ଶିକାର ହେବାକୁ ପଡ଼ିବ l ପୁଣି ଅର୍ଜୁନ ଗୁରୁ ଦ୍ରୋଣଙ୍କ ପ୍ରୀୟ ଶିଷ୍ୟ l ଏହା କଲେ ନିଶ୍ଚୟ ମୁଁ ଗୁରୁ ଦ୍ରୋହୀ ହେବି l ବର୍ତ୍ତମାନ ଚିନ୍ତା ପଡ଼ିଲା, ତେବେ କଅଣ କରାଯିବ l ଭୀମ କହିଲେ, ଆଉ ରହିଲ ମାତ୍ର ତୁମେ, ମୁଁ ଓ ମାତା କୁନ୍ତୀ l ହୁରୁମା ଭୀମଙ୍କ ମୁଣ୍ଡକୁ ବୁଦ୍ଧି ଗୋଟିଏ ଜୁଟିଲା, ଆଗପଛ କିଛି ବିଚାର ନକରି ସେ କହିଲେ,ଦେଖ ଭ୍ରାତାଶ୍ରୀ ମାଆ ତ ଆମର ଜୀବନରେ ବହୁକିଛି ଭୋଗକରି ସାରିଲେଣି l ଏବେ ଉତ୍ତର ବୟସରେ ସେ କଅଣ କରିବେ? ଚାଲ ତାଙ୍କୁ ହିଁ କୁମ୍ଭୀରକୁ ଦେଇଦେବା l ଯୁଧିଷ୍ଠିର କହିଲେ,ଆରେ ଭୀମ ଏଭଳି ଅମଙ୍ଗଳ କଥା ତୋ ମୁହଁରୁ ବାହାରୁଛି କେମିତି l ପାଞ୍ଚଭାଇ ଆମେ ଥାଉଁ ଥାଉଁ ମାଆକୁ କୁମ୍ଭୀର ମୁହଁକୁ ଦେଇ ଆମେ କି ଯଶ ପାଇବା?
ଭୀମ ଟିକିଏ ରାଗିଯାଇ କହିଲେ,ଆମ ଭିତରୁ ତ କେହି ଯିବେନାହିଁ l ତେବେ ଚାଲ ଏ ନାଉରିଆକୁ ଦେଇ ଦେବା l ଯୁଧିଷ୍ଠିର କହିଲେ,କକା ବିଦୁରଙ୍କ ପରାମର୍ଶରେ ସେ ଆମକୁ ନଦୀ ପାର କରିଦେବା ପାଇଁ ଏଠାରେ ଦିନରାତି ଜଗିରହିଛି, କ’ଣ ଏହା ତାର ପୁରସ୍କାର l ଭୀମ ପୁଣି ରାଗିଯାଇ କହିଲେ, ଭାଇ ତୁମ ଧର୍ମ ବିଚାରରେ ଏହାର ସମାଧାନ ହିଁ ନାହିଁ l ଏବେ ମାଆ କୁହନ୍ତୁ କ’ଣ କରାଯିବ l
ଭୀମଙ୍କ କଥାଶୁଣି ମାଆ କୁନ୍ତୀ ତାଙ୍କୁ ଟିକେ ଚାହିଁ ଦେଲେ l ଭୀମ ବୁଝିନେଲେ ମାଆ ତାଙ୍କୁ ହିଁ ଯିବା ପାଇଁ ଚାହୁଁଛନ୍ତି l ସେ ଆଉ କାଳ ବିଳମ୍ବ ନ କରି କୁମ୍ଭୀର ପାଟି ଭିତରକୁ କୁଦା ମାରି ଦେଲେ l ସେ ନିଜ ରୁପକୁ ଏତେ ଛୋଟ କରିଦେଲେ ଯେ ଟାକୁ କରି କୁମ୍ଭୀର ତାଙ୍କୁ ଗିଳି ଦେଇ, ଡଙ୍ଗାକୁ ଯିବାକୁ ପଥ ଛାଡ଼ି ଦେଲା l କିଛିବାଟ ଯିବାପରେ କୁମ୍ଭୀର ଉଦର ଭିତରେ ଭୀମ ତାଙ୍କର ଶରୀରକୁ ବିସ୍ତାର କରି ତାକୁ ଦୁଇଫାଳକରି ମାରିଦେଲେ l ଜଳରେ ପହଁରିପହଁରି ଆସି ଭାଇ ଏବଂ ମାତାଙ୍କ ପାଖରେ ପହଞ୍ଚି ଗଲେ l ଭୀମଙ୍କୁ ପଠାଇଦେଇଥିବାରୁ ମା’ କୁନ୍ତୀଙ୍କୁ ଯୁଧିଷ୍ଠିର ବହୁ ଧିକ୍କାର କରୁ ଥାନ୍ତି l ମାଆ କହିଲେ,ବାବୁରେ ତୁ କିଛି ଚିନ୍ତା କରନାହିଁ, ଦେଖ ଏଇନେ ଭୀମ କୁମ୍ଭୀରକୁ ମାରି ଆସି ପହଞ୍ଚିଯିବ l ଭୀମ ସତକୁ ସତ ଆସି ପହଞ୍ଚି ଯିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଗଲା l ଶାରଳା ମହାଭାରତ ଆଦ୍ୟପର୍ବ ବର୍ଣ୍ଣନା ଅନୁଯାୟୀ :-
କୁନ୍ତୀ ଯେ ବୋଇଲେ ଭ୍ରାନ୍ତି ନକର ତୁ କିଛି l
କୁମ୍ଭୀରକୁ ମାରି, ତୋର ଭାଇ ଆସୁ ଅଛି ll
ଏସନ ବିଚାର କରୁଛନ୍ତି ଦେବ ଧର୍ମ l
ସନ୍ନିଧେପ୍ରବେଶ ଯାଇହେଲେ ବୀର ଭୀମ ll
କୁନ୍ତୀଦେବୀ ପଦେ ବୀର ଶୋଇଲା ପ୍ରଣମି l
ଭୀମକୁ କୋଳେ ଧଇଲେ ଯୁଧିଷ୍ଠିର ସ୍ୱାମୀ ll
ଭୀମ ହିଁ ଭୀମକର୍ମା l ଭୀମ ହିଁ କେବଳ ଏ କାର୍ଯ୍ୟ କରିବା ପାଇଁ ସମର୍ଥ l ମାଆ କୁନ୍ତୀଙ୍କୁ ଏହି କଥା ଜଣାଥିଲା l ଏଣୁ କଥାରେ କୁହାଯାଏ,’ଭୀମ ବଳ କୁଇନ୍ତାକୁ ଜଣା ‘l
🙏🙏🙏
ଅର୍ଜୁନୀ
————

Comments are closed.