ସାମାନ୍ୟ ଦୁଷ୍ଟାମି ପାଇଁ ମାଆଛେଉଣ୍ଡ ୯ବର୍ଷର ପୁତୁରାକୁ ଦାଦା-ଖୁଡ଼ିଙ୍କ ତତଲା ଚେଙ୍କ

ମର୍କତନଗର ଥାନା ସିଡିଏ ସେକ୍ଟର ୭ରେ ଅଭାବନୀୟ ଘଟଣା। ଅଝଟ ହେବାରୁ ୯ ବର୍ଷର ପୁଅକୁ ଚେଙ୍କ ସହ ବେଲ୍ଟରେ ମାଡ଼ ଦେଲେ ଦାଦା, ଖୁଡ଼ି। ସେମାନଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଲେ ଆଈ ଓ ଅଜା। ମା’ଙ୍କ ମୃତ୍ୟୁ ପରେ ପିଲାଟିକୁ ଅଜା, ଆଇଙ୍କ ପାଖରୁ ନେଇ ଜୋର କରି ରଖିଥିଲେ ଦାଦା, ଖୁଡ଼ି

୯ବର୍ଷର ଶିଶୁକୁ ତତଲା ଲୁହା ଚେଙ୍କ । ତା ପୁଣି ଆଉ କେହି ନୁହେଁ, ନିଜ ଦାଦା ଓ ଖୁଡ଼ି ଏଭଳି ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ମାଆ ଆରପାରିରେ, ଦ୍ୱିତୀୟ ବିବାହ କରି ନିଜ ନୂଆ ସଂସାରରେ ବ୍ୟସ୍ତ ବାପା । ଆଉ ଏପଟେ ଦାଦା ଓ ଖୁଡ଼ିଠୁ ନିର୍ଯାତନା ସହିଛି ନାବାଳକ ପୁତୁରା । ଘଟଣା ଯେତିକି ହୃଦୟ ବିଦାରକ, ସେତିକି ଉଦ୍‌ବେଗଜନକ ମଧ୍ୟ ।

ଏଭଳି ସଂଗୀନ ଅଭିଯୋଗ ଆସିଛି କଟକ ସିଡିଏ ସେକ୍ଟର-୭ ଅଞ୍ଚଳରୁ । ମର୍କତନଗର ଥାନାରେ ଏତଲା ଦେଇଛନ୍ତି ନାବାଳକର ଅଜା ଆଈ । ଖାଲି ମାଡ଼ କି ଚେଙ୍କ ନୁହେଁ, ଦାଦା ଖୁଡ଼ି ଶିଶୁଟିକୁ ଉଲଗ୍ନ କରି ରାତି ଅଧରେ ରାସ୍ତାରେ ଛାଡ଼ିଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ସେମାନେ । ୨୦୧୮ରେ ଝିଅର ମୃତ୍ୟୁ ପରେ ନାତି ସେମାନଙ୍କ ସହ ରହୁଥିଲା, କିନ୍ତୁ ଗତ ଏପ୍ରିଲରେ ନାବାଳକର ଦାଦା ଓ ଖୁଡ଼ି ନିଜ ସହ ପୁତୁରାକୁ ରଖିବେ କହି ସେମାନଙ୍କ କଟକ ସ୍ଥିତ ଘରକୁ ନେଇ ଆସିଥିଲେ ।

ହେଲେ ଦଶହରା ଛୁଟିରେ କୁନି ପିଲାଟି ଅଜାଘରକୁ ବୁଲିଯାଇ ଦାଦାଖୁଡ଼ିଙ୍କ ନିର୍ଯାତନା ସଂପର୍କରେ ଜଣାଇଥିଲା ବୋଲି ସେମାନେ କହିଛନ୍ତି । ଶିଶୁଟିର ଦେହରେ ଚେଙ୍କ ଓ କ୍ଷତ ଚିହ୍ନ ମଧ୍ୟ ରହିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଖୁଡ଼ି ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ମିଛରେ ବଦନାମ କରାଯାଉଥିବା କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ, ନାବାଳକକୁ ସିଡବ୍ଲୁସିରେ ହାଜର କରାଇ ବୟାନ ରେକର୍ଡ କରିବ ।

ଅଭିଯୋଗକୁ ଭିତ୍ତି କରି ମର୍କତନଗର ପୋଲିସ ଏକ ମାମଲା କରିଛି। ଆଇପିସିର ଦଫା ୫୦୬, ୩୨୩, ୩୨୪, ୩୪୧ ଓ ୨୩ ଜୁଭେନାଲ ଆକ୍ଟରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ନାବାଳକର କାଉନସିଲିଂ ସହ ସୁରକ୍ଷା ଓ ଯତ୍ନ ନିମନ୍ତେ ତାକୁ CWCରେ ମର୍କତନଗର ପୋଲିସ ହାଜର କରିବ ବୋଲି ଜଣାପଡ଼ିଛି।

Comments are closed.