ନୀଳାଚଳ ସାରସ୍ୱତ ସଂଘ ପକ୍ଷରୁ ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ଦେବଙ୍କ ୫୭ତମ ବାର୍ଷିକ ଉତ୍ସବ ପାଳିତ
ପଟ୍ଟାମୁଣ୍ଡାଇ ୨୬/୧୦ : ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ନୀଳାଚଳ ସାରସ୍ୱତ ସଂଘର ପଟ୍ଟାମୁଣ୍ଡାଇ ନଗର ଶାଖାର ୫୭ତମ ବାର୍ଷିକ ଉତ୍ସବ ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ମାଟିଆ ଗ୍ରାମରେ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି।
ଏହି ଉତ୍ସବରେ ଶାଖା ସଂଘର ସଭାପତି ସଂଗ୍ରାମ କେଶରୀ ସିଂହ ଯୋଗଦେଇ ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ଦେବଙ୍କ ଆଦର୍ଶ ଓ ଭାବଧାରା ଉପରେ ଆଲୋକପାତ କରିଥିଲେ। ସମାଜରେ ପ୍ରେମ, ପ୍ରୀତି, ଭାଇଚାରା ଓ ପରସ୍ପର ମଧ୍ୟରେ ସଦ୍ଭାବ ବଜାୟ ରଖିବା ସହ ଠାକୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ଗଢ଼ିତୋଳିବା ପାଇଁ ସେ ଉପସ୍ଥିତ ଭକ୍ତ ଓ ଅନୁଗାମୀମାନଙ୍କୁ ଆହ୍ୱାନ ଦେଇଥିଲେ।
ଏହି ଉତ୍ସବ କ୍ରମରେ
ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର କୃତୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ଓ ସେମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଉତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି କାର୍ଯ୍ୟକ୍ରମଟି ସଂଘର ଉପସଭାପତି ଭୁବନ ବିହାରୀ ନାୟକ, ସମ୍ପାଦକ ବିଚିତ୍ର କୁମାର ନାୟକ, ସହସମ୍ପାଦକ ମାନସ ରଞ୍ଜନ ମହାନ୍ତି ଓ କୋଷାଧ୍ୟକ୍ଷ ନିହାର ରଞ୍ଜନ ବେହୁରାଙ୍କ ନେତୃତ୍ୱରେ ସୁଚାରୁରୂପେ ଆୟୋଜିତ ହୋଇଥିଲା।
ଏହି ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସଂଘର ପ୍ରତିନିଧିମାନେ ଯୋଗଦେଇଥିଲେ। ଏଥିସହ ସ୍ଥାନୀୟ ଗ୍ରାମବାସୀ ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଉତ୍ସବର ଗାରିମା ବୃଦ୍ଧି କରିଥିଲେ।
ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ଦେବଙ୍କ ଆଧ୍ୟାତ୍ମିକ ଚିନ୍ତାଧାରା, ମାନବିକ ମୂଲ୍ୟବୋଧ ଓ ସାମାଜିକ ସଦ୍ଭାବନାର ବାର୍ତ୍ତାକୁ ସମାଜରେ ପ୍ରସାର କରିବା ସହ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବାରେ ଏହି ବାର୍ଷିକ ଉତ୍ସବ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।