୪୧୬ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବି.ଏମ୍.ସି)କୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି । ଏହାଦ୍ବାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ବି.ଏମ୍.ସି ରେ ୨୧୦ଟି ଅନୁମୋଦିତ ପଦବୀ ଥିବାବେଳେ, ଏହି ଅତିରିକ୍ତ ୪୧୬ଟି ପଦବୀ ସୃଷ୍ଟି ଦ୍ବାରା ଏହାର ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଲା। ପୂର୍ବରୁ ନିଗମର ପ୍ରଶାସନିକ କ୍ଷେତ୍ରରେ ଗୋଟିଏ ଅତିରିକ୍ତ କମିଶନର ପଦବୀ ଥିବାବେଳେ, ବର୍ତ୍ତମାନ ଆଉ ୩ଟି ଅତିରିକ୍ତ କମିଶନର ପଦବୀ ସୃଷ୍ଟି କରାଯାଇ ସମୁଦାୟ ପଦବୀ ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି। ସେହିପରି ୬ଟି ନୂତନ ଜୋନାଲ କମିଶନର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ପୂର୍ବରୁ ୩ଟି ଡେପୁଟି କମିଶନର ପଦବୀ ଥିବାବେଳେ, ଏଥିରେ ୧୩ଟି ନୂତନ ପଦବୀ ସୃଷ୍ଟି କରାଯାଇ, ସମୁଦାୟ ଡେପୁଟି କମିଶନର ପଦବୀ ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି। ଏହାସହିତ ପୂର୍ବରୁ ୪ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ଥିବାବେଳେ ଆଉ ୯ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୩ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ରଖାଯାଇଛି । ନିଗମର ଅର୍ଥ ବିଭାଗରେ ୧୧ଟି ନୂତନ ପଦବୀ ସୃଷ୍ଟି କରାଯାଇଥିବା ବେଳେ ଯୋଜନା ବିଭାଗରେ ୪ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ୧୭ଟି ନୂତନ ପଦବୀ, ସାନିଟେସନ (ଇଂଜିନିୟରିଂ) ବିଭାଗରେ ୫ଟି ନୂତନ ପଦବୀ, ଡ୍ରେନେଜ ବିଭାଗରେ ୨୦ଟି ପଦବୀ, ମେକାନିକାଲ ବିଭାଗରେ ୨ଟି, ଆଇନ ବିଭାଗରେ ଗୋଟିଏ, ଲୋକସଂପର୍କ ବିଭାଗରେ ୨ଟି, ସୌନ୍ଦର୍ଯ୍ୟକରଣ ଓ ଲ୍ୟାଣ୍ଡ ସ୍କେପିଂ ବିଭାଗରେ ୭ଟି, ପ୍ରାଣୀକଲ୍ୟାଣ ବିଭାଗରେ ୪ଟି, ସାମାଜିକ କଲ୍ୟାଣ ବିଭାଗରେ ୧୩ଟି, ବିପର୍ଯ୍ୟୟ ଓ ଜରୁରୀ ସେବା ବିଭାଗରେ ଗୋଟିଏ, ଏନଫୋର୍ସମେଣ୍ଟ ବିଭାଗରେ ୧୯ଟି, ଅମଲା ବିଭାଗରେ ୯୩ଟି ଏବଂ ୱାର୍ଡ ଅଫିସ ବିଭାଗରେ ୧୮୭ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ପୂର୍ବରୁ ୨ଟି ସିଭିଲ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବାବେଳେ ଏହାକୁ ୬କୁ ବୃଦ୍ଧି କରାଯାଇଛି । ସେହିପରି ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀକୁ ୭ ରୁ ୧୩କୁ ବୃଦ୍ଧି କରାଯାଇଛି ଏବଂ ସିଭିଲ ଜୁନିଅର ଇଂଜିନିୟର ପଦବୀ ସଂଖ୍ୟାକୁ ୧୭ରୁ ୨୪କୁ ବୃଦ୍ଧି କରାଯାଇଛି। ପରିମଳ (ଇଂଜିନିୟରିଂ) ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ଏଥିରେ ମଧ୍ୟ ୫ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ), ଗୋଟିଏ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ) ଓ ୩ଟି ଜୁନିଅର ଇଂଜିନିୟର (ପରିମଳ) ଅନ୍ତର୍ଭୁକ୍ତ।

Comments are closed.