୧୦୨୦ ଦିନ ପରେ ବିରାଟ ଶତକ

ଦୁବାଇ : ଦୁଇ ବର୍ଷ ୯ ମାସ ୧୫ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ମୋଟ ୧୦୨୦ ଦିନର ସଂଘର୍ଷ ପରେ ବିରାଟଙ୍କ ବ୍ୟାଟ୍‌ରୁ ମିଳିଛି ବିରାଟ ଶତକ। ଏହି ତିନି ବର୍ଷ ପ୍ରାୟ ମଧ୍ୟରେ କୋହଲି ଖେଳିଥିବା ୮୪ ଅନ୍ତର୍ଜାତୀୟ ପାଳି ଥିଲା ଶତକଶୂନ୍ୟ। ଗୁରୁବାର ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ କୋହଲି କିନ୍ତୁ ମାତ୍ର ୬୧ ବଲରୁ ୧୨୨* ରନ୍‌ (୧୨ ଚୌକା, ୬ ଛକା)ର ପାଳି ଖେଳି ଏକ ଦୀର୍ଘଶ୍ବାସ ପକାଇଛନ୍ତି। କୋହଲିଙ୍କ ମୁଖମଣ୍ଡଳ ସହିତ ତାଙ୍କ କୋଟି କୋଟି ପ୍ରଶଂସକଙ୍କ ମୁହଁରେ ଫୁଟିଛି ହସ। ଏସିଆ କପ୍‌ ନୈରାଶ୍ୟ ପରେ କୋହଲିଙ୍କ ଫର୍ମ ମଧ୍ୟ ଭାରତକୁ ବିଶ୍ବକପ୍‌ ପୂର୍ବରୁ ଆତ୍ମସନ୍ତୋଷ ଦେଇଛି। ଅନେକ ମାଇଲଖୁଣ୍ଟର ପ୍ରତିଷ୍ଠାତା ବିରାଟ କୋହଲି ନିଜର ଅନ୍ୟତମ ଅଧୁରା ସ୍ବପ୍ନକୁ ଏହି ଅବସରରେ ପୂରଣ କରିଛନ୍ତି। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମ ଶତକ ହାସଲ କରିବା ସହ ଏହି ଫର୍ମାଟରେ ଭାରତ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋରର୍‌ ହୋଇଛନ୍ତି।

ପୂର୍ବରୁ ରୋହିତ ଶର୍ମାଙ୍କ (୧୧୮ ବନାମ ଶ୍ରୀଲଙ୍କା, ଇନ୍ଦୋର, ୨୦୧୭) ନାମରେ ଥିଲା ଏହି ଭାରତୀୟ କୀର୍ତ୍ତିମାନ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲି ମଧ୍ୟ ୭୧ତମ ଶତକ ସହିତ ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି। ତେବେ ପାଳି ଦୃଷ୍ଟିରୁ ପଣ୍ଟିଂ (୬୬୮)ଙ୍କୁ ପଛରେ ପକାଇ କୋହଲି (୫୨୨ ପାଳି) ଦ୍ବିତୀୟକୁ ଉଠିଛନ୍ତି। ଶୀର୍ଷରେ ରହିଛନ୍ତି ସଚିନ ତେନ୍ଦୁଲକର (୧୦୦ ଶତକ, ୭୮୨ ପାଳି)। ଟ୍ବେଣ୍ଟି-୨୦ ଫର୍ମାଟରେ କୋହଲି ଭାରତ ପାଇଁ ପ୍ରଥମ ଶତକ ହାସଲ କରିଥିଲେ ମଧ୍ୟ ଏସିଆ କପ୍‌ରେ ଏହା ତାଙ୍କ ଚତୁର୍ଥ ଶତକ। ଏଥି ସହିତ କୁମାର ସାଙ୍ଗାକାରାଙ୍କ ସମକକ୍ଷ ଏବଂ ଜୟସୁରିଆ (୬ ଶତକ)ଙ୍କ ପଛକୁ ଦ୍ବିତୀୟରେ ପହଞ୍ଚିଛନ୍ତି। ଟ୍ବେଣ୍ଟି-୨୦ ଫର୍ମାଟରେ କୋହଲିଙ୍କ ପୂର୍ବ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ଥିଲା ୧୧୩ ରନ୍‌ (ଆର୍‌ସିବି ବନାମ ପଞ୍ଜାବ କିଙ୍ଗ୍ସ, ୨୦୧୬)। କୋହଲିଙ୍କ ଏହି ଆକର୍ଷଣୀୟ ଶତକ ସହିତ ଭାରତ ମଧ୍ୟ ଗୁରୁବାର ଗୁରୁତ୍ବହୀନ ମ୍ୟାଚ୍‌ରେ ୨୧୨ ରନ୍‌ ସ୍କୋର୍‌ କରି ନେଇଥିଲା। ଏହା ପରେ ଭୁବନେଶ୍ବର କୁମାର (୪-୧-୪-୫)ଙ୍କ ଘାତକ ଇନ୍‌ସୁଇଙ୍ଗ କାରଣରୁ ସାନ୍ତ୍ବନାମୂଳକ ବିଜୟ ହାସଲ କରି ନେଇଥିଲା।

Comments are closed.