ବାଲି ତୃତୀୟା

ଅର୍ଜୁନୀ ଚରଣ ବେହେରା

ଆମ ହିନ୍ଦୁ ପରମ୍ପରାରେ ବର୍ଷ ସାରା ବିଭିନ୍ନ ପର୍ବ ପର୍ବାଣୀ ଲାଗିରହିଥାଏl ମାସ,ବାର,ତିଥି,ନକ୍ଷତ୍ର ଦେବା ଦେବୀଙ୍କୁ ଭିତ୍ତିକରି ଅସୁମାରୀ ପର୍ବ l ଆମ ରାଜ୍ୟ ଓଡ଼ିଶା ତନ୍ମଧ୍ୟରୁ ଏକ ନିଆରା ପର୍ବ ବହୁଳ ରାଜ୍ୟ l ସେହିଭଳି ଗୋଟିଏ ପର୍ବ ବାଲି ତୃତୀୟା ଯାହା ତିଜବ୍ରତ ଏବଂ ହରିତାଳିକା ନାମରେ ମଧ୍ୟ ଜଣା l ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟାରେ ପଡ଼ି ଥାଏ ଏହି ପର୍ବ l ଏହା ହିନ୍ଦୁ ନାରୀସମାଜର ଏକ ପ୍ରଧାନ ପର୍ବ l ସଧବା ନାରୀଗଣ ସ୍ୱାମୀର ମଙ୍ଗଳ କାମନା କରି ଓ କୁମାରୀ ଝିଅମାନେ ଉତ୍ତମ ବର ପ୍ରାପ୍ତି ପାଇଁ ଏହି ବ୍ରତ ପାଳନ କରିଥାନ୍ତି l
ବାଲିତୃତୀୟା ବ୍ରତ ପାଳନ ପଛରେ ଏକ ସୁନ୍ଦର ପୌରାଣିକ କିମ୍ବଦନ୍ତି ରହିଛି l
ମାଆ ପାର୍ବତୀଙ୍କ ବିବାହ ବୟସ ଉପସ୍ଥିତ l ପିତା ନଗାଧିରାଜ ହିମାଳୟ ଝିଅର ବିବାହ ଶ୍ରୀ ବିଷ୍ଣୁଙ୍କ ସହ ସ୍ଥିରକଲେ l କିନ୍ତୁ ମା’ ପାର୍ବତୀ ମନେ ମନେ ଶିବଙ୍କୁ ବରଣ କରି ସାରି ଥାନ୍ତି l ପିତାଙ୍କ ପ୍ରସ୍ତାବ, ବିଷ୍ଣୁଙ୍କ ସହ ବିବାହକୁ ସେ ଗ୍ରହଣ କରି ପାରିଲେ ନାହିଁ l ତାଙ୍କର ଏକା ଜିଦ ମୋତେ କୋଟିଏ ଜନ୍ମ ଲାଗୁ ପଛେ ମୁଁ ଶିବଙ୍କୁ ହିଁ ବରିବି ନହେଲେ ଚିର କୁମାରୀ ରହିବି :-
ଜନ୍ମ କୋଟି ଲଗି ରଗର ହମାରୀ l
ବରଉଁ ଶମ୍ଭୁ ନ ତ ରହଉଁ କୁଆଁରୀ ll
କିନ୍ତୁ ମା’ ପାର୍ବତୀ ତାଙ୍କର ଏ ମନୋଭାବ ପିତାଙ୍କ ଆଗରେ ପ୍ରକାଶ କରିପାରୁ ନଥାନ୍ତି l ବିବାହ ଦିନ ସ୍ଥିର ହେଲା l ସେଦିନ ଉମା ତାଙ୍କ ସଖୀ ମାନଙ୍କୁ ଧରି ଘରଛାଡ଼ି ଜଙ୍ଗଲକୁ ପଳାୟନ କଲେ l ଯାଉଁ ଯାଉଁ ବାଟରେ ଏକ ନଦୀ ପଡ଼ିଲା l ଉମା ସେହି ନଦୀ ବାଲିରେ ଶିବଲିଙ୍ଗଟିଏ ଗଢ଼ି ପୂଜା କଲେ l ତାଙ୍କ କଠୋର ବ୍ରତରେ ଶିବଙ୍କ ମତି ଟଳି ଗଲା l ଶିବ ଆସି ପାର୍ବତୀଙ୍କ ସମ୍ମୁଖରେ ପ୍ରକଟ ହୋଇ ତାଙ୍କୁ ସ୍ୱୀକୃତି ଦେବାରୁ ପାର୍ବତୀ ତାଙ୍କ ଗଳାରେ ବରଣ ମାଳ ଲମ୍ବାଇ ଦେଲେ l ସେ ଦିନଟି ଥିଲା ଭାଦ୍ରବ ଶୁକ୍ଳତୃତୀୟା l ପାର୍ବତୀ ସେଦିନ ବାଲୁକା ନିର୍ମିତ ଶିବଲିଙ୍ଗ ପୂଜନ କରି ଶିବଙ୍କୁ ପତିରୂପେ ପାଇଥିବାରୁ ଝିଅମାନେ ମନୋମତ ବର ପାଇବା ପାଇଁ ଏହି ବାଲିତୃତୀୟା ବ୍ରତ ପାଳନ କରିଥାନ୍ତି l
ପାର୍ବତୀ ଏହି ବ୍ରତର ପ୍ରଚଳନ କରି ଥିବାରୁ ଏହା ଗୌରୀବ୍ରତ ନାମରେ ମଧ୍ୟ ପ୍ରସିଦ୍ଧ l ଶଙ୍କରଙ୍କସହ ମାତା ପାର୍ବତୀ,ଗଣେଶଙ୍କୁ ମଧ୍ୟ ପୂଜା କରିବା ଵିଧି ଏଥିରେ ରହିଛି l ପ୍ରକାଶ ଥାଉକି ତ୍ରେତାଯୁଗରେ ଜାନକୀ ଓ ଦ୍ୱାପର ଯୁଗରେ ଗୋପୀମାନେ ମାଆ ଗୌରୀଙ୍କୁ ପୂଜାକରି ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ପତି ଭାବେ ଲାଭକରିବାକୁ ପ୍ରାର୍ଥନା କରିଥିଲେ l ଭାଗବତରେ ଉଲ୍ଲେଖ ଅଛି :-
ଭୋ ମାତ ଶଙ୍କର ଯୁବତୀ l
ନନ୍ଦ କୁମର ଦିଅ ପତି ll
ଷୋଳ ଶହସ୍ର ଗୋପନାରୀ l
ବର ଇଛିଲେ ନରହରି ll
ମାତା ସୀତାଙ୍କ ଗୌରୀ ପୂଜନ ସମ୍ବନ୍ଧରେ ରାମ ଚରିତ ମାନସରେ ଉଲ୍ଲେଖ ଅଛି :-
ମଜ୍ଜନୁ କରି ସର ସଖିହ୍ନ୍ନ ସମେତା l
ଗଇ ମୁଦିତ ମନ ଗୌରୀ ନିକେତା ll
ପୂଜା କୀହ୍ନି ଅଧିକ ଅନୁରାଗା l
ନିଜ ଅନୁରୂପା ଶୁଭଗ ବରୁ ମାଗା ll
ବ୍ରତରେ ନାରୀମାନେ ନିର୍ଜଳାଉପବାସ କରିଥାନ୍ତିl ପ୍ରଭାତରେ ସ୍ନାନ ମାର୍ଜନ ସାରି ଦିନସାରା ଉପାସ ରହି ପୁଣି ସନ୍ଧ୍ୟାସମୟରେ ନଦୀରେ ଯାଇ ସ୍ନାନ କରନ୍ତି,ନଦୀ ତୁଠରେ ବାଲୁକା ଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା ପରେ କିଛି ବାଲୁକା ଆଣି ଘରେ ଏକା କିମ୍ବା ସମବେତ ଭାବେ ଲିଙ୍ଗ ନିର୍ମାଣ କରି ପୂଜା କରିଥାନ୍ତି l ଲିଙ୍ଗଙ୍କୁ ଯଥାରୀତି ନୈବେଦ୍ୟ ଅର୍ପଣ କରି ବାଲିତୃତୀୟା ବ୍ରତମାହାତ୍ମ୍ୟ ପଠନ, ଶ୍ରବଣ କରାଯାଏ l ଏହି ବ୍ରତର ମୂଳ ମନ୍ତ୍ର ହେଲା :-
ନମଃ ଶିବାୟ ଶାନ୍ତାୟ ପଞ୍ଚବକ୍ରାୟ ମୀତୁଷେ,
ନନ୍ଦୀଭୃଙ୍ଗ ମହାକାଳ ଗଣ ଯୁକ୍ତାୟଃ ସମ୍ଭବେ, ଶିବାୟେସର୍ବମଙ୍ଗଲ୍ୟେ ଶିବାଐ ସତତଂନମଃ ll
ନାରୀ ସମାଜରେ ବାଲି ତୃତୀୟା ଏକ ଶ୍ରେଷ୍ଠ ବ୍ରତ ରୂପେ ବିବେଚିତ ହୁଏ l ନିଷ୍ଠାର ସହିତ ଏହି ବ୍ରତ ପାଳନ କଲେ ନାରୀ ଜନ୍ମ ସଫଳ ହୁଏ ଓ ମୃତ୍ୟୁ ଉପରାନ୍ତେ ଶିବଲୋକ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି l ପୂଜା ଶେଷରେ ଓଷା ମାହାତ୍ମ୍ୟ ପାଠ କରି ବୋଲା ଯାଇଥାଏ :-
ସର୍ବ ମଙ୍ଗଳା ସ‌ହିତେ ଶିବଙ୍କୁ ପ୍ରଣାମ l
ଶିବେ ସର୍ବଦାତ୍ରୀ ଶିବରୂପେ ନମୋନମଃ ll
ଭବସାଗରେ ପଡ଼ି ମୁଁ କରୁଛି ଦଇନି l
ପ୍ରସନ୍ନେ ସୌଭାଗ୍ୟଦିଅ ହେ ସିଂହବାହିନୀ ll
🙏🙏🙏
ଅର୍ଜୁନୀ
———-
ମୋ -୭୬୯୩୦୯୧୯୭୧

Comments are closed.