ମହିଳା ଟି୨୦ ବିଶ୍ବକପ୍‌: ସେମି ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟରେ ଭାରତ

ଲର୍ଡସ : ରବିବାର ଚଳିତ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟର ଅନ୍ତିମ ଦିନ। ରବିବାର ହିଁ ନିଶ୍ଚିତ ହୋଇଯିବ ଯେ ଗ୍ରୁପ୍-୧ରୁ ଅଷ୍ଟ୍ରେଲିଆ ପରେ ୨ୟ ଦଳ ଭାବେ କିଏ ସେମିଫାଇନାଲ ଖେଳିବ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସମସ୍ତ ମ୍ୟାଚ୍‌ ଜିତି ଉଭୟ ଗ୍ରୁପ୍‌ର ଶୀର୍ଷରେ ରହି ସେମିଫାଇନାଲ ଖେଳିବା ନିଶ୍ଚିତ କରିଛନ୍ତି। ରବିବାରକୁ ଅପେକ୍ଷା। ଏହିଦିନ ଗ୍ରୁପ୍-୧ରେ ଭାରତୀୟ ସମୟ ଅପରାହ୍ଣ ୩ଟାରେ ବାଂଲାଦେଶ-ଦକ୍ଷିଣ ଆଫ୍ରିକା ଏବଂ ସନ୍ଧ୍ୟା ୭ଟାରୁ ଭାରତ-ଅଷ୍ଟ୍ରେଲିଆ ମୁକାବିଲା ହେବ। ବାଂଲାଦେଶକୁ ହରାଇଲେ ଦକ୍ଷିଣ ଆଫ୍ରିକା ସେମିରେ ପହଞ୍ଚିବ। ତେବେ ବାଂଲାଦେଶଠାରୁ ଯଦି ଦକ୍ଷିଣ ଆଫ୍ରିକା ହାରିଯାଏ; ତେବେ କମ୍ ନେଟ୍‌ ରନ୍‌ରେଟ୍‌ ଥିବା ଦକ୍ଷିଣ ଆଫ୍ରିକା ଚାହିଁବ ଯେ ଭାରତକୁ ଅଷ୍ଟ୍ରେଲିଆ ପରାସ୍ତ କରୁ। ଦକ୍ଷିଣ ଆଫ୍ରିକା ଯଦି ବାଂଲାଦେଶକୁ ହରାଇ ୮ ପଏଣ୍ଟରେ ପହଞ୍ଚେ; ତେବେ ଅଷ୍ଟ୍ରେଲିଆକୁ ହରାଇଲେ ଭାରତ ସେମିଫାଇନାଲ ଖେଳିବ; ଅନ୍ୟଥା ନୁହେଁ। ତେଣୁ ଦକ୍ଷିଣ ଆଫ୍ରିକାକୁ ବାଂଲାଦେଶ ହରାଇଲେ କିମ୍ବା ଅଷ୍ଟ୍ରେଲିଆକୁ ପରାସ୍ତକଲେ; ଭାରତ ସେମିଫାଇନାଲ ଖେଳିବ।

ଗତ ଦିନିକିଆ ବିଶ୍ବକପ୍‌ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଫାଇନାଲରେ ପହଞ୍ଚି ପରେ ଚମ୍ପିଆନ୍‌ ହୋଇଥିଲା। ପୁଣି ଏକ ବିଶ୍ବକପ୍‌ରେ ଭାରତର ବାଟ ଓଗାଳିଛି ଅଷ୍ଟ୍ରେଲିଆ। ଫିବି ଲିଚ୍‌ଫିଲ୍‌ଡଙ୍କ ପରି ଭଲ ବ୍ୟାଟରଙ୍କ ଅନୁପସ୍ଥିତି ସତ୍ତ୍ବେ ଅଷ୍ଟ୍ରେଲିଆ ପ୍ରାଧାନ୍ୟ ବିସ୍ତାରକରି ୪ଟି ମ୍ୟାଚ୍‌ ଜିତିଛି। ଭାରତ ୪ଟିରୁ ୩ଟି ମ୍ୟାଚ୍‌ ଜିତିଥିବା ବେଳେ ଏହାଠାରେ ଏକ ଚମ୍ପିଆନ୍‌ ଦଳର ଗୁଣ ଦେଖିବାକୁ ମିଳିନାହିଁ। ୪ଟି ମ୍ୟାଚ୍‌ରେ ଭାରତ ୧୬ ଜଣ ଖେଳାଳିଙ୍କୁ ସୁଯୋଗ ଦେଇଥିଲେ ହେଁ ଏବେ ମଧ୍ୟ ଶ୍ରେଷ୍ଠ ଏକାଦଶ ଖୋଜୁଛି। ଶ୍ରୀୟଙ୍କା ପାଟିଲ ଆହତ ହେବା ଭାରତୀୟ ବୋଲିଂକୁ ସାମାନ୍ୟ ଦୁର୍ବଳ କରିଥିବା ବେଳେ ବାମହାତି ସ୍ପିନର ଶ୍ରୀ ଚରଣି ୪ଟି ମ୍ୟାଚ୍‌ରୁ ୧୨ଟି ୱିକେଟ୍‌ ନେଇଛନ୍ତି। ବାଂଲାଦେଶ ବିପକ୍ଷରେ ଶ୍ରୀୟଙ୍କାଙ୍କ ସ୍ଥାନରେ ଖେଳି ବାମହାତି ସ୍ପିନର ରାଧା ଯାଦବ ୩ଟି ୱିକେଟ୍‌ ନେଇଥିଲେ। ଅଫ୍‌ସ୍ପିନର ଦୀପ୍ତି ଶର୍ମା ଗୋଟିଏ ମ୍ୟାଚ୍‌ରେ ୫ଟି ୱିକେଟ୍‌ ନେଇଥିବା ବେଳେ ବାକି ୩ଟି ମ୍ୟାଚ୍‌ରୁ ୧ ୱିକେଟ୍‌ ନେଇଛନ୍ତି। ବ୍ୟାଟିଂରେ ବି ଭାରତର ସମସ୍ୟା ରହିଛି। ଦୁଇ ଓପ୍‌ନର ସ୍ମୃତି ମାନ୍ଧାନା (୧୬୭) ଓ ଶେଫାଳି ବର୍ମା (୧୪୫)ଙ୍କୁ ଛାଡ଼ି ଅନ୍ୟ ବ୍ୟାଟର ବିଫଳ ହୋଇଛନ୍ତି। ରିଚା ଘୋଷ ଭଲ ଫର୍ମରେ ଥିଲେ ହେଁ ତାଙ୍କୁ ତଳ ଅର୍ଡରରେ ବ୍ୟାଟିଂ ମିଳୁଛି। ଅଧିନାୟକ ହରମନପ୍ରୀତ କୌର ଓ ଜେମିମା ରଡ୍ରିଗ୍ବେଜ୍‌ ବିଫଳ ହୋଇଛନ୍ତି। ଲୁସି ହାମିଲ୍‌ଟନଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଫିବି ଲିଚ୍‌ଫିଲ୍‌ଡଙ୍କୁ ଖେଳାଇ ବ୍ୟାଟଂିକୁ ମଜଭୁତ କରିବ।

Comments are closed.