ଅପରେସନ ଟାଇଗର ୩.୦; ସିନ୍ଦେ ଗୋଷ୍ଠୀରେ ମିଶିବେ ଉଦ୍ଧବଙ୍କ ୧୪ ବିଧାୟକ!

ମୁମ୍ବଇ: ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଶିବସେନା (ୟୁଟିବି)ର ୧୪ ଜଣ ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଦଳରେ ଯୋଗ ଦେବେ ବୋଲି ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଗୁଲାବରାଓ ପାଟିଲ କହିବା ପରେ ବିଭିନ୍ନ ମହଲରେ ହଇଚଇ ସୃଷ୍ଟି ହୋଇଛି।

ସୂଚନାଥାଉ କି କିଛିଦିନ ତଳେ ଶିବସେନା (ୟୁଟିବି)ର ୬ ସାଂସଦ ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଥିବା ବେଳେ ଆଗାମୀଦିନରେ ଯଦି ଏହି ଦଳର ବିଧାୟକମାନେ ସିନ୍ଦେ ଗୋଷ୍ଠୀରେ ସାମିଲ ହେବା ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା କରାଯାଉଛି। ମହାରାଷ୍ଟ୍ର ସରକାରରେ ସିନ୍ଦେ ଗୋଷ୍ଠୀ ତରଫରୁ ମନ୍ତ୍ରୀ ଥିବା ଗୁଲାବରାଓ ପାଟିଲ କହିଥିଲେ ଅପରେସନ ୩.୦ ଆରମ୍ଭ ହୋଇଯାଇଛି। ଅପରେସନ ୩.୦ ଅନୁଯାୟୀ ଶିବସେନା (ୟୁଟିବି)ର ୧୪ ଜଣ ବିଧାୟକ ଖୁବ୍‌ଶୀଘ୍ର ଏକନାଥ ସିନ୍ଦେଙ୍କ ଶିବିରେ ଯୋଗ ଦେବେ। ପାଟିଲଙ୍କ ଏହି ମନ୍ତବ୍ୟ ଶିବସେନାର ଅନ୍ୟତମ ମନ୍ତ୍ରୀ ଉଦୟ ସାମନ୍ତଙ୍କ ଉକ୍ତିର ବିରୁଦ୍ଧାଚରଣ କରୁଛି। କିଛିଦିନ ତଳେ ଉଦୟ କହିଥିଲେ ଅପରେସନ ୩.୦ କାର୍ଯ୍ୟକ୍ରମ ବୋଲି କିଛି ନାହିଁ। ତେବେ ଶିବସେନା (ୟୁବିଟି)ର କେତେକ ବିଧାୟକ ସେହି ଦଳ ତ୍ୟାଗ କରି ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେବାକୁ ଚାହୁଁଛନ୍ତି।ଶିବସେନା (ୟୁବିଟି)ର ୨୦ଜଣ ବିଧାୟକ ଅଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ପାଟିଲ କହିଥିଲେ ଶିବସେନା (ୟୁଟିବି)ର ବିଧାୟକ ଦଳରେ ଖୁବ୍‌ଶୀଘ୍ର ବିଦ୍ରୋହ ହେବାକୁ ଯାଉଛି। ଏହି ଦଳର ୧୪ଜଣ ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାରେ ଯୋଗ ​ଦେବେ। ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ବିଜୟ ୱାଦିତ୍‌ୱାର ଖୁବଶୀଘ୍ର ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହେବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Comments are closed.