ସ୍ୱୟଂ ସହାୟକ ଗୋଷ୍ଠୀର ଟଙ୍କା ଆତ୍ମସାତ ଅଭିଯୋଗରେ ମହିଳା ଗିରଫ ।

ଗଜପତି,31.8(ମନୋଜ ପାଢ଼ୀ) :-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରି ଏକାଉଣ୍ଟରେ ଜମା କରିବା ପରିବର୍ତ୍ତେ ଆତ୍ମସାତ କରିଥିବା ଅଭିଯୋଗରେ ପାରଳାଖେମୁଣ୍ଡି ପୁଲିସ ଜଣେ ଅଭିଯୁକ୍ତା ମହିଳା ସିଦ୍ଦା କୁମାର ଓରଫ୍ ସିଦ୍ଦା ଆରାଧ୍ୟା ଓରଫ୍ ଲକି (୩୦) ଙ୍କୁ ହାଇଦ୍ରାବାଦର ଜୁବୁଲି ହିଲସ୍ ଥାନା ଅନ୍ତର୍ଗତ ଯୋଶେଫଗୁଡା ଅଞ୍ଚଳର ହାଇଲାମ କଲୋନୀରୁ ଗିରଫ କରିଥିବା ସୂଚନା ପ୍ରଦାନ କରାଯାଇଛି। ଗିରଫ ଅଭିଯୁକ୍ତାଙ୍କ ଘର ପାରଳାଖେମୁଣ୍ଡି ବସନ୍ତ ବିହାର ଅଞ୍ଚଳରେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ଏକ ସମବାୟ ସମିତି ଅଧୀନରେ ସିଦ୍ଦା ଆରାଧ୍ୟା କ୍ଷେତ୍ର ସଂଯୋଜିକା ଭାବେ କାର୍ଯ୍ୟରତ ଥିବା ବେଳେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀରୁ ସଞ୍ଚୟ ଅର୍ଥ, ଋଣ କିସ୍ତି ଓ ଅନ୍ୟାନ୍ୟ ଜମା ଟଙ୍କା ସଂଗ୍ରହ କରି ଏହାର ସଠିକ୍ ହିସାବ ପ୍ରଦାନ ନ ଦେଇ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ମୁକୁଦା -ଆମା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ସାମିନ ବେଗମ୍ ସ୍ୱା :- ମହମ୍ମଦ ଲିୟାକତଙ୍କ ଅଭିଯୋଗ ଆଧାରରେ ଗତ ୧୧ ତାରିଖରେ ପାରଳାଖେମୁଣ୍ଡି ଥାନାରେ ଏକ ଆର୍ଥିକ ଅନିୟମିତତା ଓ ଅପରାଧିକ ଜନିତ ମାମଲା ନଂ. ୧୨/୧୧.୦୬.୨୦୨୬ ୟୁ/ଏସ ୩୧୬(୨)/୩୧୮(୨)/୩୧୪/୨୯୬/୩୫୧(୨)/୩(୫) ବିଏନଏସ ଧାରାରେ ମାମଲା ରୁଜ୍ଜୁ କରାଯାଇଛି। ଅତିରିକ୍ତ କିସ୍ତି ଆଦାୟ ଏବଂ ଗୋଷ୍ଠୀର ସଦସ୍ୟମାନଙ୍କର ପିଲାଙ୍କୁ ନିଯୁକ୍ତି ସୁଯୋଗର ପ୍ରଲୋଭନ ଦେଖାଇ ଅଭିଯୁକ୍ତା ୮୦ ଲକ୍ଷ ଟଙ୍କା ଏବଂ ୧୧୦ ଗ୍ରାମ ସୁନା ସଂଗ୍ରହ କରିଥିବା ଜଣାପଡିଛି। ଟଙ୍କା ଓ ସୁନା ଦେଇ ଠକାମୀର ଶିକାର ହୋଇଥିବା ବ୍ୟକ୍ତିମାନେ ଯେତେବେଳେ ଟଙ୍କା ଫେରାଇବାକୁ ଦାବି କରିଥିଲେ ସେ କୌଶଳ କ୍ରମେ ଗତ ତା-୦୭-୦୧-୨୦୨୬ରିଖ ଠାରୁ ଫେରାର ହୋଇ ଯାଇଥିଲେ। ଏହି ଘଟଣାର ତଦନ୍ତ କରି ପୁଲିସ ଅଭିଯୁକ୍ତା ସିଦ୍ଦା ଆରାଧ୍ୟା ବର୍ତ୍ତମାନ ହାଇଦ୍ରାବାଦରେ ରହୁଥିବା ଖବର ପାଇ ଗତ ୨୯ ତାରିଖ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରି ହାଇଦ୍ରାବାଦ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ପାରଳାଖେମୁଣ୍ଡି ଅଣିଥିଲା। ଅଭିଯୁକ୍ତାଙ୍କୁ ଆଜି ପାରଳାଖେମୁଣ୍ଡି ଏସ୍‌ଡିଜେ ଏମ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା। ଏହି ଘଟଣାରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଠକେଇ ହୋଇଥିବା ଅର୍ଥ ଓ ସୁନାର ସନ୍ଧାନ ନେଇ ପୋଲିସର ତଦନ୍ତ ଜାରି ରହିଥିବା ଜଣାପଡିଛି ।

Comments are closed.