କିଏ ଗଢ଼ିଦେଲା ଅପୂର୍ବ ଦିଅଁଙ୍କୁ

0

କିଏ ଗଢ଼ିଦେଲା ଅପୂର୍ବ ଦିଅଁଙ୍କୁ
===============
ଯଜ୍ଞ ବେଦୀରେ ଶ୍ରୀଯଜ୍ଞ ନୃସିଂହଙ୍କୁ ପ୍ରତିଷ୍ଠା କରି ମହାରାଜ ଇନ୍ଦ୍ରଦ୍ୟୁମ୍ନ ଆରମ୍ଭକରିଥାନ୍ତି ଅଶ୍ଵମେଧ ଯଜ୍ଞ l ମାତ୍ର ଗୋଟିଏ ଦିନ ଗଲେ, ସମାପ୍ତ ହେବ ଏହି ମହାଯଜ୍ଞ,ମହାପ୍ରଭୁ ପ୍ରକାଶ ହେବେ l ପରମ ଉତ୍କଣ୍ଠାର ସହିତ ରାଜା ଶୋଇଥାନ୍ତି l ଅପୂର୍ବ ଏକ ସ୍ବପ୍ନ ଦେଖିଲେ, ନୀଳସମୁଦ୍ରବୁକୁରେ ଭାସୁଛି ଏକ ଦିବ୍ୟ ଦାରୁ l ଆଉ ଗୁରୁ ଗମ୍ଭୀର ସ୍ବରରେ ଶୁଭୁଛି ‘ହେ ରାଜନ୍ !! ତୁମେ ବିଚଳିତ ନ ହୋଇ ମୋର ବ୍ରହ୍ମ ସ୍ୱରୂପ ଦାରୁଙ୍କୁ ଯଜ୍ଞ ବେଦୀକୁ ଘେନି ଆସ l ସ୍ୱୟଂ ବିଶ୍ୱକର୍ମା ଆସି ନିର୍ମାଣକରିବେ, ମୋ ନିଜ ସ୍ୱରୂପ l ମହାରାଜଙ୍କ ନିଦ୍ରା ଭାଙ୍ଗି ଗଲା l ପ୍ରଭାତ ହୋଇ ଯାଇଥାଏ l ସ୍ନାନ ଶୌଚ ଶେଷ କରି ସେ ଧାଇଁଲେ ଯଜ୍ଞବେଦୀ ପାଖକୁ ପୂର୍ଣ୍ଣାହୁତି ଦେବାକୁ l ମହୋଦଧିତଟକୁ ରାଜା ସୈନ୍ୟସାମନ୍ତଙ୍କୁ ପଠାଇ ଦେଲେ ସ୍ବପ୍ନାଦିଷ୍ଟ ମହାଦାରୁଙ୍କୁ ଅନ୍ୱେଷଣ ପାଇଁ l ସତକୁ ସତ ସୈନ୍ୟ ସାମନ୍ତଙ୍କୁ ଦୃଶ୍ୟମାନ ହେଲା ଏକ ଦିବ୍ୟଲକ୍ଷଣଯୁକ୍ତ ମହାଦାରୁ ଫେନିଳ ସମୁଦ୍ର ବକ୍ଷରେ l ମହା ଉତ୍ସବସହ ରାଜା ପବିତ୍ର ଦାରୁଙ୍କୁ ଆଣି ମହାବେଦୀ ଉପରେ ସ୍ଥାପନ କଲେ l ଅନେକ ଶିଳ୍ପୀ ମହାରଣା ଆସି ପହଞ୍ଚିଲେ ସେହି ଦାରୁରେ ବିଗ୍ରହ ନିର୍ମାଣ କରିଦେବାପାଇଁ l ମାତ୍ର ସମସ୍ତେ ବିଫଳ ରହିଲେ l ଦିଅଁ ଗଢିବେ କଅଣ ସାମାନ୍ୟ ବକଳ ଟିକିଏ ଛଡ଼ାଇ ପାରିଲେ ନାହିଁ l ରାଜା ଇନ୍ଦ୍ରଦ୍ୟୁମ୍ନ ଚିନ୍ତିତ ହୋଇ ପଡ଼ିଲେ, କଅଣ ଆଉ ବିଗ୍ରହ ଗଢ଼ା ହୋଇ ପାରିବ ନାହିଁ !
ଠିକ୍ ଏହିସମୟରେ ଜଣେ ବୃଦ୍ଧ ବର୍ଦ୍ଧକୀ କୁଆଡ଼ୁ ଆସି ପହଞ୍ଚିଲେ l ପାକୁଆ ପାଟି ଠୁକୁଠୁକୁ ଚାଲି, ହାତଗୋଡ଼ ଥରୁଛି l ନିଜର ପରିଚୟଦେଇ ବୃଦ୍ଧ ଥଙ୍ଗଥଙ୍ଗ ହୋଇ କହିଲେ, ମୁଁ ଅନନ୍ତ ମହାରଣା l ମୋତେ ଟିକିଏ ସୁଯୋଗ ଦିଆଯାଉ l ମୁଁ ଦାରୁରୁ ଦିଅଁ ଗଢିଦେବି l
ସମସ୍ତେ ଆଶ୍ଚର୍ଯ୍ୟ, ଆରେ କେତେ କେତେ ଲୋକ ଥକି ଗଲେଣି ଏ ବୁଢ଼ାଟା କହୁଛି ଦିଅଁ ଗଢ଼ିଦେବ l ଏମିତି କଥାବାର୍ତ୍ତା ଚାଲିଥିଲାବେଳେ ବୃଦ୍ଧ ବର୍ଦ୍ଧକୀ ନିଜର ବୃଦ୍ଧାଙ୍ଗୁଳି ନଖରେ ଦାରୁକୁ ଟିକିଏ ଆଞ୍ଚୁଡ଼ି ଦେବାରୁ ଦାରୁରୁ ବକଳଛାଡ଼ିଗଲା l ରାଜାଙ୍କ ସ୍ଵପ୍ନ କଥା ସ୍ମରଣହେଲା, ହଁ ପ୍ରଭୁ ତ କହିଥିଲେ, ଜଣେ ବୃଦ୍ଧବର୍ଦ୍ଧକୀ ଆସି ପହଞ୍ଚିବ ଦିଅଁଗଢ଼ିଦେବା ପାଇଁ l ରାଜାଙ୍କ ବିଶ୍ୱାସ ହେଲା l ସେହି ବୃଦ୍ଧଙ୍କୁ ମହାରଣା ରୂପେ ବରଣ କଲେ ମହାରାଜା l
ଅନନ୍ତ ମହାରଣା ଏକ ବିଚିତ୍ର ସର୍ତ୍ତ ରଖି କହିଲେ, “ହେ ରାଜା ! ମୁଁ ଏକୋଇଶି ଦିନ ଯାଏ, ଗୋଟିଏ ନିବୁଜ କୋଠରୀରେ ରହି, ମୂର୍ତ୍ତୀ ନିର୍ମାଣ କରିବି l କୌଣସି ଖାଦ୍ୟ କି ପାନୀୟ ଗ୍ରହଣ କରିବି ନାହିଁ l ଆପଣ କୋଠରୀ ଚାରି ପଟରେ ସୈନ୍ୟ ମୁତୟନ କରନ୍ତୁ ଯେପରି କେହି ଭିତରକୁ ପ୍ରବେଶ କରିବେ ନାହିଁ l କୌଣସି ସ୍ଥିତିରେ ଏକୋଇଶି ଦିନ ପୂର୍ବରୁ ତୁମେ କବାଟ ଖୋଲିବ ନାହିଁ l
ସେଇଆ ହେଲା l ନିବୁଜ କୋଠରୀ ମଧ୍ୟରେ ବୃଦ୍ଧ ବର୍ଦ୍ଧଳୀ ମୂର୍ତ୍ତୀ ନିର୍ମାଣ ଆରମ୍ଭ କଲେ l ତାଙ୍କ ଠକ୍ ଠକ୍ ଶବ୍ଦରୁ କାମ ଚାଲିଛିବୋଲି ଜଣା ପଡୁଥାଏ l ପ୍ରତିଦିନ ମହାରାଣୀଗୁଣ୍ଡିଚା ସେହି ଠକ ଠକ ଶବ୍ଦ ଶୁଣି ଆଶ୍ୱସ୍ତହେଉଥାନ୍ତି ଯେ ବିଗ୍ରହ ଗଢାଚାଲିଛି l ଏପରି ପନ୍ଦରଦିନ ଗଲା l ଷୋହଳ ଦିନ ବେଳକୁ ଆଉ ଠକ ଠକ ଶବ୍ଦ ଶୁଭିଲା ନାହିଁ l ସମସ୍ତଙ୍କର ଆଶଙ୍କା ହେଲା ବୁଢ଼ା ବଢ଼େଇର ଆଉ କ’ଣ କିଛି ହୋଇଗଲା କି? ମହାରାଣୀ ଗୁଣ୍ଡିଚା ଆଉ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ l ମହାରାଜାଙ୍କ ପାଖରେ ଜିଗରକଲେ,ବୁଢ଼ା ବଢେଇ ଆଉ ବୋଧେ ନାହିଁ l କବାଟ ଫିଟେଇ ଦିଅ l ଅବୁଝା ରାଣୀଙ୍କୁ କେତେ ଆଉ ରାଜା ବୁଝାଇବେ l ଶେଷରେ ବାଧ୍ୟ ହେଲେ ରାଜା କବାଟ ଫିଟାଇବାକୁ l
ରାଜା କବାଟଫିଟାଇ ଦେଖନ୍ତି, ଅନନ୍ତ ମହାରଣା କୁଆଡ଼େ ଅନ୍ତର୍ଦ୍ଧାନ l ଥୁଆ ହୋଇଛନ୍ତି, ଅଧାଗଢ଼ା ଅପୁର୍ବ ବିଗ୍ରହ ତିନୋଟି,ପାଖରେ ସ୍ତମ୍ଭ ଗୋଟିଏ l ସେହି ବୃଦ୍ଧ ବର୍ଦ୍ଧକୀ ଅନନ୍ତ ମହାରଣା ଆଉକେହି ନଥିଲେ, ସେ ଥିଲେ ସ୍ଵୟଂ ବିଶ୍ଵକର୍ମା l ମହାପ୍ରଭୁ ତାଙ୍କୁ ପଠେଇ ନିଜର ରହସ୍ୟ ମୟ ଦାରୁ ବିଗ୍ରହ ନିଜେ ହିଁ ଗଢ଼ାଇ ଦେଲେ l ଓଃ !! କି ରୂପ ସିଏ l ସମସ୍ତ ଅପୂର୍ଣ୍ଣତା ମଧ୍ୟରେ ସିଏ ସମ୍ପୂର୍ଣ୍ଣ l ସେ ପୂର୍ଣ୍ଣ ବ୍ରହ୍ମ, ନିର୍ଗୁଣ, ନିରାକାର l ସିଏ ହେଉଛନ୍ତି ଦାରୁ ବ୍ରହ୍ମ, ବ୍ରହ୍ମଦାରୁ l ମୁଁ, ସେହି ବ୍ରହ୍ମଦାରୁ ନିରାକାର ନିର୍ଗୁଣ, ନିର୍ବିକାର, ସର୍ବବ୍ୟାପୀ, ସର୍ବାତ୍ମା ବ୍ରହ୍ମଙ୍କୁ ବାରମ୍ବାର ପ୍ରଣାମ କରୁଛି l
ଦାରୁବ୍ରହ୍ମ ନିରାକାରଂ
ନିର୍ଗୁଣଂ ନିର୍ବିକାରକମ୍ l
ନିଶ୍ଚେଷ୍ଟଂସର୍ବତ୍ତୋବ୍ୟାପ୍ତଂ
ଭାବାଭାବ ବିରାର୍ଜିତମ୍ ll
!!! ଜୟ ଜଗନ୍ନାଥ !!!
🙏🙏🙏
ଅର୍ଜୁନୀ
—————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Leave A Reply

Your email address will not be published.