ବୁଡ଼ିଲା ଜଳ ଯୋଗାଣ ଗୃହ: ୮୦୦ରୁ ଊର୍ଦ୍ଧ୍ୱ ପରିବାର ପାଣି ପାଇଁ ଆକୁଳ, ଚିନ୍ତାରେ ମୋହନାବାସୀ।

0

ମୋହନା, ୨୮।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ବାତ୍ୟା ‘ଅର୍ଣ୍ଣବ’ ପ୍ରକୋପରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ଜାରି ରହିଥିବା ବେଳେ ଗଜପତି ଜିଲା ମୋହନା ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ବୁଧବାର ସନ୍ଧ୍ୟାରେ ନଦୀ ପତନଠାରୁ ପ୍ରାୟ ୨୦ ଫୁଟ୍ ଉଚ୍ଚରେ ଥିବା ଏକ ଘରୋଇ ଜଳ ଯୋଗାଣ ପମ୍ପ୍ ହାଉସ୍‌ରେ ବନ୍ୟାପାଣି ପଶିଯାଇ ବୁଡ଼ିଯାଇଛି। ଫଳରେ ମୋହନାର ୮୦୦ରୁ ଉର୍ଦ୍ଧ୍ୱ ପରିବାରକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ପମ୍ପ ହାଉସ୍‌ ବୁଡ଼ିଯିବା ଯୋଗୁ ଯନ୍ତ୍ରପାତି ଓ ମୋଟର ଅଚଳ ହୋଇପଡ଼ିଛି। ବର୍ଷା କେବେ କମିବ ଏବଂ ଜଳ ଯୋଗାଣ ଯନ୍ତ୍ରପାତି ମରାମତି ହୋଇ ଘରକୁ ପାଣି ଆସିବ, ସେ ନେଇ ସ୍ଥାନୀୟ ମୋହନାବାସୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ବିଶୁଦ୍ଧ ପିଇବା ପାଣି ଟୋପାଏ ପାଇଁ ଲୋକଙ୍କ ମଧ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।

ଏହି ସମସ୍ୟା ନେଇ ମୋହନା ଜଳ ଯୋଗାଣ ଅଧିକାରୀ ପଦ୍ମନାଭ ଖଣ୍ଡେଇ କହିଛନ୍ତି ଯେ, ବନ୍ୟା ଜଳସ୍ତର ହ୍ରାସ ପାଇବା ଏବଂ ବର୍ଷା କମିବା ପରେ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ପମ୍ପ୍ ଗୃହର ମରାମତି କାର୍ଯ୍ୟ ଶେଷ କରାଯିବ। ଅତି ଶୀଘ୍ର ଜଳ ଯୋଗାଣ ସ୍ୱାଭାବିକ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

Leave A Reply

Your email address will not be published.