ଉଠ ଉଠ ଏବେ ପାହିଲା ରାତି
===============
ଉଠ ଉଠ ଏବେ ପାହିଲା ରାତି l
ରାବିଲେଣି କାଉ କଜଳପାତୀ ll
ଘରେ ଘରେ ବୁଲି ଶୁଭ ଶଙ୍ଖୁଆ l
କାଆ ଡାକିଲେଣି ଡାମରା କୁଆ ll
ଭାଟ ସ୍ତବପାଠ ବନେ କୁମ୍ଭାଟ l
କୁକ୍କୁଟ ରାବନ୍ତି ତୋଳି ମୁକୁଟ ll
କମ୍ବୁ ବାଜିଲାଣି ଶମ୍ଭୁ ମନ୍ଦିରେ l
ଡାହୁକ ଡାକନ୍ତି ବଂଶ କୁଞ୍ଜରେ ll
ପୂରୁବ ଆକାଶ ଦିଶଇ ତୋରା l
ଝଟ ଝଟ କରେ ପ୍ରଭାତୀ ତାରା ll
ନିଶିକାନ୍ତ ମୁଖ ଦିଶେ ମଳିନ l
ମନ୍ଦ ମନ୍ଦ ବହେ ଗନ୍ଧ ପବନ ll
ପୁଷ୍ପ ଚୁମି ବହେ ମୃଦୁ ଉଲ୍ଲୋଳ l
ସରସୀରେ ଫୁଟିଲେଣି କମଳ ll
ଯୁଈ ଯାଇ ହେନା ମଲ୍ଲୀ ଟଗର l
ଦିଗ ଚହଟଇ ବାସେ ତାହାର ll
ଲୁପ୍ତ ତାରାଗଣ ଗୋଟି ଗୋଟିକି l
ଲୋହିତ କିରଣ ଦିଶେ ଛିଟିକି ll
ଚାହୁଁ ଚାହୁଁ ଗଲା ସିନ୍ଦୂରା ଫାଟି l
ଦିବାକର ଦିବ୍ୟ ଆଭା ପ୍ରକଟି ll
ଉଠ ଉଠ ପିଲେ ପଖାଳ ମୁଖ l
ଗଣପତି ଧ୍ୟାୟୀ ଅକ୍ଷର ଲେଖ ll
ନିଶି ନାଶ ଗଲା ହୋଇ ପ୍ରଭାତ l
ନମଃ ନମଃ ପ୍ରଭୁ ପଦ୍ମିନୀ କାନ୍ତ ll
🙏🙏🙏
ଅର୍ଜୁନୀ
———-
ଅର୍ଜୁନୀ ଚରଣ ବେହେରା
Sign in
Sign in
Recover your password.
A password will be e-mailed to you.
Prev Post
Next Post