୮୧ ବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟ: ବିଦେଶୀ ବିଦ୍ୟାର୍ଥୀଙ୍କୁ ଆକର୍ଷିତ କରିବ ‘ଆନ୍ତର୍ଜାତିକ କକ୍ଷ’

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ। ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର କାୟାକଳ୍ପରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି। ୮ ଦଶନ୍ଧି ତଳର ଶିକ୍ଷା ଓ ସଂସ୍କୃତିର କ୍ଷୁଦ୍ରସ୍ୱପ୍ନଟି ଆଜି ଓଡ଼ିଶାର ଶିକ୍ଷାୟତନର ବୃହତ୍ ଜ୍ଞାନଭଣ୍ଡାରରେ ପରିଣତ ହୋଇଛି। କଳା, ବିଜ୍ଞାନ, ଆଇନ ଓ ଶିକ୍ଷା ବିଭାଗକୁ ନେଇ ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ ଏବେ ୩୦ରୁ ଅଧିକ ବିଭାଗରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୧୦ଟି ଉତ୍କର୍ଷ କେନ୍ଦ୍ର, ଦୁଇଟି ସହବନ୍ଧିତ ଆଇନ ମହାବିଦ୍ୟାଳୟ ଓ ଗୋଟିଏ ଦୂର ନିରନ୍ତର ନିର୍ଦ୍ଦେଶାଳୟ(ଡିଡିସିଇ) ରହିଛି। ବର୍ତ୍ତମାନ ୧୫ଟି ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ୩୬୫ଟି ଅନୁବନ୍ଧିତ ମହାବିଦ୍ୟାଳୟ ଏହା ଅଧୀନରେ ରହିଛି। କ୍ୟାମ୍ପସରେ ପ୍ରାୟ ୪୫୦୦ ଛାତ୍ରଛାତ୍ରୀ ଓ ଏହା ଅଧୀନ ମହାବିଦ୍ୟାଳୟରେ ୨.୭ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

ରାଜ୍ୟର ସର୍ବବୃହତ୍ ଅନୁବନ୍ଧନ ପ୍ରଦାନ କରୁଥିବା ବିଶ୍ୱବିଦ୍ୟାଳୟ ଭାବେ କ୍ୟାମ୍ପସର ବିଭିନ୍ନ ବିଭାଗରେ ଅତିରିକ୍ତ ୩୦ଟି ସ୍ମାର୍ଟ କ୍ଲାସ୍ ରୁମ୍‌ର ସୁବିଧା ସାଙ୍ଗକୁ ଇ-ଲାଇବ୍ରେରି ବ୍ୟବସ୍ଥା ହୋଇଛି। ଇ-ରିସୋର୍ସର ବିକାଶ ପାଇଁ ଏକ ଉଚ୍ଚ-କ୍ଷମତାସମ୍ପନ୍ନ ଭର୍ଚୁଆଲ୍ ଟ୍ୟୁଟୋରିଆଲ୍ ଲ୍ୟାବ୍‌, ଉଚ୍ଚସ୍ତରୀୟ-ଯନ୍ତ୍ରପାତି ଓ କମ୍ପ୍ୟୁଟିଂ ସୁବିଧା ଥିବା ଏକ ଉତ୍ସର୍ଗୀକୃତ ‘କେନ୍ଦ୍ରୀୟ ଯନ୍ତ୍ରପାତି ସୁବିଧା କେନ୍ଦ୍ର(ସିଆଇଆଇ), ଉଦ୍ୟୋଗୀକ ଇକୋ-ସିଷ୍ଟମକୁ ପ୍ରୋତ୍ସାହିତ କରିବାକୁ ୨୦୨୦ରୁ କେନ୍ଦ୍ର ସରକାରଙ୍କ ରୁସା ପରିଯୋଜନା ସହାୟତାରେ ଓ ୟୁଇସିଏଚ୍‌ ଅଧୀନରେ ସିଆଇଆଇ ସ୍ଥାପନ ହୋଇଛି। ଇ-ଅଫିସ୍‌ ମାଧ୍ୟମରେ ପ୍ରଶାସନିକ କାର୍ଯ୍ୟଧାରାକୁ ଅଧିକ ସହଜ ଓ ଶୀଘ୍ର କରାଯାଉଛି। ଶିକ୍ଷାଗତ ବିନିମୟ ଏବଂ ଅଧିକ ଗବେଷଣାତ୍ମକ ସହଭାଗିତା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ସହିତ ଚୁକ୍ତିପତ୍ର ସ୍ୱାକ୍ଷର ଜାରି ରଖିଛି। ବିଦେଶର ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବାକୁ ସ୍ୱତନ୍ତ୍ର ଭାବେ ‘ଆନ୍ତର୍ଜାର୍ତିକ କକ୍ଷ’ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଇଛି।

Comments are closed.