କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ବରଙ୍କୁ ଅର୍ପଣ: କପିଳେଶ୍ବରରେ ମହକିଲା ମାଟିହାଣ୍ଡି ତରଣ

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରଭୁ ଶ୍ରୀଧବଳେଶ୍ୱରଙ୍କୁ ମାଟିହାଣ୍ଡି ତରଣ ଅର୍ପଣ କରିବା କପିଳେଶ୍ବରର ଏକ ପ୍ରାଚୀନ ପରମ୍ପରା। ଚତୁର୍ଦଶୀ ତିଥିରୁ ରନ୍ଧନ ହୋଇଥିବା ଏହି ପ୍ରସାଦ ପୂର୍ଣ୍ଣିମା ତିଥିର ଭୋର୍‌ ସମୟରେ ପ୍ରଭୁ କପିଳେଶ୍ବରଙ୍କ ମନ୍ଦିର ବେଢ଼ାରେ ପ୍ରଭୁ ଧବଳେଶ୍ବରଙ୍କୁ ଅର୍ପଣ କରିବା ବିଧି କାହିଁ କେଉଁ ଆବାହମାନ କାଳରୁ ଚଳିଆସିଛି। ତେଣୁ ଆଜି କପିଳେଶ୍ବରର ମହିଳାମାନେ ତରଣ ତିଆରି କରିବାରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି। ତେଣୁ ଆଜି ସଂଜ ପହରରୁ କପିଳେଶ୍ବର ଅଞ୍ଚଳ ତରଣ ମହକରେ ମହକି ଉଠିଛି।

ବିଧି ଓ ପରମ୍ପରା ଅନୁସାରେ ବଡ଼ଓଷା ବ୍ରତ ପାଳନ କରିଥିବା ମହିଳାମାନେ ହିଁ ତରଣ ତିଆରି କରନ୍ତି। ଏଥିପାଇଁ ଆଜି ଦିନତମାମ୍‌ ଉପବାସରେ ରହି ବଡ଼ଓଷା ବ୍ରତ କରିଥିବା ମହିଳାମାନେ ତରଣ ପ୍ରସ୍ତୁତିରେ ଲାଗିପଡ଼ିଥିଲେ। ଚାଉଳ ଚୁନା, ଗୁଡ଼, ନଡ଼ିଆ, ଆଖୁ ରସ ଆଦି ଦିନରୁ ପ୍ରସ୍ତୁତ କରାଯାଇଥିଲା। ସଂଜ ବୁଡ଼ୁବୁଡ଼ୁ ମହିଳାମାନେ ମାଟିହାଣ୍ଡିରେ ତରଣ ତିଆରିରେ ଲାଗିପଡ଼ିଥିଲେ। ତେଜପତ୍ର ପକାଇ ପ୍ରସ୍ତୁତ ହେଉଥିବା ତରଣ ମହକ ସବୁଆଡ଼େ ଖେଳିଯାଇଥିଲା। କପିଳେଶ୍ୱର ଗ୍ରାମରେ ମହିଳାମାନେ କୋଠା ଉପରେ ଓ ଅନ୍ୟାନ୍ୟ ଖୋଲା ସ୍ଥାନରେ ଏହି ପ୍ରସାଦ ତିଆରି କରିଥିଲେ। ଆସନ୍ତାକାଲି ପୂର୍ଣ୍ଣିମା ତିଥିରେ ପରିବାରର ପୁରୁଷମାନେ ଏହି ତରଣକୁ ନେଇ କପିଳେଶ୍ବର ମନ୍ଦିର ବେଢ଼ାକୁ ଯିବେ। ସେଠାରେ ପ୍ରଭୁ ଧବଳେଶ୍ୱରଙ୍କ ଉଦ୍ଦେଶ୍ୟରେ ଏହାକୁ ଅର୍ପଣ କରାଯିବ। ଭୋଗଲାଗି ହେବା ପରେ ଏହାକୁ ପ୍ରସାଦ ରୂପରେ ଗ୍ରହଣ କରାଯିବ ବୋଲି ସେବାୟତ ପରିବାରରୁ ସୁଚିତ୍ରା ପଣ୍ଡା କହିଛନ୍ତି। ସେହିଭଳି ଶିକ୍ଷାବିତ୍‌ ମନ୍ଦାକିନୀ ମିଶ୍ରଙ୍କ କହିବା ଅନୁଯାୟୀ ପ୍ରାୟ ୨ ଶହରୁ ଅଧିକ ମହିଳା ଗତକାଲି ଓ ଆଜି ତରଣ ତିଆରି କରିଛନ୍ତି। ଗତକାଲି ମଧ୍ୟ ଚତୁର୍ଦଶୀ ତିଥି ଥିବାରୁ କିଛି ମହିଳା ତରଣ ତିଆରି କରିଥିଲେ। ରାଜଧାନୀର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଏହି ତରଣକୁ ପୂର୍ଣ୍ଣିମା ତିଥିରେ ପ୍ରସାଦ ଭାବେ ଗ୍ରହଣ କରନ୍ତି।

Comments are closed.