Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱର, ୧୧/୭(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତା ଜୁଲାଇ ୧୩ ତାରିଖ ସୋମବାର ଦିନ ‘ସିଏଜି-ଆଇସିଏସଏସଆର କଲୋକିୟମ୍’
(ଓଡ଼ିଶା ଚାପ୍ଟର)’ ଅନୁଷ୍ଠିତ ହେବ। ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଏବଂ ଇଣ୍ଡିଆନ କାଉନସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସଏସଆର)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଥିବା ଏହି ଉଚ୍ଚସ୍ତରୀୟ ଆଲୋଚନାଚକ୍ରରେ ଦେଶ ଓ ରାଜ୍ୟର ବହୁ ପ୍ରତିଷ୍ଠିତ ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍, ଅଡିଟର ଏବଂ ସରକାରୀ ଆର୍ଥିକ ବିଶେଷଜ୍ଞମାନେ ଯୋଗ ଦେଇ ପ୍ରମୁଖ ଶାସନ ଓ ବିକାଶମୂଳକ ପ୍ରସଙ୍ଗ ଉପରେ ମନ୍ଥନ କରିବେ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ହେବେ।
ଏହି ଆଲୋଚନାଚକ୍ର ମୁଖ୍ୟତଃ ଦୁଇଟି ପ୍ରମୁଖ ବିଷୟବସ୍ତୁ ଉପରେ ଆଧାରିତ ହେବ। ପ୍ରଥମଟି ‘ଓଡ଼ିଶାର ରାଜ୍ୟ ଅର୍ଥନୀତି’ ଏବଂ ଦ୍ୱିତୀୟଟି ‘ମହାନଗର ନିଗମଗୁଡ଼ିକରେ ବର୍ଷା ଜଳ ନିଷ୍କାସନ ଓ ବର୍ଜ୍ୟଜଳ ପରିଚାଳନା ବ୍ୟବସ୍ଥା’। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଏକ ସ୍ୱତନ୍ତ୍ର ଅଭିଭାଷଣ ପ୍ରଦାନ କରିବେ। କାର୍ଯ୍ୟକ୍ରମର ବୈଷୟିକ ଅଧିବେଶନ ଗୁଡ଼ିକରେ ପ୍ରମୁଖ ବିଶେଷଜ୍ଞ ଭାବେ ଓଡ଼ିଶାର ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ ଜେନେରାଲ୍ (ଅଡିଟ୍-୧) ଶ୍ରୀ ସୁବୁ ଆର୍., ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ୍ (ଅଡିଟ୍-୨) ଶ୍ରୀ ଅତୁଲ ପ୍ରକାଶ, ନାଇଜରର ଡଃ ଅମରେନ୍ଦ୍ର ଦାସ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ମିତାଲି ଚିନାରା ସ୍ଵତନ୍ତ୍ର ଗବେଷଣାତ୍ମକ ଆଲୋଚନା କରିବେ।
ପ୍ରତ୍ୟେକ ବିଷୟଭିତ୍ତିକ ଆଲୋଚନା ପରେ ଏକ ପାରସ୍ପରିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ, ଯେଉଁଠାରେ ଗବେଷକ ଓ ଛାତ୍ରଛାତ୍ରୀମାନେ ବିଶେଷଜ୍ଞମାନଙ୍କ ସହ ସିଧାସଳଖ ଆଲୋଚନା କରିବାର ସୁଯୋଗ ପାଇବେ।
ଏହି ଅବସରରେ ଏକ ‘ଗବେଷଣାତ୍ମକ ପ୍ରବନ୍ଧ ପ୍ରତିଯୋଗିତା’ ବିଷୟରେ ମଧ୍ୟ ଘୋଷଣା କରାଯିବ। ଏହି କଲୋକିୟମ୍ର ମୂଳ ଲକ୍ଷ୍ୟ ହେଉଛି ସରକାରୀ ଆର୍ଥିକ ବ୍ୟବସ୍ଥା ଓ ସହରୀ ଶାସନ ଉପରେ ଏକ ସାରଗର୍ଭକ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏବଂ ଶୈକ୍ଷିକ ଅନୁଷ୍ଠାନ ତଥା ସରକାରୀ ଅଡିଟ୍ ସଂସ୍ଥାଗୁଡ଼ିକ ମଧ୍ୟରେ ସହଯୋଗିତାକୁ ଅଧିକ ମଜବୁତ କରିବା।