ବାଲେଶ୍ୱର, ୨୦ ଜୁନ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ରେଳ ସୁରକ୍ଷା ବଳ (ଆରପିଏଫ୍) ତତ୍ପରତାର ସହ ଦୁଇ ଜଣ ନାବାଳକଙ୍କୁ ବାଲେଶ୍ୱର ରେଳ ଷ୍ଟେସନ ପରିସରରୁ ଉଦ୍ଧାର କରି ସମ୍ଭାବ୍ୟ ଶିଶୁ ଶ୍ରମିକ ଚାଲାଣକୁ ରୋକିବାରେ ସଫଳ ହୋଇଛି।
ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ ସମୟରେ ଷ୍ଟେସନ ପରିସରରେ ଅବାଞ୍ଛିତ ଶିଶୁ ଶ୍ରମିକ ଚାଲାଣ ବିରୋଧରେ ଚାଲିଥିବା ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ଆରପିଏଫ୍ ପୋଷ୍ଟ ବାଲେଶ୍ୱରର ଏଏସଆଇ ଅଭୟ କୁମାର ମହାଲିକଙ୍କ ନେତୃତ୍ୱରେ କାର୍ଯ୍ୟରତ କର୍ମଚାରୀମାନେ ଦୁଇ ନାବାଳକଙ୍କୁ ଷ୍ଟେସନ ପରିସରରେ ସନ୍ଦେହଜନକ ଭାବେ ବୁଲୁଥିବା ଦେଖିଥିଲେ। ପଚରାଉଚରା ବେଳେ ସେମାନେ ଏକାକୀ ଭାବେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଇ ଶ୍ରମିକ ଭାବେ କାମ କରିବାକୁ ଯୋଜନା କରିଥିବା କଥା ପ୍ରକାଶ କରିଥିଲେ।
ନାବାଳକମାନଙ୍କ ପରିସ୍ଥିତିକୁ ବିଚାର କରି ସେମାନେ ଶୋଷଣ କିମ୍ବା ଶିଶୁ ଶ୍ରମିକ ଚାଲାଣର ଶିକାର ହେବାର ଆଶଙ୍କା ଥିବା ଜଣାପଡ଼ିଥିଲା। ତେଣୁ ଆରପିଏଫ୍ ଦଳ ତୁରନ୍ତ ହସ୍ତକ୍ଷେପ କରି ଉଭୟଙ୍କୁ ସୁରକ୍ଷିତ ଭାବେ ଆରପିଏଫ୍ ପୋଷ୍ଟକୁ ନେଇଥିଲେ। ସେଠାରେ ସେମାନଙ୍କୁ ପରାମର୍ଶ ଦିଆଯିବା ସହ ଖାଦ୍ୟ ଓ ଜଳପାନର ବ୍ୟବସ୍ଥା କରାଯାଇଥିଲା। ଘଟଣା ସମ୍ପର୍କରେ ଷ୍ଟେସନ ମ୍ୟାନେଜରଙ୍କୁ ଅବଗତ କରାଯାଇ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।
ସମସ୍ତ ଔପଚାରିକତା ଓ ଦସ୍ତାବିଜ ଯାଞ୍ଚ ପରେ ଉଦ୍ଧାର ହୋଇଥିବା ଦୁଇ ନାବାଳକଙ୍କୁ ରେଳୱେ ଚାଇଲ୍ଡ ହେଲ୍ପ ଡେସ୍କ (୧୦୯୮) ମାଧ୍ୟମରେ ବାଲେଶ୍ୱର ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)ଙ୍କ ନିକଟରେ ଅଧିକ ଯତ୍ନ, ସୁରକ୍ଷା ଓ ପୁନର୍ବାସ ପାଇଁ ହସ୍ତାନ୍ତର କରାଯାଇଥିଲା।
ଆରପିଏଫ୍ର ଏହି ସମୟୋପଯୋଗୀ ପଦକ୍ଷେପ ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ଚାଲାଣ ରୋକିବା ଏବଂ ରେଳ ପରିସରରେ ଥିବା ଅସହାୟ ଓ ସମ୍ବେଦନଶୀଳ ବ୍ୟକ୍ତିଙ୍କ ସୁରକ୍ଷା ପ୍ରତି ଭାରତୀୟ ରେଳବାଇ ଏବଂ ଆରପିଏଫ୍ର ଦୃଢ଼ ପ୍ରତିବଦ୍ଧତାକୁ ପୁଣିଥରେ ପ୍ରମାଣିତ କରିଛି।