ଇଂଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ, ପରିବହନ ମନ୍ତ୍ରୀ ଓ ପୁତୁରାଙ୍କ ବିରୋଧରେ ତନାଘନା

0

ବ୍ରହ୍ମପୁର : ବୟଫ୍ରେଣ୍ଡ ବିଶ୍ବଜିତ ଜେନାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରୀଙ୍କ ପରିବାର ଲୋକେ। ଛାତ୍ରୀଙ୍କ ଭଉଣୀ, ଯେ କି ସେହି ଏକା ଘରୋଇ କଲେଜ୍ ହଷ୍ଟେଲରେ ରହୁଥିଲେ, ତାଙ୍କ ଅଭିଯୋଗ ଅନୁସାରେ, ବିଶ୍ବଜିତ ହେଉଛନ୍ତି ମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା। ସେ ଚଳିତ ବର୍ଷ ଘରୋଇ ଇଞ୍ଜିନିୟରିଂ କଲେଜରୁ ପାସ୍ କରିଛନ୍ତି। ସେ ବି ବିସିଏ କରିବା ସହିତ ଭଉଣୀଙ୍କ ସିନିୟର ଥିଲେ।ଗତ କିଛି ମାସ ହେଲା ଭଉଣୀଙ୍କ ସହ ରିଲେସନରେ ଥିଲେ ବିଶ୍ବଜିତ୍। କିନ୍ତୁ ବିଶ୍ବଜିତଙ୍କ ଅନ୍ୟ ଝିଅଙ୍କ ସହ ସଂପର୍କ ଥିବା ଜାଣିବା ପରେ ତାଙ୍କ ଭଉଣୀ ମାନସିକ ଚିନ୍ତାରେ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଛାତ୍ରୀ ଜଣକ ନିଜେ ଜୀବନ ହାରି ନଥିବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକ।

ମୃତ ଛାତ୍ରୀଙ୍କ ମାମୁଙ୍କ ଅଭିଯୋଗ ଆଧାରରେ ବିଶ୍ବଜିତଙ୍କ ବିରୋଧରେ ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। ସେହିପରି ଛାତ୍ରୀଙ୍କ ମୋବାଇଲ, ଲାପଟପ୍ ‍, କଲେଜ ସିସିଟିଭି ଫୁଟେଜ ଜବତ କରିବା ସହ ହ୍ୱାଟସଆପ୍ ଚାଟ୍ ‍ ଓ ଅନ୍ୟ ଡିଜିଟାଲ ପ୍ରମାଣକୁ ସଂଗ୍ରହ କରାଯାଇଛି।  ଏସପି କହିଛନ୍ତି, ସମସ୍ତ ପକ୍ଷଙ୍କ ବୟାନ ରେକର୍ଡ ହୋଇଛି। ଯେ କେହି ବି ଏହି ଘଟଣାରେ ସଂପୃକ୍ତ ଥିବ ଗିରଫ କରାଯିବ। ଅନ୍ୟପକ୍ଷରେ ବ୍ରହ୍ମପୁର ସଦର ଏସଡିପିଓ ଓ ଗୋଳନ୍ଥରା ଥାନା ଅଧିକାରୀ ବୁଗୁଡା ଥାନା ଅନ୍ତର୍ଗତ ମୃତ ଛାତ୍ରୀଙ୍କ ଗାଁରେ ପହଞ୍ଚି  ପରିବାର ଲୋକଙ୍କୁ ପଚରାଉଚରା କରିଛନ୍ତି।

ଛାତ୍ରୀଙ୍କ ପରିବାରର ଅଭିଯୋଗ ଉପରେ ବିଶ୍ବଜିତ କିମ୍ବା ମନ୍ତ୍ରୀ ବିଭୂତି ଜେନାଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଘଟଣାକୁ ନେଇ ଜୋର୍ ଧରିଛି ବ୍ରହ୍ମପୁର ରାଜନୀତି। ଘଟଣାରେ ମନ୍ତ୍ରୀଙ୍କ ପରିବାର ସମ୍ପୃକ୍ତ ଥିବାରୁ ପୋଲିସ ଡରି ଠିକ୍ ଭାବେ ତଦନ୍ତ କରୁନଥିବା ବିଜେଡି ପ୍ରେସମିଟ୍ କରି ଅଭିଯୋଗ କରିଛି। ଯାହାର ଜବାବ ରଖିଛି ବିଜେପି ।

ଗତକାଲି ସକାଳେ କଲେଜ୍ ହଷ୍ଟେଲରୁ ଛାତ୍ରୀ ଜଣକୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଥିଲ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.